
ନୂଆଦିଲ୍ଲୀ : ସମଗ୍ର ଦେଶରେ ଇଣ୍ଡିଗୋ ବିମାନ ବର୍ତ୍ତମାନ ସଙ୍କଟ ଦେଇ ଗତି କରୁଛି । ବିମାନ ଉଡାଣ ଗୁରୁତର ଭାବରେ ପ୍ରଭାବିତ ହୋଇଛି । ଦୁଇ ଦିନରେ ୩୦୦ ରୁ ଅଧିକ ବିମାନ ବାତିଲ ହୋଇସାରିଲାଣି । ଆଉ ଏଥିପାଇଁ ଦିଲ୍ଲୀରୁ ମୁମ୍ବାଇ ଯାତ୍ରା ଏବେ ମହଙ୍ଗା ହୋଇଛି । ବିମାନ ଭଡ଼ା ହଠାତ୍ ବଢିଯାଇଛି । ଆଜି ଦିଲ୍ଲୀରୁ ମୁମ୍ବାଇକୁ ସର୍ବନିମ୍ନ ଭଡ଼ା ୨୧, ୧୫୯ ଟଙ୍କା ରହିଥିବା ବେଳେ କିଛି ବିମାନ ଭଡ଼ା ୩୮,୬୭୬ ଟଙ୍କା ରହିଛି ।
ଆସନ୍ତାକାଲି ପାଇଁ ମଧ୍ୟ ବିମାନ ଭଡ଼ା ଅଧିକ ରହିଛି । ଆସନ୍ତାକାଲି ପାଇଁ ସର୍ବନିମ୍ନ ୧୭,୭୮୮ ଟଙ୍କା ରହିଥିବା ବେଳେ ସର୍ବାଧିକ ୩୧,୦୦୦ ଟଙ୍କା ରହିଛି ।
ଇଣ୍ଡିଗୋ ବିମାନ ଗତ ଦୁଇଦିନ ହେଲାଣି ବାତିଲ ହେଉଛି । ଏଥିପାଇଁ ଡିଜିସିଏ ଇଣ୍ଡିଗୋ ଅଧିକାରୀଙ୍କୁ ମିଟିଂ ପାଇଁ ଡକାଇଛି । ଇଣ୍ଡିଗୋର ଏଭଳି ସମସ୍ୟା ଯୋଗୁଁ ଯାତ୍ରୀ ବହୁତ ହନ୍ତସନ୍ତ ହେଉଛନ୍ତି । ବିମାନ ବାତିଲ ହେବା ଯୋଗୁଁ ଟିକେଟ ଦାମ୍ ବଢିବାରେ ଲାଗିଛି । ଦିଲ୍ଲୀ ମୁମ୍ବାଇ ଭଳି ବଡ଼ ରୁଟରେ ଏବେ ଭଡ଼ା ଅଧିକ ହୋଇଛି । କ୍ରିୟୁ ସଦସ୍ୟଙ୍କ ଅଭାବ ଯୋଗୁ ଦିଲ୍ଲୀ, ମୁମ୍ବାଇ, ହାଇଦ୍ରାବାଦ, ବେଙ୍ଗାଳୁରୁ ଭଳି ବଡ଼ ବଡ଼ ବିମାନ ବନ୍ଦରରେ ୨୦୦ ରୁ ଅଧିକ ବିମାନ ଚଳାଚଳ ରଦ୍ଦ ହୋଇଛି । ଏଥିଯୋଗୁ ବିଭିନ୍ନ ବିମାନ ବନ୍ଦରରେ ଯାତ୍ରୀଙ୍କ ମଧ୍ୟରେ ପ୍ରବଳ ଅସନ୍ତୋଷ ହୋଇଛି ।