ଚିକିତ୍ସା ନାଁରେ ପ୍ରଥେମ ଲୁଟିଲେ, ଏବେ ତଣ୍ଡ ଗଣିଲେ : ଉପଜିଲ୍ଲାପାଳ ଙ୍କ ହସ୍ତକ୍ଷେପ ପରେ ଟଙ୍କା ଫେରସ୍ତ ପାଇଲେ ରୋଗୀ

ବ୍ରହ୍ମପୁର : ଏମିତି ଏକ ଘଟଣା ଦେଖିବାକୁ ମିଳିଛି ବ୍ରହ୍ମପୁର ସହରରେ। ଗତ ୬ ତାରିଖରେ ଆସିକା ନୂଆଁଗାଁ ର ଗୀତାଞ୍ଜଳି ନାହାକ ତାଙ୍କ ସ୍ୱାମୀଙ୍କ ଦେହ ଖରାପ ହେବାରୁ ବ୍ରହ୍ମପୁର ମେଡ଼ିକାଲ ଆସିଥିଲେ। ତାଙ୍କ ସ୍ୱାମୀ ଯକୃତ ରୋଗରେ ପୀଡିତ ହୋଇଥିବା ବେଳେ ତାଙ୍କର ଚିକିତ୍ସା ପାଇଁ ବ୍ରହ୍ମପୁର ବଡ଼ମେଡ଼ିକାଲ ଆସିଥିଲେ।ତେବେ ଜଣେ ରିକ୍ସା ଚାଳକ ତାଙ୍କୁ ସେଲଟେକ୍ସ ଛକ ଠାରେ ଥିବା ଘରେଇ ହସ୍ପିଟାଲ ନନ୍ଦିଘୋଷକୁ ନେଇ ଯାଇଥିଲେ।ନନ୍ଦିଘୋଷ ମାଲିକ ସେଠାରେ ତାଙ୍କର ସ୍ୱାମୀଙ୍କୁ ଭର୍ତ୍ତି କରିବା ସହିତ ସମ୍ପୂର୍ଣ୍ଣ ସୁସ୍ଥ କରିଦେବେ ବୋଲି ପ୍ରତିଶ୍ରୁତି ଦେଇଥିବା କହିଛନ୍ତି ମହିଳା ଜଣକ।ପରେ ଚିକିତ୍ସା ବାବଦକୁ ପ୍ରାୟ ୬୦ହଜାରରୁ ଅଧିକା ଟଙ୍କା ଲୁଟି ନେଇଥିଲେ ଘରେଇ ହସ୍ପିଟାଲ। କିଛି ଦିନ ଚିକିତ୍ସାପରେ ତାଙ୍କୁ ଘରକୁ ଯିବାକୁ କହିଥିଲେ।ତେବେ ଘରକୁ ଫେରିବା ପରେ ପୁଣି ଗୀତାଙ୍କ ସ୍ୱାମୀର ସ୍ୱାସ୍ଥ୍ୟ ଅବସ୍ଥା ବିଗିଡି ଥିଲା।ସେ ପୁଣି ନନ୍ଦିଘୋଷ ହସ୍ପିଟାଲ କୁ ଗଲା ପରେ ତାଙ୍କୁ ଘଉଡ଼ାଇ ଦେଇଥିଲେ ହସ୍ପିଟାଲ କର୍ତ୍ତୃପକ୍ଷ।ପରେ ସେ ନିଜ ସ୍ୱାମୀଙ୍କୁ ବଡ଼ ମେଡ଼ିକାଲ ରେ ଭର୍ତ୍ତି କରିଥିଲେ।ଗରିବ ପରିବାର ହୋଇଥିବାରୁ ସେ ବାହାରୁ ଆବଶ୍ୟକୀୟ ଇଂଜେକସନ କିଣିବାରେ ବିଫଳ ହୋଇଥିଲେ।ଏନେଇ ମହିଳା ଜଣଙ୍କ ବ୍ରହ୍ମପୁର ଉପଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଥିଲେ। ବ୍ରହ୍ମପୁର ଉପଜିଲ୍ଲାପାଳ ଅବିନାଶ କୁମାର ମହିଳାଙ୍କ ସମସ୍ତ ଅଭିଯୋଗ ଶୁଣିବା ସହିତ ଘରେଇ ହସ୍ପିଟାଲ ମାଲିକଙ୍କୁ ତୁରନ୍ତ ଠକେଇ ନେଇଥିବା ଟଙ୍କା ଫେରେଇବାକୁ ନିର୍ଦ୍ଦେଶ ଦେଇଥିଲେ।ଘରେଇ ନନ୍ଦିଘୋଷ ହସ୍ପିଟାଲ ମାଲିକ ଖର୍ଚ୍ଚର ବାବଦକୁ ଟଙ୍କା ରଖି ବାକି ଟଙ୍କା ଉପଜିଲ୍ଲାପାଳଙ୍କ ଉପସ୍ଥିତ ରେ ମହିଳାଙ୍କୁ ଫେରସ୍ତ କରିଥିଲେ।ତେବେ ଏଭଳି ବହୁତ ଲୋକ ହେଉଛନ୍ତି ଶିକାର, ସରକାର ଙ୍କ ଦ୍ଵାରା ପ୍ରଦାନ ହୋଇଥିବା ସ୍ୱାସ୍ଥ୍ୟ ବୀମା କାର୍ଡ ଥିବା ସତ୍ତ୍ୱେ କିଭଳି ଲୋକଙ୍କ ଠାରୁ ଟଙ୍କା ଲୁଟା ଯାଉଛି ତାହାର ଜ୍ୱଳନ୍ତ ଉଦାହରଣ ହେଉଛି ଏହି ଘଟଣା। ବାରମ୍ବାର ଏ ଭଳି ଘଟଣା ଆଜି ବି ଘଟୁଛି ସେଥିରେ ସନ୍ଧେହ ନାହିଁ। ମାତ୍ର ଅନେକ ଲୋକ ଅଭିଯୋଗ କରିବା ପାଇଁ ଆଗକୁ ଆସିବାକୁ ସକ୍ଷମ ହୋଇପାରୁ ନାହାନ୍ତି। ଯାହାର ଏମିତି କିଛି ଅସାଧୁ ଘରୋଇ ମେଡିକାଲ ବ୍ୟବସାୟୀ ମାନେ ଫାଇଦା ନେଇ ଚିକିତ୍ସା ନାଁରେ ଲୁଟ ଜାରୀ ରଖିଛନ୍ତି। କେବେ ଏ ସବୁ ବାବଦରେ ଉପରେ କଠୋର କାର୍ଯ୍ୟନୁଷ୍ଠାନ ହେବ ସେ ନେଇ ମଧ୍ୟ ପ୍ରଶାସନ ଉପରେ ପ୍ରଶ୍ନ ଉଠିବା ବି ସ୍ୱାଭାବିକ।