ଧାନ ମଣ୍ଡୀ ଓ ମକା ମୂଲ୍ୟ ସମସ୍ୟାକୁ ନେଇ ଚାଷୀ ମହାସଂଘର ରାଜରାସ୍ତା ଅବରୋଧ…

youtube


ଉମରକୋଟ, ରାଇଘର ଓ ଝରୀଗାଁରେ ୭ ଦିନିଆ– ଚକ–ଅଖ ବନ୍ଦ
ଉମରକୋଟ :-ନବରଙ୍ଗପୁର ଜିଲ୍ଲାର ଚାଷୀମାନଙ୍କ ଦୀର୍ଘଦିନର ସମସ୍ୟାକୁ ନେଇ ଆଜିଠାରୁ ଜିଲ୍ଲା ଚାଷୀ ମହାସଂଘ ପକ୍ଷରୁ ତୀବ୍ର ଆନ୍ଦୋଳନ ଆରମ୍ଭ ହୋଇଛି। ଉମରକୋଟ, ରାଇଘର ଓ ଝରୀଗାଁ—ଏହି ତିନୋଟି ବ୍ଲକରେ ଆଜିଠାରୁ ୭ ଦିନ ପର୍ଯ୍ୟନ୍ତ ଚକ–ଅଖ ବନ୍ଦ ଘୋଷଣା କରାଯାଇଛି। ଗତ ଶନିବାର ଉମରକୋଟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଚାଷୀ ମହାସଂଘ ପକ୍ଷରୁ ପ୍ରଶାସନ ଓ ସରକାରଙ୍କୁ ଦୁଇ ଦିନର ସମୟ ଦିଆଯାଇଥିଲା। ଏହି ସମୟ ମଧ୍ୟରେ ଯଦି ଚାଷୀଙ୍କ ସମସ୍ୟାର ସମାଧାନ ନ ହୁଏ, ତେବେ ଆନ୍ଦୋଳନକୁ ତୀବ୍ର କରାଯିବ ବୋଲି ପୂର୍ବ ସୂଚନା ଦିଆଯାଇଥିଲା। କିନ୍ତୁ ସରକାର ଓ ପ୍ରଶାସନ ପକ୍ଷରୁ କୌଣସି ଠୋସ ପଦକ୍ଷେପ ନ ନିଆଯାଇଥିବାରୁ ଚାଷୀମାନେ ବାଧ୍ୟ ହୋଇ ଆନ୍ଦୋଳନର ପଥ ଧରିଛନ୍ତି।


ଆଜିଠାରୁ ରାଜରାସ୍ତା ଉପରେ ଧାନ ଓ ମକା ବୋଝେଇ ଗାଡ଼ି ରଖି ସରକାର ଓ ପ୍ରଶାସନ ବିରୋଧରେ ବିକ୍ଷୋଭ କରାଯାଉଥିବା ଦେଖିବାକୁ ମିଳିଛି। ଚାଷୀ ମହାସଂଘର ଅଭିଯୋଗ ଅନୁସାରେ, ସରକାର ବାରମ୍ବାର ପ୍ରତିଶୃତି ଦେଇଥିଲେ ସୁଦ୍ଧା ନବରଙ୍ଗପୁର ଜିଲ୍ଲାରେ ଏପର୍ଯ୍ୟନ୍ତ କେଜିଏ ଧାନ ମଧ୍ୟ ଉଠାଯାଇନାହିଁ।
ଭାରତବର୍ଷରେ ମକା ଚାଷ ପାଇଁ ସୁନାମ ଅର୍ଜନ କରିଥିବା ନବରଙ୍ଗପୁର ଜିଲ୍ଲାରେ ମକାର ନ୍ୟୁନତମ ସମର୍ଥନ ମୂଲ୍ୟ କ୍ଵିଣ୍ଟାଲ ପିଛା ୨୪୦୦ ଟଙ୍କା ଧାର୍ଯ୍ୟ ହୋଇଥିବା ସତ୍ତ୍ୱେ ଚାଷୀମାନେ ୧୭୦୦ ରୁ ୧୮୦୦ ଟଙ୍କାରେ ବିକ୍ରି କରିବାକୁ ବାଧ୍ୟ ହେଉଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ମକା ମିଶନ ଯଥାର୍ଥ ଭାବେ କାର୍ଯ୍ୟକ୍ଷମ ନ ହେବା ମଧ୍ୟ ଚାଷୀ ଅସନ୍ତୋଷର ମୁଖ୍ୟ କାରଣ ହୋଇଛି। ଏହି ସମସ୍ତ ଦାବିକୁ ନେଇ ଆସନ୍ତା ୨୯ ତାରିଖ ପର୍ଯ୍ୟନ୍ତ ଚକ–ଅଖ ବନ୍ଦ ଜାରି ରହିବ ବୋଲି ଚାଷୀ ମହାସଂଘ ଘୋଷଣା କରିଛି। ଆନ୍ଦୋଳନକୁ ସଫଳ କରିବା ପାଇଁ ଲିଫଲେଟ ବଣ୍ଟନ ସହ ଡାକବାଜି ଯନ୍ତ୍ର ମାଧ୍ୟମରେ ଗ୍ରାମାଞ୍ଚଳର ଚାଷୀଙ୍କୁ ଯୋଗଦେବାକୁ ଆହ୍ୱାନ ଦିଆଯାଇଛି। ଚକ–ଅଖ ବନ୍ଦ ହେତୁ ସାଧାରଣ ଜନତା, ବିଶେଷକରି ଦୂର ଦୂରାନ୍ତରୁ ଯାତାୟାତ କରୁଥିବା ଲୋକମାନେ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେଉଥିବା ମଧ୍ୟ ପରିଲକ୍ଷିତ ହେଉଛି।

Leave A Reply

Your email address will not be published.