ଜିରୋ ହାର୍ମ ମିଶନ ଲକ୍ଷ୍ୟରେ ବର୍ଷତମାମ ସୁରକ୍ଷା ପ୍ରଶିକ୍ଷଣ ଦେଉଛି ଟିପିଏସ୍ଓଡିଏଲ୍

youtube

  • ୧୮ କେନ୍ଦ୍ରରେ ୪୨ ହଜାରରୁ ଅଧିକ କର୍ମଚାରୀଙ୍କୁ ସୁରକ୍ଷା ତାଲିମ
  • ସୁରକ୍ଷିତ ବିଦ୍ୟୁତ ସେବା ସାଙ୍ଗକୁ ଜିରୋ ହାର୍ମ ସଂସ୍କୃତିକୁ ପ୍ରୋତ୍ସାହନ

ବ୍ରହ୍ମପୁର : ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିଏସ୍ଓଡିଏଲ୍) ନିଜର ସମସ୍ତ କର୍ମଚାରୀମାନଙ୍କୁ ବର୍ଷତମାମ୍ ସୁରକ୍ଷା ତାଲିମ ପ୍ରଦାନ କାର୍ଯ୍ୟକ୍ରମ ଜାରି ରଖିଛି । ଉପଭୋକ୍ତାଙ୍କ ସୁରକ୍ଷାକୁ ପ୍ରାଥମିକତା ଦେଇ କମ୍ପାନୀ ପକ୍ଷରୁ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି । କାର୍ଯ୍ୟକ୍ଷେତ୍ରରେ ସର୍ବଦା ସଜାଗ ରହୁଥିବା କର୍ମଚାରୀମାନଙ୍କୁ ଆହୁରି ଦକ୍ଷ କରିବା ସହ ସୁରକ୍ଷା ଜ୍ଞାନକୌଶଳ ପ୍ରଦାନ କ୍ଷେତ୍ରରେ କମ୍ପାନୀ ନିଜର ପ୍ରତିବଦ୍ଧତାକୁ ଦୋହରାଉଛି । ଏହି ଆଭିମୁଖ୍ୟ ଟିପିଏସ୍ଓଡିଏଲର ଜିରୋ ହାର୍ମ ପଲିସିକୁ ପ୍ରୋତ୍ସାହିତ କରିବା ସହ ନିରାପଦ ତଥା ନିର୍ଭରଯୋଗ୍ୟ ବିଜୁଳି କ୍ଷେତ୍ର ସୃଷ୍ଟି କରିବାରେ ସହାୟକ ହେଉଛି।
 
ସମଗ୍ର ଦକ୍ଷିଣ ଓଡ଼ିଶାରେ ୧୬ଟି ଟିଏସ୍ଏସଡିଆଇ (ଟିପିଏସ୍ଓଡିଏଲ୍ ସୁରକ୍ଷା ଓ ଦକ୍ଷତା ବିକାଶ ପ୍ରତିଷ୍ଠାନ) ଓ ୨ଟି ଅତ୍ୟାଧୁନିକ ଏଚ୍ଓଟିଟି(ହ୍ୟାଣ୍ଡ୍ସ ଅନ୍ ଟେକ୍ନିକାଲ୍ ଟ୍ରେନିଂ ସେଣ୍ଟର) କାର୍ଯ୍ୟକ୍ଷମ ରହିଛି । କର୍ମଚାରୀମାନଙ୍କ ଉଦ୍ଦେଶ୍ୟରେ ଏହା ଏକ ସୁଦୃଢ଼ ତାଲିମ ଇକୋସିଷ୍ଟମ ତିଆରି କରୁଛି । ୨୦୨୫-୨୬, ନଭେମ୍ୱର ମାସ ସୁଦ୍ଧା କମ୍ପାନୀର ନିୟମିତ ଓ ଅନ୍ୟାନ୍ୟ କର୍ମଚାରୀମାନଙ୍କୁ ମିଶାଇ ସମୁଦାୟ ୪୨,୨୩୫ ଜଣଙ୍କୁ ତାଲିମ ଦିଆଯାଇଛି । ଏହା କର୍ମଚାରୀମାନଙ୍କର ଦକ୍ଷତା ବୃଦ୍ଧି କରିବା ସହ ଉପଭୋକ୍ତାଙ୍କ ନିମନ୍ତେ ସୁରକ୍ଷିତ ବିଜୁଳି କ୍ଷେତ୍ର ସୃଷ୍ଟି କରୁଛି । ସଂପ୍ରତି ବ୍ରହ୍ମପୁର ଓ ଫୁଲବାଣୀରେ ଏଚ୍ଓଟିଟି ସେଣ୍ଟର ରହିଥିବା ବେଳେ ଆଗାମୀ ଦିନରେ ଜୟପୁର ଓ ରାୟଗଡ଼ାରେ ମଧ୍ୟ ଏଚଓଟିଟି ସ୍ଥାପନ କରିବା ନେଇ କମ୍ପାନୀ ଲକ୍ଷ୍ୟ ରଖିଛି ।
 
