ଆସିକାକୁ ପୌରପାଳିକା ମାନ୍ୟତାରୁ ବାଦ୍ : ତେଜିଲା ଜନ ଅସନ୍ତୋଷ, ମନ୍ତ୍ରୀଙ୍କୁ ପୂରାଇ ଦିଆଯିବନି ବୋଲି ଚେତାବନୀ

youtube

ବ୍ରହ୍ମପୁର/ଆସିକା: ରାଜ୍ୟ ସରକାର ଗଞ୍ଜାମ ଜିଲ୍ଲାର ଭଞ୍ଜନଗର, କବିସୂର୍ଯ୍ୟନଗର ଓ ପୋଲସରା ବିଜ୍ଞାପିତ ଅଞ୍ଚଳ ପରିଷଦ (NAC)କୁ ପୌରପାଳିକା ଭାବେ ଘୋଷଣା କରିଥିବା ବେଳେ, ସର୍ବପୁରାତନ ସହର ଆସିକାକୁ ଏଥିରୁ ବାଦ୍ ଦିଆଯିବା ଘଟଣାକୁ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ସମସ୍ତ ଭିତ୍ତିଭୂମି ଓ ଯୋଗ୍ୟତା ଥାଇ ମଧ୍ୟ ଆସିକାକୁ ଉପେକ୍ଷା କରାଯାଇଥିବାରୁ ସ୍ଥାନୀୟ ବାସିନ୍ଦା ସରକାରଙ୍କ ଉପରେ କ୍ଷୁବ୍ଧ ହୋଇଛନ୍ତି।

ଏନେଇ ବରିଷ୍ଠ ନେତା ସୂର୍ଯ୍ୟକାନ୍ତ ପରିଡ଼ା ରାଜ୍ୟ ସରକାରଙ୍କୁ କଡ଼ା ଚେତାବନୀ ଦେଇଛନ୍ତି। ସେ କହିଛନ୍ତି ଯେ, ସରକାର ଆସିକା ପ୍ରତି ସାବତ ପୁଅ ଭଳି ଆଚରଣ କରୁଛନ୍ତି। ଯଦି ଆସିକା ସହରକୁ ତୁରନ୍ତ ପୌରପାଳିକାର ମାନ୍ୟତା ଦିଆନଯାଏ, ତେବେ ଆଗାମୀ ଦିନରେ ଆସିକାର ଯୁବଶକ୍ତି ଓ ଜନସାଧାରଣଙ୍କ ସହଯୋଗରେ ରାଜ୍ୟ ମନ୍ତ୍ରିମଣ୍ଡଳର କୌଣସି ମନ୍ତ୍ରୀଙ୍କୁ ସହର ମଧ୍ୟରେ ପ୍ରବେଶ କରିବାକୁ ଦିଆଯିବ ନାହିଁ।

ଶ୍ରୀ ପରିଡ଼ା ଆହୁରି ମଧ୍ୟ କହିଛନ୍ତି ଯେ, ଆସିକାକୁ ‘ଋଷିକୁଲ୍ୟା ଜିଲ୍ଲା’ ଘୋଷଣା କରିବା ସହ ପୌରପାଳିକା କରିବା ପାଇଁ ଦୀର୍ଘ ବର୍ଷ ହେଲା ଦାବି ହୋଇଆସୁଛି। ଯଦି ସ୍ଥାନୀୟ ବିଧାୟକ ସରକାରଙ୍କ ଏହି ପାତରଅନ୍ତର ନୀତି ବିରୋଧରେ ସ୍ୱର ଉତ୍ତୋଳନ କରନ୍ତି, ତେବେ ସମଗ୍ର ଆସିକାବାସୀ ତାଙ୍କ ସହ ଛିଡ଼ା ହେବେ।

ସରକାରଙ୍କ ଏହି ନିଷ୍ପତ୍ତିକୁ ଏକ ବଡ଼ ଭୁଲ ବୋଲି ଦର୍ଶାଇ ଆସିକାର ସବୁ ବର୍ଗର ଜନସାଧାରଣ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଆସନ୍ତା ଦିନରେ ଏହି ଦାବି ପୂରଣ ନହେଲେ ଆନ୍ଦୋଳନ ତୀବ୍ର ହେବାର ଆଶଙ୍କା ରହିଛି।

Leave A Reply

Your email address will not be published.