
ନୂଆଦିଲ୍ଲୀ : ଦିଲ୍ଲୀର ଗ୍ରେଟର ନୋଏଡ଼ାରେ ଧୀରେ ଧୀରେ ଶୀତ ପ୍ରଭାବ ବୃଦ୍ଧି ପାଉଛି । ଥଣ୍ଡା ବଢିବା ସହ କୁହୁଡ଼ି ମଧ୍ୟ ବଢିବାରେ ଲାଗିଛି । ବାୟୁ ଗୁଣବତ୍ତାରେ ପରିବର୍ତ୍ତନ ହେବାରୁ ଲୋକଙ୍କ ସମସ୍ୟାର କାରଣ ପାଲଟିଛି । ସକାଳେ ଏବଂ ସନ୍ଧ୍ୟାରେ କୁହୁଡ଼ିର ମାତ୍ରା ଏତେ ପରିମାଣରେ ବଢିଯାଉଛି ଯାହାଫଳରେ ରାସ୍ତା ଦୃଶ୍ୟମାନ ହେବା କଷ୍ଟକର ହୋଇପଡୁଛି । ଘନ କୁହୁଡ଼ି ଯୋଗୁଁ ଗୌତମ ବୁଦ୍ଧ ନଗର ଜିଲ୍ଲାରେ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଯାହାର ସୂଚନା ଜିଲ୍ଲା ପ୍ରଶାସନ ପକ୍ଷରୁ ମିଳିଛି ।
ସୂଚନାନୁଯାୟୀ, ଘନ କୁହୁଡ଼ି, ଥଣ୍ଡା ପବନ ଏବଂ ବାୟୁ ପ୍ରଦୂଷଣ ପାଇଁ ବାୟୁ ଗୁଣବତ୍ତା AQI ଚିନ୍ତାଜନକ ସ୍ତରରେ ରହିଛି । ବର୍ତ୍ତମାନ ନୋଏଡ଼ାରେ AQI ପାଖାପାଖି ୪୩୦ ରୁ ୪୫୦ ମଧ୍ୟରେ ରହିଛି । ଯାହା ସବୁଠାରୁ ଖରାପ ସ୍ଥିତିରେ ରହିଛି । ସେହିପରି ଗ୍ରେଟର ନୋଏଡ଼ାରେ AQI ୪୫୦ ରୁ ଉର୍ଦ୍ଧ୍ବରେ ରହିଛି । ଏପରି ସ୍ଥିତିରେ ଥିବା ଗୁଣବତ୍ତା ସ୍ବାସ୍ଥ୍ୟ ପାଇଁ କ୍ଷତିକାରକ ହୋଇଥାଏ । ଖରାପ AQI ପାଇଁ ପିଲାଙ୍କଠାରୁ ଆରମ୍ଭ କରି ବୃଦ୍ଧଙ୍କ ପର୍ଯ୍ୟନ୍ତ ସମସ୍ତଙ୍କର ସମସ୍ୟା ଉପୁଜାଉଛି । ବିଶେଷ କରି ଶ୍ୱାସକ୍ରିୟା ରୋଗରେ ପୀଡିତ ଲୋକଙ୍କୁ ଏହା ସର୍ବାଧିକ ପ୍ରଭାବିତ କରୁଛି । ଲୋକମାନେ ଆଖି ଜ୍ୱଳନ, ଗଳା ଯନ୍ତ୍ରଣା, ନିଶ୍ୱାସ ନେବାରେ କଷ୍ଟ ଏବଂ ମୁଣ୍ଡବିନ୍ଧା ଭଳି ଯନ୍ତ୍ରଣା ଅନୁଭବ କରୁଛନ୍ତି । ଏହାରି ମଧ୍ୟରେ ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ଏହି ସମୟରେ ଅର୍ଥାତ୍ ବିଶେଷକରି ସକାଳ ଏବଂ ସନ୍ଧ୍ୟାରେ ଉପୁଜିଥିବା ସ୍ଥିତିଠାରୁ ଦୂରେଇ ରହିବାକୁ ଏବଂ ମାସ୍କ ପିନ୍ଧିବାକୁ ପରାମର୍ଶ ଦେଉଛନ୍ତି ।
ଅନ୍ୟପଟେ ନୋଏଡା-ଗ୍ରେଟର ନୋଏଡା ଏକ୍ସପ୍ରେସୱେ, ଯମୁନା ଏକ୍ସପ୍ରେସୱେ ଏବଂ ଅନ୍ୟାନ୍ୟ ସହରର ରାସ୍ତର ଅନେକ ସ୍ଥାନର ଦୃଶ୍ୟମାନତା ୫୦ ମିଟରରୁ କମ୍ ହ୍ରାସ ପାଉଛି । ଯାହା ଦ୍ବାରା ଦୁର୍ଘଟଣାର ଆଶଙ୍କା ବୃଦ୍ଧି ପାଉଛି । ପ୍ରଶାସନ ଏବଂ ଟ୍ରାଫିକ୍ ପୋଲିସ ଡ୍ରାଇଭରମାନଙ୍କୁ କୁଗ୍ ଲାଇଟ୍ ବ୍ୟବହାର କରିବାକୁ, ପାଣିପାଗ ଏବଂ ପ୍ରଦୂଷଣ ନିର୍ଦ୍ଦେଶାବଳୀକୁ ପାଳନ କରିବାକୁ ଅନୁରୋଧ କରିଛନ୍ତି । ଏଥିସହିତ ପରିସ୍ଥିତି ଉପରେ ନିରନ୍ତର ନଜର ରଖାଯାଇଛି ବୋଲି ପ୍ରଶାସନ କହିଛି । ଆବଶ୍ୟକ ହେଲେ GRAP ଅନୁସାରେ ମଧ୍ୟ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।