ଟିପିଏସ୍ଓଡିଏଲ୍ ସ୍ୱତନ୍ତ୍ର ତାଲିମ ମଡ୍ୟୁଲଗୁଡ଼ିକ କର୍ମଚାରୀଙ୍କ ମଧ୍ୟରେ ଆତ୍ମବିଶ୍ୱାସ ଭରିବା ସହ ସେମାନଙ୍କୁ ଅଧିକ ଦକ୍ଷ ମାନବସମ୍ୱଳରେ ପରିଣତ କରୁଛି । ବୈଦ୍ୟୁତିକ ନିରାପଦା ସାଙ୍ଗକୁ ବୈଷୟିକ କାର୍ଯ୍ୟକଳାପ, ଆଚରଣଗତ ଦିଗ, ନୈତିକତା ଓ ବ୍ୟାବହାରିକ ଶିକ୍ଷା ଭଳି ବିଷୟକୁ ତାଲିମ ପାଠ୍ୟକ୍ରମରେ ସାମିଲ କରାଯାଇଛି । ସେହିଭଳି ପ୍ରଶିକ୍ଷଣ ଅବଧି ଭିନ୍ନ ଭିନ୍ନ କର୍ମଚାରୀ ଓ ଅଧିକାରୀଙ୍କ ନିମନ୍ତେ ଭିନ୍ନ ଭିନ୍ନ ରଖାଯାଇଛି । ଏହି ସମସ୍ତ ପ୍ରଶିକ୍ଷଣ ମଡ୍ୟୁଲରେ ଉପଭୋକ୍ତାଙ୍କ ସ୍ୱାର୍ଥକୁ ପ୍ରାଥମିକତା ଦିଆଯାଇଛି । ଏହାସହ ପ୍ରଶିକ୍ଷଣରେ ଭର୍ଚୁଆଲ ରିଆଲିଟିର ବ୍ୟବହାର ଓ ବିପଦମୁକ୍ତ କାର୍ଯ୍ୟ କ୍ଷେତ୍ରର ଅନୁଭୂତି ପ୍ରଦାନ ଭଳି ପଦକ୍ଷେପଗୁଡ଼ିକ କର୍ମଚାରୀଙ୍କ ପାଇଁ ତାଲିମ ପ୍ରକ୍ରିୟାକୁ ସହଜ କରିପାରିଛି ।


