
ସାଲେପୁର: ଏଇ ବର୍ଷେ ତଳେ ଝିଅ ପ୍ରେମ ବିବାହ କରିଥିଲା । କିନ୍ତୁ ଏବେ ତା ମରଶରୀର ପଡ଼ିଛି । ଝିଅକୁ ଯୌତୁକ ଆଣ କହି ଶାଶୁଘର ଲୋକେ ଧମକ ଦେଉଥିଲେ । ଝିଅକୁ ମାନସିକ ଓ ଶାରିରୀକ ନିର୍ଯ୍ୟାତନା ଦେଇ ଆସୁଥିଲେ ଶାଶୁଘର ଲୋକେ । ଏବେ ମୋ ଝିଅକୁ ଜୀବନରୁ ଶେଷ କରିଦେଲେ । ଏଭଳି ଏକ ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି ମୃତକ ଝିଅର ବାପା ମା ।
ପୁଣି ଯୌତୁକ ଜୁଇରେ ଜଳିଗଲା ଆଉ ଗୋଟିଏ ନବବଧୂ । କଟକ ଜିଲ୍ଲା ନେମାଳ ଥାନା ଅଧିନସ୍ଥ ନେମାଳ ପଞ୍ଚାୟତ ମାଳିଗାଁ ଗାଁର ପ୍ରେମାନନ୍ଦ ସାହୁଙ୍କ ଝିଅ ସ୍ଥିତିପ୍ରଜ୍ଞା ସାହୁଙ୍କୁ ଶାନ୍ତପୁର ପଞ୍ଚାୟତ ମାଣିକପୁର ଗାଁର ଗଣେଶ୍ୱର ନାଥଙ୍କ ପୁଅ ଶ୍ରୀନିବାସ ନାଥ ପ୍ରେମ ବିବାହ କରିଥିଲେ । ଉଭୟ ପ୍ରେମ ବିବାହ କରିବା ପରେ ଯୌତୁକକୁ ନେଇ ପାରିବାରିକ କଳହ ଲାଗି ରହୁଥିଲା । ଏ ବାବଦରେ ଝିଅ ସ୍ଥିତି ପ୍ରଜ୍ଞା ତାଙ୍କ ମା’ଙ୍କୁ ଫୋନ୍ କରି ସବୁ ଜଣାଇଥିଲେ । କିନ୍ତୁ ଗତ କାଲି ରାତିରେ ସ୍ଥିତି ପ୍ରଜ୍ଞାଙ୍କୁ ମାରିଦେଇଥିବା ଅଭିଯୋଗ ଆଣିଛନ୍ତି ଝିଅର ବାପା ମା’ । ଏନେଇ ଥାନାରେ ଏତଲା ମଧ୍ୟ ଦେଇଛନ୍ତି ।
ଅନ୍ୟପଟେ ସ୍ଥିତି ପ୍ରଜ୍ଞାଙ୍କ ସ୍ୱାମୀ ଶ୍ରୀନିବାସ ନାଥଙ୍କ ବଡ଼ ବାପା କହିଛନ୍ତି ପରିବାରିକ କଳହକୁ ନେଇ ବୋହୁ ଜୀବନ ହାରିଛି । ବୋହୂ ଆମର ଭଲ ଥିଲା । କିନ୍ତୁ ଏମିତି କଣ ପାଇଁ ହେଲା ଆମେ ଜାଣିନୁ ବୋଲି କହିଛନ୍ତି ଶ୍ରୀନିବାସ ନାଥଙ୍କ ବଡ଼ ବାପା ।
ପୋଲିସକୁ ଘଟଣା ବାବଦରେ ପଚାରିବାରୁ କୌଣସି ପ୍ରତିକ୍ରିୟା ଦେଇନଥିବା ବେଳେ ଅଭିଯୁକ୍ତ ସ୍ୱାମୀ ଶ୍ରୀ ନିବାସ ନାଥଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ନେମାଳ ପୋଲିସ । ସମସ୍ତ ଅଭିଯୁକ୍ତମାନଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ମୃତକଙ୍କ ବାପ ଘର ଲୋକେ । ତେବେ ପୋଲିସ ତଦନ୍ତ ପରେ ଜଣାପଡ଼ିବ ସ୍ଥିତି ପ୍ରଜ୍ଞାଙ୍କ ମୃତ୍ୟୁ କେମିତି ହେଲା ? କେତେ ଦିନ ଧରି ଏମିତି ଯୌତୁକ ଜୁଇରେ ଜଳୁଥିବେ ଝିଅ ? ବାହାଘରକୁ ବରଷେ ନ ପୂରୁଣୁ ମୃତ୍ୟୁ ଶଯ୍ୟାରେ ଶୋଇ ଯାଉଛନ୍ତି ନବବଧୂ । ଏହି ଘଟଣାକୁ ନଜରରେ ରଖି ଗୋଟେ ବାପ ପର ଘରେ ଝିଅ ଦେବାକୁ ଭୟ କରୁଛି ।