
କନ୍ଧମାଳ: କନ୍ଧମାଳ ସୀମାରେ ବଡ଼ ଧରଣର ଏନକାଉଣ୍ଟର । ସୁରକ୍ଷାକର୍ମୀଙ୍କ ୨୩ ଟିମ୍ ର ଯୁଗ୍ମ ଅପରେସନରେ ଥରିଲା ମାଓଗଡ଼ । ଟପ୍ ମାଓ ନେତା ଗଣେଶ ଉଇକେ ସମେତ ୪ ମୃତ। ମାଓବାଦୀଙ୍କ କେନ୍ଦ୍ରୀୟ କମିଟି ସଦସ୍ୟ ଏବଂ ଓଡ଼ିଶାରେ ମାଓ ସଂଗଠନ ମୁଖ୍ୟ ଗଣେଶ । ୬୯ ବର୍ଷୀୟ ଗଣେଶଙ୍କ ଘର ତେଲେଙ୍ଗାନାର ନଲଗୋଣ୍ଡା ଜିଲ୍ଲାରେ । ଗଣେଶ ନାଁରେ ଥିଲା ୧.୧ କୋଟି ଟଙ୍କାର ପୁରସ୍କାର । ମୃତ ମାଓବାଦୀଙ୍କ ମଧ୍ୟରେ ୨ ପୁରୁଷ ଓ ୨ ମହିଳା ସୂଚନା ।
ସମସ୍ତେ ମାଓ ପୋଷାକରେ ଥିଲେ । ୩ ମାଓବାଦୀଙ୍କ ପରିଚୟ ଏଯାଏ ମିଳିନାହିଁ । ସେମାନଙ୍କ ପାଖରୁ ୨ଟି ଇନସାସ୍ ରାଇଫଲ୍ ଏବଂ ଗୋଟିଏ ୩୦୩ ରାଇଫଲ୍ ଜବତ ହୋଇଛି। ଆଜି ସକାଳୁ ବିଭିନ୍ନ ସ୍ଥାନରେ ମାଓବାଦୀଙ୍କ ସହ ଗୁଳି ବିନିମୟ ହୋଇଥିଲା । ଗୁଇନ୍ଦା ସୂଚନା ଆଧାରରେ କନ୍ଧମାଳ ଜିଲ୍ଲାର ଚକାପାଦ ଥାନା ଅଞ୍ଚଳ ଏବଂ ଗଞ୍ଜାମର ରମ୍ଭା ଜଙ୍ଗଲ ସୀମାରେ ଏକ ବଡ଼ ଧରଣର ଯୁଗ୍ମ ଅପରେସନ୍ କରାଯାଇଥିଲା । ସମ୍ପୃକ୍ତ ଅଞ୍ଚଳରେ ଏବେ ମଧ୍ୟ ସର୍ଚ୍ଚ ଅପରେସନ୍ ଜାରି ରହିଛି ।