 
ଏହାସହ, ତାଲିମ କେନ୍ଦ୍ରଗୁଡ଼ିକରେ କର୍ମଚାରୀମାନଙ୍କର ଅଭ୍ୟାସ ନିମନ୍ତେ ସୁରକ୍ଷିତ ବିଜୁଳି ଭିତ୍ତିଭୂମି ରହିଥିବା ବେଳେ ସେଗୁଡ଼ିକ ବାସ୍ତବ କାର୍ଯ୍ୟକ୍ଷେତ୍ରର ଅନୁଭୂତି ପ୍ରଦାନ କରେ । ଯାହା ଫଳରେ କାର୍ଯ୍ୟକ୍ଷେତ୍ର ବାହାରେ ରହି ମଧ୍ୟ ଏକ ବାସ୍ତବ କାର୍ଯ୍ୟକ୍ଷେତ୍ରର ମାହୋଲ ମଧ୍ୟରେ କର୍ମଚାରୀମାନେ ଅଭ୍ୟାସ କରିପାରନ୍ତି। ଅଣକୁଶଳୀ, କୁଶଳୀ ଓ ନିୟମିତ କର୍ମଚାରୀମାନଙ୍କଠାରୁ ଆରମ୍ଭ କରି ସୁପରଭାଇଜର ତଥା ଅଧିକାରୀମାନଙ୍କ ପର୍ଯ୍ୟନ୍ତ, ସମସ୍ତଙ୍କ ପାଇଁ ଭିନ୍ନ ଭିନ୍ନ ପ୍ରକଳ୍ପ ଓ କାର୍ଯ୍ୟକ୍ଷେତ୍ରର ମଡ୍ୟୁଲ ସେଠାରେ ମହଜୁଦ ରହିଛି । ଅଭିଜ୍ଞ ପ୍ରଶିକ୍ଷକ ଓ ବରିଷ୍ଠ ଅଧିକାରୀମାନେ କର୍ମଚାରୀମାନଙ୍କୁ ପ୍ରଶିକ୍ଷଣ ଦେଉଛନ୍ତି ।
 
ଟିପିଏସ୍ଓଡିଏଲ୍ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ଅମିତ କୁମାର ଗର୍ଗ କହିଛନ୍ତି ଯେ, “ ଟିପିଏସ୍ଓଡିଏଲରେ ସୁରକ୍ଷା ହେଉଛି ଏକ ଜୀବନଶୈଳୀ । କର୍ମଚାରୀମାନଙ୍କୁ ସଠିକ ତାଲିମ ପ୍ରଦାନ କରି ଆମେ ଉପଭୋକ୍ତାଙ୍କ ନିମନ୍ତେ ଏକ ସୁରକ୍ଷିତ ଓ ଭରସାଯୋଗ୍ୟ ବିଦ୍ୟୁତ କ୍ଷେତ୍ର ସୃଷ୍ଟି କରୁଛୁ । ସୁରକ୍ଷା ଓ ଟେକ୍ନୋଲୋଜିର ଏକ ଇକୋସିଷ୍ଟମ ତିଆରି କରି, ଟିପିଏସ୍ଓଡିଏଲ୍, ବିଜୁଳି ଯୋଗାଣ କ୍ଷେତ୍ରରେ ଅଧିକ ସୁଦୃଢ଼ ହୋଇପାରିବ ବୋଲି ଆମେ ଆଶା କରୁଛୁ । ଉପଭୋକ୍ତା ଓ କର୍ମଚାରୀଙ୍କ ପାଇଁ ଜିରୋ ହାର୍ମ ପରିବେଶ ସୃଷ୍ଟିକୁ ପ୍ରାଥମିକତା ଦେଇ କମ୍ପାନୀ ନିଜର କାର୍ଯ୍ୟ ଜାରି ରଖିଛି । ଦକ୍ଷିଣ ଓଡ଼ିଶାର ପ୍ରତ୍ୟେକ ଉପଭୋକ୍ତାଙ୍କ ନିମନ୍ତେ ନିର୍ଭରଯୋଗ୍ୟ ବିଦ୍ୟୁତ ସେବା ସୁନିଶ୍ଚିତ କରିବା ନେଇ କମ୍ପାନୀ ପ୍ରତିଶ୍ରୁତିବଦ୍ଧ ଅଟେ । ”
 
ବର୍ଷସାରା କମ୍ପାନୀର ଏହି ନିରନ୍ତର ପ୍ରୟାସ ଏକ ସୁଦକ୍ଷ ଓ ଦାୟିତ୍ୱବାନ ମାନବସମ୍ୱଳ ଗଠନ କରୁଛି । ଟିପିଏସ୍ଓଡିଏଲ୍, ବିଶ୍ୱସ୍ତରୀୟ ତାଲିମ, ଅନୁଶାସନ ଓ ଶିକ୍ଷା ପ୍ରଦାନ କରି, ଉଭୟ ଉପଭୋକ୍ତା ଓ କର୍ମଚାରୀଙ୍କ ନିମନ୍ତେ ସୁରକ୍ଷିତ ବିଦ୍ୟୁତ କ୍ଷେତ୍ର ସୃଷ୍ଟି କରୁଛି ।

Leave A Reply

Your email address will not be published.