ଔଷଧ ଦୋକାନୀଙ୍କୁ ମରଣାନ୍ତକ ଆକ୍ରମଣ: ଟଙ୍କା ସହ ଦୋକାନ ଚାବି ଲୁଟିନେଲେ ଦୁର୍ବୃତ୍ତ 

youtube

ଉମରକୋଟ, ୨୨/୧୨ (ରସିକ ସରକାର): ନବରଙ୍ଗପୁର ଜିଲ୍ଲା ଉମରକୋଟ ଥାନା ଅଞ୍ଚଳରେ ପୁଣି ଥରେ ଆଇନଶୃଙ୍ଖଳା ପରିସ୍ଥିତିକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ସୋମବାର ରାତିରେ ଦୋକାନ ବନ୍ଦ କରି ଘରକୁ ଫେରୁଥିବା ବେଳେ ଜଣେ ଔଷଧ ବ୍ୟବସାୟୀଙ୍କୁ ସଂଘବଦ୍ଧ ଆକ୍ରମଣ କରି ଦୁର୍ବୃତ୍ତମାନେ ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି। ଏହି ଆକ୍ରମଣରେ ବ୍ୟବସାୟୀ ଜଣକ ଗୁରୁତର ଆହତ ହୋଇ ଚିକିତ୍ସିତ ହେଉଛନ୍ତି।

ଆହତ ବ୍ୟବସାୟୀ ହେଲେ ରାଇଘର ବ୍ଲକ କୃଷ୍ଣନଗର ଗ୍ରାମର ମନ୍ତୋଷ ପଲ। ସେ ଉମରକୋଟ ବ୍ଲକ ପୋଡ଼ାଗଡ଼ ଛକ ନିକଟରେ ଏକ ଔଷଧ ଦୋକାନ କରିଥିବା ବେଳେ ଉମରକୋଟ ପୌରପରିଷଦର ଡିଏନକେ ଅଞ୍ଚଳରେ ଭଡ଼ା ଘରେ ରୁହନ୍ତି।

ସୂଚନା ଅନୁଯାୟୀ, ଗତକାଲି ରାତି ପ୍ରାୟ ୮ଟା ୩୦ ମିନିଟ ସମୟରେ ମନ୍ତୋଷ ଦୋକାନ ବନ୍ଦ କରି ବାଇକ୍ ଯୋଗେ ନିଜ ଘରକୁ ଫେରୁଥିଲେ। ଏହି ସମୟରେ ବିଏସପଦର ଗାଁ ନିକଟରେ କିଛି ଅଜଣା ଦୁର୍ବୃତ୍ତ ତାଙ୍କୁ ଅଟକାଇ ଅତର୍କିତ ଆକ୍ରମଣ କରିଥିଲେ। ଦୁର୍ବୃତ୍ତମାନେ ମନ୍ତୋଷଙ୍କୁ ନିର୍ମମ ଭାବେ ମାଡ଼ ମାରିବା ସହ ତାଙ୍କ ପାଖରେ ଥିବା ନଗଦ ୧୦ ହଜାର ଟଙ୍କା ଏବଂ ଦୋକାନ ଚାବି ଛଡ଼ାଇ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ।

ରକ୍ତ ଜୁଡୁବୁଡୁ ଅବସ୍ଥାରେ ରାସ୍ତା କଡ଼ରେ ପଡ଼ିଥିବା ମନ୍ତୋଷ କୌଣସିମତେ ଫୋନ୍ ଯୋଗେ ନିଜ ବନ୍ଧୁମାନଙ୍କୁ ଖବର ଦେଇଥିଲେ। ଖବର ପାଇ ବନ୍ଧୁମାନେ ତୁରନ୍ତ ପହଞ୍ଚି ତାଙ୍କୁ ଉଦ୍ଧାର କରି ପ୍ରଥମେ ଉମରକୋଟ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ତେବେ ସେଠାରେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ହେବାରୁ ଡାକ୍ତର ତାଙ୍କୁ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରିଛନ୍ତି।

ଖବର ପାଇ ଉମରକୋଟ ପୋଲିସ ଡାକ୍ତରଖାନାରେ ପହଞ୍ଚି ଆହତ ବ୍ୟବସାୟୀଙ୍କ ବୟାନ ରେକର୍ଡ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି। ତେବେ ଉମରକୋଟ ଅଞ୍ଚଳରେ ନିୟମିତ ବ୍ୟବଧାନରେ ଚୋରି, ଲୁଟ ଓ ଆକ୍ରମଣ ଭଳି ଘଟଣା ଘଟୁଥିବାରୁ ସାଧାରଣ ଲୋକେ ଓ ବ୍ୟବସାୟୀମାନେ ଭୟଭୀତ ହୋଇପଡ଼ିଛନ୍ତି। ପୋଲିସ ପ୍ରଶାସନ ତୁରନ୍ତ ଅଭିଯୁକ୍ତମାନଙ୍କୁ ଗିରଫ କରିବା ସହ ରାତ୍ରିକାଳୀନ ପେଟ୍ରୋଲିଂ କଡ଼ାକଡ଼ି କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।

Leave A Reply

Your email address will not be published.