ରାଇଘର ରାସ୍ତା କଡ଼ରୁ ଅଧାପୋଡ଼ା ମୃତଦେହ ଉଦ୍ଧାର: ହତ୍ୟା ପରେ ପୋଡ଼ି ଦିଆଯାଇଥିବା ସନ୍ଦେହ, ଅଞ୍ଚଳରେ ଚାଞ୍ଚଲ୍ୟ

youtube

ଉମରକୋଟ : ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ଅନ୍ତର୍ଗତ ଜଳଙ୍ଗପାରା ପଞ୍ଚାୟତ ଅଞ୍ଚଳରେ ଆଜି ଏକ ଅଭାବନୀୟ ଘଟଣା ଘଟିଯାଇଛି। ନୂଆଁ ଦାସପୁର ଓ ପୁରାଣା ଦାସପୁର ଗାଁକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତା ପାର୍ଶ୍ୱରୁ ଏକ ଅଧାପୋଡ଼ା ମୃତଦେହ ଉଦ୍ଧାର କରାଯାଇଛି। ଏହି ଘଟଣା ପ୍ରଚାରିତ ହେବା ପରେ ସମଗ୍ର ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି।

ସୂଚନା ଅନୁଯାୟୀ, ଆଜି ସକାଳେ ସ୍ଥାନୀୟ ଲୋକେ ରାସ୍ତା କଡ଼ରେ ନୀଳଗିରି ଗଛର ଛାଲ ଏବଂ କାଠ ଗଦା ହୋଇଥିବା ସ୍ଥାନରେ ନିଆଁ ଲାଗିଥିବାର ଦେଖିବାକୁ ପାଇଥିଲେ। ପାଖକୁ ଯାଇ ଦେଖିବା ବେଳକୁ ସେଠାରେ ଏକ ମୃତଦେହ ଅଧାପୋଡ଼ା ଅବସ୍ଥାରେ ପଡ଼ିଥିଲା। ଲୋକେ ତୁରନ୍ତ ଏ ସମ୍ପର୍କରେ ରାଇଘର ପୋଲିସକୁ ଖବର ଦେଇଥିଲେ।

ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି। ମୃତକଙ୍କ ପରିଚୟ ବର୍ତ୍ତମାନ ସୁଦ୍ଧା ମିଳିପାରି ନାହିଁ। ତେବେ ପାରିପାର୍ଶ୍ୱିକ ସ୍ଥିତିରୁ ଅନୁମାନ କରାଯାଉଛି ଯେ, କେହି ଦୁର୍ବୃତ୍ତ ଅନ୍ୟ କେଉଁଠାରେ ହତ୍ୟା କରିବା ପରେ ପ୍ରମାଣ ନଷ୍ଟ କରିବା ଉଦ୍ଦେଶ୍ୟରେ ମୃତଦେହକୁ ଏଠାକୁ ଆଣି ପୋଡ଼ିବାକୁ ଚେଷ୍ଟା କରିଛନ୍ତି।

ପୋଲିସ ଘଟଣାସ୍ଥଳକୁ ସିଲ୍ କରି ସ୍ଥାନୀୟ ଲୋକଙ୍କୁ ପଚରାଉଚରା କରୁଛି। ସାଇଣ୍ଟିଫିକ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଟିକିନିଖି ଯାଞ୍ଚ କରିବା ପରେ ମୃତ୍ୟୁର ପ୍ରକୃତ କାରଣ ଏବଂ ମୃତକଙ୍କ ପରିଚୟ ସ୍ପଷ୍ଟ ହେବ ବୋଲି ପୋଲିସ ପକ୍ଷରୁ କୁହାଯାଇଛି। ଖବର ଲେଖାହେବା ସୁଦ୍ଧା ସାଇଣ୍ଟିଫିକ ଟିମ୍ ପହଞ୍ଚିନଥିବା ଜଣାପଡ଼ିଛି। ପୋଲିସର ତଦନ୍ତ ଜାରି ରହିଛି।

Leave A Reply

Your email address will not be published.