
ଉମରକୋଟ: ନବରଙ୍ଗପୁରର କୌଣସି ମଣ୍ଡିରୁ ଏପର୍ଯ୍ୟନ୍ତ ଉଠିନି ଧାନ। ତାତିଲେ ଚାଷୀ । ରାଜରାସ୍ତାରେ ବସିଲେ । ନବରଙ୍ଗପୁର ଜିଲ୍ଲାର ୩ଟି ବ୍ଲକ ତଥା ଉମରକୋଟ, ଝରୀଗାଁ ଓ ରାଇଘର ବ୍ଲକରେ ଚକଅଖ ବନ୍ଦ କଲେ ଚାଷୀ । ଆଜିଠାରୁ ଆସନ୍ତା ୨୯ ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବ ଚକ ଅଖ । ଜିଲ୍ଲାରେ ଏକ ମାସ ବିଳମ୍ବରେ ଅର୍ଥାତ ୧୭ ଡିସେମ୍ବରରେ ଖୋଲିଲା ମଣ୍ଡି । ହେଲେ ଆଜି ପର୍ଯ୍ୟନ୍ତ ଜିଲ୍ଲାର କୌଣସି ମଣ୍ଡିରୁ ଧାନ ଉଠିନଥିବା ଅଭିଯୋଗ ହୋଇଛି। ମିଲରଙ୍କଠାରୁ ସରକାର ଗତବର୍ଷର ଟାର୍ଗେଟ ଚାଉଳ ଉଠାଇ ନାହାନ୍ତି ।
ଏଥିପାଇଁ ମିଲରଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଧାନ ଉଠାଇବା ପାଇଁ ଟାର୍ଗେଟ ମିଳିନି । ଫଳରେ ମଣ୍ଡିରୁ ଧାନ ଉଠୁନାହିଁ । ଏଥିସହ ଚଳିତ ବର୍ଷ ମକା ଦାମ କୁଇଣ୍ଟାଲ ୧୮୦୦ ଟଙ୍କା ରହିଛି । ଗତବର୍ଷ ମକା କୁଇଣ୍ଟାଲ ୨୩୦୦/- ରୁ ୨୪୦୦ ଟଙ୍କା ରହିଥିଲା । ଯାହାକୁ ନେଇ ଚାଷୀ କ୍ଷତି ସହୁଛନ୍ତି । ଧାନ ମଣ୍ଡିକୁ ତୁରନ୍ତ କାର୍ଯ୍ୟକାରୀ କରିବା ସହ ସରକାର ମକାର MSP ଦରରେ ମକା କ୍ରୟ ବୃଦ୍ଧି ପାଇଁ ଦାବି ହୋଇଛି । ତିନୋଟି ବ୍ଲକର କୃଷକ ମହାସଙ୍ଘ ପକ୍ଷରୁ ପୂର୍ବତନ ସାଂସଦ ପ୍ରଦୀପ ମାଝୀଙ୍କ ନେତୃତ୍ୱରେ ଚାଷୀ ମାନେ ଛକ ଛକରେ ରାସ୍ତା ଅବରୋଧ କରି ବସିଛନ୍ତି ।