
ବ୍ରହ୍ମପୁର : ସମାଜବାଦୀ ଅନୁଷ୍ଠାନ ମାନବ ଅଧିକାର ସୁରକ୍ଷା ମଞ୍ଚ ପକ୍ଷରୁ ଆଜି ଭାରତରତ୍ନ ଡ଼.ଭୀମ ରାଓ ଆମ୍ବେଦକରଙ୍କ ୬୯ତମ ମହାପ୍ରୟାଣ ଦିବସ ଯଥା ମର୍ଯ୍ୟାଦାର ସହ ସ୍ଥାନୀୟ ଇଂଜିନିୟରିଙ୍ଗ ସ୍କୁଲ ଛକ ଠାରେ ଥିବା ତାଙ୍କ ପ୍ରତିମୂର୍ତ୍ତି ଠାରେ ପାଳନ ହୋଇଯାଇଛି l ମାନବ ଅଧିକାର ସୁରକ୍ଷା ମଞ୍ଚର ସଭାପତି ଗଗନ ଚନ୍ଦ୍ର ମଲ୍ଲିକ ବାବା ସାହେବଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କଲା ପରେ ଆୟୋଜିତ ସଭାରେ କହିଥିଲେ ଯେ,ଆମ୍ବେଦକର ଭାରତୀୟ ସମ୍ବିଧାନର ପ୍ରମୁଖ ସ୍ରଷ୍ଟା ହୋଇଥିବା ସହିତ ସମାଜିକ ନ୍ୟାୟ, ସମତା ଓ ମାନବାଧିକାର ପାଇଁ ଜୀବନବ୍ୟାପୀ ସଂଘର୍ଷ କରିଥିଲେ। ଅସମାନତା,ଅସ୍ପୃଶ୍ୟତା ଓ ଶୋଷଣ ବିରୁଦ୍ଧରେ ତାଙ୍କ ଆନ୍ଦୋଳନ ଭାରତର ସାମାଜିକ ପରିବର୍ତ୍ତନର ଏକ ଐତିହାସିକ ପର୍ଯ୍ୟାୟ l ତାଙ୍କର ଚିନ୍ତାଧାରା — “ଶିକ୍ଷା ପାଆନ୍ତୁ, ସଂଗଠିତ ହୁଅନ୍ତୁ, ସଂଘର୍ଷ କରନ୍ତୁ” — ଆଜି ମଧ୍ୟ ସମାଜକୁ ନ୍ୟାୟ ଓ ଗଣତନ୍ତ୍ରର ପଥରେ ଆଗେଇ ନେବାରେ ପ୍ରେରଣା ଯୋଗାଉଛି l ସମସ୍ତେ ନିଜ ନିଜ ବକ୍ତବ୍ୟରେ କହିଥିଲେ ଯେ, ଆମ୍ବେଦକରଙ୍କ ସ୍ୱପ୍ନ ଥିଲା ଏକ ଏମିତି ଭାରତ ଯେଉଁଠାରେ ପ୍ରତ୍ୟେକ ଲୋକ ସମାନ ଅଧିକାରରେ ବଞ୍ଚିବେ। ଆଜି ଆମ୍ଭେ ସେହି ସାଂବିଧାନିକ ମୂଲ୍ୟଗୁଡ଼ିକୁ ସୁରକ୍ଷିତ ରଖିବାର ପ୍ରତିଶ୍ରୁତିକୁ ପାଳନ କରିବା ଆବଶ୍ୟକ l
ଏହି ଶ୍ରଦ୍ଧାଞ୍ଜଳି ଅର୍ପଣ କାର୍ଯ୍ୟକ୍ରମରେ ସମସ୍ତେ ଆମ୍ବେଦକରଙ୍କ ସମାନତାମୂଳକ ସମାଜ ଗଠନର ସ୍ୱପ୍ନକୁ ପୂରଣ କରିବାର ଶପଥ ନେଇଥିଲେ। ଆଜିର ଏହି କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ ମଞ୍ଚ ର ଉପସଭାପତି ସୁରେନ୍ଦ୍ର ନାଥ ପଣ୍ଡା,ଅଲ୍ ଇଣ୍ଡିଆ ଖେତ ମଜଦୂର କିସାନ ସଭାର ଜିଲ୍ଲା ସଭାପତି ଅବନୀ ଗୟା, ବିକାଶ ଅନୁଷ୍ଠାନର ଗୋକୁଲ୍ ବେହେରା, ନଳିନୀ କୁମାର ବେହେରା, ଗୁଣନିଧି ବେହେରା, ସସ୍ମିତା ବେହେରା,ଆମ୍ ଆଦମୀ ପାର୍ଟି ର ଆଦିତ୍ୟ ରଥ, ଶିକ୍ଷକ ସଙ୍ଗଠନ ନେତା ଶ୍ୟାମ ସୁନ୍ଦର ଖାଡଙ୍ଗା,ଯୁବ ନେତା କାହ୍ନୁ ଚରଣ ପାତ୍ର, ଗୌରୀ ଶଙ୍କର ମହାନ୍ତି,ଆମ୍ବେଦକର ବିକାଶ ମଂଚ ର ସଭାପତି ଭାସ୍କର ହାତୀ, ଉପସଭାପତି ଅଶୋକ ନିମାଇ ପ୍ରମୁଖ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ l