
ଭୁବନେଶ୍ବର: ବାରବାଟୀ ମ୍ୟାଚ ଟିକେଟ୍ ପାଇଁ ଅସମ୍ଭାଳ ଭିଡ଼ । ଆଜିଠାରୁ ଅଫ ଲାଇନରେ କାଉଣ୍ଟରରେ ୧୦ ହଜାର ଟିକେଟ୍ ବିକ୍ରୀ ହେବ। ଜଣଙ୍କୁ ଦି ଖଣ୍ଡ ଟିକେଟ୍ । ଦି ଟି ଟିକେଟ୍ ପାଇଁ ରାତିରୁ ଷ୍ଟାଡିୟମ ନିକଟରେ ଜମା ହୋଇଛନ୍ତି କ୍ରିକେଟ୍ ପ୍ରେମୀ । ବାରିକେଡରେ ଧାଡ଼ି ବାନ୍ଧି ଠିଆ ହୋଇଛନ୍ତି କ୍ରିକେଟ୍ ପ୍ରେମୀ । ଆଜି ସକାଳ ୬ଟାରେ ବ୍ୟାରିକେଡ୍ ଭିତରେ ଧାଡ଼ିରେ ରହିବାକୁ ଦିଆଯିବ ବୋଲି ପୋଲିସ ପକ୍ଷରୁ ପୂର୍ବରୁ କୁହାଯାଇଥିଲା । ଅସମ୍ଭାଳ ଭିଡ଼କୁ ନଜରରେ ରଖି ନିର୍ଦ୍ଧାରିତ ସମୟ ପୂର୍ବରୁ ହିଁ ଲୋକଙ୍କୁ ପର୍ଯ୍ୟାୟକ୍ରମେ ବ୍ୟାରିକେଡ୍ ଭିତରକୁ ଛାଡିଥିଲା ପୋଲିସ ।
ରାତିରୁ ହିଁ ବିଭିନ୍ନ ସ୍ଥାନରୁ ଲୋକେ ଆସି ଭିଡ଼ କରିଥିଲେ । ପୋଲିସକୁ ନାକେଦମ ହେବାକୁ ପଡିଥିଲା । ଅମାନିଆଙ୍କୁ ଘଉଡାଇ ଥିଲା ପୋଲିସ । ହଜାର ହଜାର କ୍ରିକେଟ ପ୍ରେମୀ ଷ୍ଟାଡିୟମ ନିକଟରେ ରାତିରେ ଏକାଠି ହୋଇ ଶିଳ୍ପ ନିର୍ଦ୍ଦେଶାଳୟ ପଡ଼ିଆରେ ହୋଇଥିବା ବ୍ୟାରିକେଡ୍ ରେ ପଶି ଧାଡ଼ିରେ ଛିଡ଼ାହେବାକୁ ଉଦ୍ୟମ କରିଥିଲେ । ପୋଲିସ ସେମାନଙ୍କୁ ପ୍ରଥମେ ସିଡିଏମ୍ ଓଙ୍କ କାର୍ଯ୍ୟାଳୟ ନିକଟକୁ ଘଉଡ଼ାଇଥିଲା ।
ସେଠାରେ ସମସ୍ତେ ଏକାଠି ହୋଇ ପାଟିତୁଣ୍ଡ କରିବାରୁ ପରେ କ୍ୟାଣ୍ଟନମେଣ୍ଟ ଛକ ନିକଟକୁ ଘଉଡ଼ାଇ ନେଇଥିଲା ପୋଲିସ । କିନ୍ତୁ ଭିଡ଼ ବଢ଼ିବାରୁ ରାତି ପ୍ରାୟ ୧୧ଟା ୩୦ ବେଳକୁ ପୋଲିସ ସେମାନଙ୍କୁ ଭିତରକୁ ପର୍ଯ୍ୟାୟକ୍ରମେ ଛାଡ଼ିଥିଲା । ରାତିରେ ଘଟଣାସ୍ଥଳରେ ଡିସିପି ଖିଲାରୀ ଋଷିକେଶ ଦ୍ୟାନଦେଓ ଉପସ୍ଥିତ ରହି ସ୍ଥିତି ଅନୁଧ୍ୟାନ କରିଥିଲେ । ଲୋକଙ୍କ ସହିତ ପୋଲିସ ରାତି ଅନିଦ୍ରା ରହିଛି । ଲାଇନ୍ ଭିତରେ ଧସେଇ ପଶିବାକୁ ଉଦ୍ୟମ କରୁଛନ୍ତି କ୍ରିକେଟ୍ ପ୍ରେମୀ । ମଝିରେ ମଝିରେ ପୋଲିସ ଲାଠି ମଧ୍ୟ କାଢୁଛନ୍ତ । ତଥାପି ଟିକେଟ୍ ପାଇବାକୁ ଲୋକଙ୍କ ମଧ୍ୟରେ ଉତ୍ସାହ କମୁ ନାହିଁ ।
ଅନ୍ୟପଟେ ଏଥର ଟିକଟ କଳାବଜାର ରୋକିବାକୁ କମିସନରେଟ୍ ପୋଲିସ ବାରବାଟୀ ଚାରିପଟେ ଡ୍ରୋନ୍ କ୍ୟାମେରା ଉଡ଼ାଇବାକୁ ନିଷ୍ପତ୍ତି ନେଇଛି । ଗଳି କନ୍ଦିରେ ଯେଉଁଠି ଟିକଟ କଳାବଜାର କରାଯିବ ଏହା ଉପରେ ନଜର ରଖିବା ସହିତ କୌଣସି ଅପ୍ରୀତିକର ପରିସ୍ଥିତି ହେଲେ ଏହା ଉପରେ ନଜର ରଖାଯିବ । ଏଥର କ୍ରିକେଟ୍ ମ୍ୟାଚ୍ ପାଇଁ ୩୦୦ ସିସି କ୍ୟାମେରା ଲାଗିଥିବା ବେଳେ ପଡ଼ିଆ ବାହାରେ ଟିକଟ କାଉଣ୍ଟର୍ , ବ୍ୟାରିକେଡ୍ ନିକଟରେ ୬୪ କ୍ୟାମେରା ଲଗାଯାଇଛି। ସମସ୍ତ କ୍ୟାମେରାକୁ ଓସିଏ କଣ୍ଟ୍ରୋଲ୍ ରୁମ୍ ରୁ ନିୟନ୍ତ୍ରଣ କରାଯିବ ।