
ହରଭଙ୍ଗା : ଚର୍ଚ୍ଚାରେ ହରଭଙ୍ଗା ବିଡିଓ । ଗାଁ କୁ ଗାଡି ଯାଇ ପାରିଲାନି ବୋଲି ରାସ୍ତାରୁ ବଡବଡ ଢେମା ପଥର ହଟାଇ ହଟାଇ ଗଲେ ୫ କିମି ବାଟ । ଏ ହେଉଛନ୍ତି ହରଭଙ୍ଗା ବିଡିଓ ବିଜୟ କୁମାର ପ୍ରଧାନ । ବୌଦ୍ଧ ଜିଲା ହରଭଙ୍ଗା ବ୍ଲକର ଦୁର୍ଗମ ତଥା ଉପାନ୍ତ ଅଚଂଳ ଭାବେ ଜଣା ଶୁଣା ଆଡେଣୀଗଡ ପଞ୍ଚାୟତର ବାଲେଜୁ, ସବେରି ଓ ଆଡାପାଜୁ ଗ୍ରାମଗୁଡ଼ିକୁ ପରିଦର୍ଶନ କରି ଲୋକଙ୍କ ସମସ୍ୟା ବୁଝିବାକୁ ବାହାରିଥିଲେ ବିଡିଓ । ହେଲେ ବିଡିଓଙ୍କ ଗାଡି କେବଳ ଲେଙ୍ଗରପାଜୁ ଗାଁ ପର୍ଯ୍ୟନ୍ତ ଯାଇ ପାରିଥିଲା । ଆଗକୁ ରାସ୍ତାରେ ବଡ ବଡ ଢେମା ପଥର ପଡିରହିଥିବାରୁ ଗାଡ଼ି ଆଗକୁ ଯାଇ ପାରିନଥିଲା । ଆଉ ଏହା ପରେ ବିଡିଓ ଖୋଦ ଗାଡ଼ିରୁ ଓହ୍ଲାଇ ରାସ୍ତାରୁ ପଥର ଗୁଡ଼ିକୁ ହଟାଇ ଲକ୍ଷ୍ୟସ୍ଥଳରେ ପହଞ୍ଚିଥିଲେ । ଚାଲି ଚାଲି ଗାଁରେ ପହଁଚି ଲୋକଙ୍କ ସହ ବିଭିନ୍ନ ସମସ୍ୟା ଓ ଏହାର ସମାଧାନ ଦିଗରେ ଆଲୋଚନା କରିଥିଲେ । ଶେଷରେ ଗାଁ ଲୋକଙ୍କୁ ଶୀତ ବସ୍ତ୍ର ବାଣ୍ଟିଲେ । ବିଡିଓଙ୍କ ଏଭଳି କାର୍ଯ୍ୟର ଭିଡିଓ ଭାଇରାଲ ହେବା ପରେ ସବୁଆଡେ ବିଡିଓଙ୍କ କାର୍ଯ୍ୟକୁ ପ୍ରଶଂସା କରାଯାଇଛି ।