
ଧରାକୋଟ : ରାଜ୍ୟରେ ବାସହୀନ ଓ ଭୂମିହୀନଙ୍କୁ ଥଇଥାନ କରିବା ପାଇଁ ସରକାର ‘ବସୁନ୍ଧରା’ ଭଳି ମହତ୍ୱାକାଂକ୍ଷୀ ଯୋଜନା ପ୍ରଣୟନ କରିଛନ୍ତି। ଖୋଦ୍ ରାଜସ୍ବ ମନ୍ତ୍ରୀ ରାଜ୍ୟରେ କେହି ବାସହୀନ ରହିବେ ନାହିଁ ବୋଲି ବାରମ୍ବାର ପ୍ରତିଶ୍ରୁତି ଦେଉଛନ୍ତି। ହେଲେ ଗଞ୍ଜାମ ଜିଲ୍ଲା ଧରାକୋଟ ତହସିଲ ଅଧୀନରେ ସରକାରଙ୍କ ଏହି ଯୋଜନା ବାଟବଣା ହୋଇଥିବା ଦେଖିବାକୁ ମିଳିଛି। ଦୀର୍ଘ ୪୩ ବର୍ଷ ଧରି ବସବାସ କରୁଥିବା ପ୍ରାୟ ୧୦ଟି ପରିବାର ପଟା ପାଇବା ପରିବର୍ତ୍ତେ ଏବେ ଉଚ୍ଛେଦ ଭୟରେ ଦିନ କାଟୁଛନ୍ତି।
ଧରାକୋଟ ତହସିଲ ଅନ୍ତର୍ଗତ ଜାହାଡା ଗ୍ରାମର ଚନ୍ଦ୍ରଶେଖର ସାହିରେ ଦେଖିବାକୁ ମିଳିଛି ଏଭଳି ଏକ ଅଭାବନୀୟ ଘଟଣା। ଗ୍ରାମର ମୁଖ୍ୟ ସଡ଼କ ପାର୍ଶ୍ଵରେ ୧୯୮୨ ମସିହାରୁ ଚନ୍ଦ୍ରମା ସ୍ୱାଇଁ, ସନ୍ତୋଷ ରାଉତ, ଜମ୍ଭୁ ଜେନା, ପିତାମ୍ବର ଦାସ, ଟୁନା ପାଣିଗ୍ରାହୀ, ମିଥୁନ ନାହାକ, ସୁଶାନ୍ତ ସ୍ୱାଇଁ, ନିବସିନି ସାମଲ ଓ କୃଷ୍ଣ ପ୍ରଧାନ ପ୍ରମୁଖ ନିଜ ପରିବାର ସହ ସ୍ଥାୟୀ ଭାବେ ବସବାସ କରିଆସୁଛନ୍ତି। ଏହି ପରିବାରଗୁଡ଼ିକ ପାଖରେ ଆଧାର କାର୍ଡ, ଭୋଟ ପରିଚୟ ପତ୍ର ଓ ରାସନ କାର୍ଡ ରହିଥିବା ବେଳେ ଘରକୁ ସରକାରୀ ବିଜୁଳି ଓ ପାଣି ସଂଯୋଗ ମଧ୍ୟ ରହିଛି। କିନ୍ତୁ ବିଡମ୍ବନାର ବିଷୟ, ଦୀର୍ଘ ୪ ଦଶନ୍ଧି ବିତିଯାଇଥିଲେ ମଧ୍ୟ ଏମାନଙ୍କୁ ଭିଟାମାଟିର ପଟା ଖଣ୍ଡିଏ ମିଳିପାରି ନାହିଁ। ଫଳରେ ଜାତିଗତ ଓ ବାସିନ୍ଦା ପ୍ରମାଣପତ୍ର ନମିଳିବାରୁ ପିଲାମାନେ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଏବଂ ପରିବାରଗୁଡ଼ିକ ସରକାରୀ ଆବାସ ଯୋଜନାରୁ ବଞ୍ଚିତ ହେଉଛନ୍ତି।
ସମସ୍ୟା ସେତିକିରେ ଅଟକି ନାହିଁ। ନିକଟରେ ଗ୍ରାମର କିଛି ବ୍ୟକ୍ତି ଉକ୍ତ ସ୍ଥାନକୁ କାଳୀ ମନ୍ଦିରର ପୂଜା ପାର୍ବଣ ପାଇଁ ବ୍ୟବହାର କରିବାକୁ ଦାବି କରି ତହସିଲଦାର ଓ ଭଞ୍ଜନଗର ଉପଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଥିଲେ। ଏହାପରେ ତହସିଲ ପକ୍ଷରୁ ସଂପୃକ୍ତ ପରିବାରଗୁଡ଼ିକୁ ନୋଟିସ ଜାରି କରାଯାଇଛି। ଫଳରେ ମଙ୍ଗଳବାର ଏହି ପରିବାରବର୍ଗ ତହସିଲ କାର୍ଯ୍ୟାଳୟରେ ପହଞ୍ଚି ତହସିଲଦାର ଲମ୍ବୋଦର ମାରାଣ୍ଡିଙ୍କୁ ଭେଟି ସ୍ଥାୟୀ ପଟା ପ୍ରଦାନ ପାଇଁ ଗୁହାରି ଜଣାଇଛନ୍ତି।
ଏ ସମ୍ପର୍କରେ ତହସିଲଦାର ଶ୍ରୀ ମାରାଣ୍ଡି କହିଛନ୍ତି ଯେ, “ସମ୍ପୃକ୍ତ ପରିବାରଗୁଡ଼ିକୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି। ସେମାନଙ୍କ ଠାରୁ ଉତ୍ତର ମିଳିବା ପରେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।”
ତେବେ ଏଠାରେ ସାଧାରଣରେ ପ୍ରଶ୍ନ ଉଠୁଛି ଯେ, ଦୀର୍ଘ ୪୩ ବର୍ଷ ତଳେ ଯେତେବେଳେ ସେମାନେ ବସତି ସ୍ଥାପନ କଲେ, ସେତେବେଳେ କାହିଁକି ବିରୋଧ କରାଗଲା ନାହିଁ? ହଠାତ୍ କାଳୀ ମନ୍ଦିର ନାଁରେ ଏହି ଗରିବ ପରିବାରଗୁଡ଼ିକୁ ବେଘର କରିବା ପଛରେ କି ରହସ୍ୟ ରହିଛି? ଯଦି ଏମାନଙ୍କୁ ଉଚ୍ଛେଦ କରାଯାଏ, ତେବେ ଜାହାଡା ଗ୍ରାମରେ ଜବରଦଖଲରେ ଥିବା ଅନ୍ୟ ସ୍ଥାନଗୁଡ଼ିକୁ ମଧ୍ୟ ପ୍ରଶାସନ ଉଚ୍ଛେଦ କରିବ କି? ଏଭଳି ଏକ ସ୍ପର୍ଶକାତର ପ୍ରସଙ୍ଗ ଏବେ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଥିବା ବେଳେ ପ୍ରଶାସନ ଏହି ଗରିବ ପରିବାରଙ୍କ ସ୍ୱାର୍ଥ ରକ୍ଷା ଦିଗରେ କି ପଦକ୍ଷେପ ନେଉଛି, ତାହା ଦେଖିବାକୁ ବାକି ରହିଲା।