ନବରଙ୍ଗପୁରର ଅଜ୍ଞାତ ଐତିହ୍ୟ ‘ରାଣୀ ଗୁମ୍ଫା’: ପାହାଡ଼ କୋଳରେ ଲୁଚିଛି କିମ୍ବଦନ୍ତୀ, ସରକାରୀ ଅବହେଳା ଯୋଗୁଁ ପର୍ଯ୍ୟଟକ ଅସନ୍ତୁଷ୍ଟ

ଉମରକୋଟ/ରାଇଘର : ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ୍ ଅନ୍ତର୍ଗତ ଜୁନାନି ଗ୍ରାମର ପୂର୍ବ ପାର୍ଶ୍ୱରେ ଥିବା ପାହାଡ଼ କୋଳରେ ଅବସ୍ଥିତ ‘ରାଣୀ ଗୁମ୍ଫା’ ଆଜି ମଧ୍ୟ ସ୍ଥାନୀୟ ଲୋକଙ୍କ ଆସ୍ଥା, ବିଶ୍ୱାସ ଓ କିମ୍ବଦନ୍ତୀର ଏକ ଜୀବନ୍ତ ପ୍ରତୀକ ଭାବେ ରହିଛି। ପ୍ରାକୃତିକ ଜଙ୍ଗଲ, ପାହାଡ଼ିଆ ପରିବେଶ ଓ ନିସ୍ତବ୍ଧତା ମଧ୍ୟରେ ଘେରାଯାଇଥିବା ଏହି ଗୁମ୍ଫା ଏହାର ଅଲୌକିକ ଇତିହାସ ପାଇଁ ସ୍ୱତନ୍ତ୍ର ପରିଚୟ ବହନ କରେ। ସ୍ଥାନୀୟ ବୃଦ୍ଧ ସିଆନ-ସିଆଣୀମାନଙ୍କ କହିବା ଅନୁସାରେ, ସନ୍ଧ୍ୟା ପରେ ଏହି ଗୁମ୍ଫା ଏକ ଅଲୌକିକ ଆଭା ଧାରଣ କରିଥାଏ।
ଐତିହାସିକ କିମ୍ବଦନ୍ତୀ ଓ ଲୋକକଥା:
ଲୋକଶ୍ରୁତି ଅନୁଯାୟୀ, ଶତାବ୍ଦୀ ପୂର୍ବେ ଏହି ଅଞ୍ଚଳରେ ଏକ କ୍ଷୁଦ୍ର ରାଜ୍ୟ ଶାସନ କରୁଥିଲେ ଜଣେ ପ୍ରଜାବତ୍ସଳ ରାଜା। ତାଙ୍କର ରାଣୀ ଥିଲେ ଅତ୍ୟନ୍ତ ସାହସୀ ଓ ପ୍ରକୃତିପ୍ରେମୀ। ଥରେ ପଡ଼ୋଶୀ ଶକ୍ତିଶାଳୀ ରାଜ୍ୟ ସହ ଯୁଦ୍ଧ ହେବା ସମୟରେ, ରାଜା ଯୁଦ୍ଧକ୍ଷେତ୍ରକୁ ଯାଇଥିଲେ। ସେହି ସମୟରେ ଶତ୍ରୁମାନଙ୍କ କବଳରୁ ନିଜକୁ ଏବଂ ରାଜବଂଶର ଗୁପ୍ତତାକୁ ରକ୍ଷା କରିବା ପାଇଁ ରାଣୀ ଏହି ପାହାଡ଼ର ଗୁମ୍ଫାରେ ଆଶ୍ରୟ ନେଇଥିଲେ। ସ୍ଥାନୀୟ ଜନଜାତି ସମ୍ପ୍ରଦାୟର ଲୋକେ ରାଣୀଙ୍କୁ ସୁରକ୍ଷା ଦେଇଥିଲେ ଏବଂ ଗୁମ୍ଫାର ମୁହଁକୁ ଲତାପତା ଓ ଜଙ୍ଗଲି ଗଛରେ ଢାକି ଏହାକୁ ଏକ ଅଭେଦ୍ୟ ଦୁର୍ଗରେ ପରିଣତ କରିଥିଲେ।

ଆଜି ମଧ୍ୟ ଗୁମ୍ଫା ଭିତରେ ପଥର ଉପରେ ହାତର ଛାପ, ଦୀପ ରଖିବା ପାଇଁ ଖୋଦିତ ସ୍ଥାନ ଓ ପାଣି ସଂଗ୍ରହର ଚିହ୍ନ ଦେଖିବାକୁ ମିଳେ। ସ୍ଥାନୀୟ ଲୋକଙ୍କ ବିଶ୍ୱାସ ଯେ, ପୂର୍ଣ୍ଣିମା ରାତିରେ ଏବେ ମଧ୍ୟ ଗୁମ୍ଫା ଭିତରୁ ହାଲୁକା ଆଲୋକ ଦୃଶ୍ୟମାନ ହୁଏ, ଯେମିତି କେହି ଜଣେ ଆଜି ବି ସେଠାରେ ଦୀପ ଜଳାଇ ପ୍ରାର୍ଥନା କରୁଛି।
ଅବହେଳିତ ପର୍ଯ୍ୟଟନ ସ୍ଥଳୀ:
ରାୟଘର ଠାରୁ ପ୍ରାୟ ୯ କିଲୋମିଟର ଦୂରରେ ଥିବା ଏହି ମନୋରମ ସ୍ଥାନକୁ ଦେଖିବା ପାଇଁ ଅନେକ ପର୍ଯ୍ୟଟକଙ୍କ ଆଗମନ ହେଉଛି। ଓଡ଼ିଶା ସରକାରଙ୍କ ତରଫରୁ ଗୁମ୍ଫାକୁ ଯିବା ପାଇଁ ସିଢ଼ି ନିର୍ମାଣ କରାଯାଇଛି ଏବଂ ପାହାଡ଼ ପାଦଦେଶରେ ଏକ ପର୍ଯ୍ୟଟକ ଭବନ ମଧ୍ୟ ତିଆରି ହୋଇଛି। କିନ୍ତୁ ବିଡ଼ମ୍ବନାର ବିଷୟ, ଏହି ଭବନଟି ଦୀର୍ଘ ଦିନ ଧରି ଅବ୍ୟବହୃତ ଅବସ୍ଥାରେ ପଡ଼ିରହି ଭୂତକୋଠି ସଦୃଶ ହୋଇଗଲାଣି।
ପାନୀୟ ଜଳର ସମସ୍ୟା:
ଜଙ୍ଗଲ ଘେରା ଏହି ପର୍ଯ୍ୟଟନ ସ୍ଥଳୀକୁ ଆସୁଥିବା ପର୍ଯ୍ୟଟକମାନେ ପାନୀୟ ଜଳର ସୁବିଧା ନଥିବାରୁ ଘୋର ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏତେ ବଡ଼ ପର୍ଯ୍ୟଟନ ପ୍ରକଳ୍ପ ହୋଇଥିଲେ ମଧ୍ୟ ସେଠାରେ ଗୋଟିଏ ହେଲେ ନଳକୂପ ବା ପାଣିର ବ୍ୟବସ୍ଥା ନାହିଁ। ଯଦି ସରକାର ଏଠାରେ ପାନୀୟ ଜଳର ସୁବିଧା କରିବା ସହ ପର୍ଯ୍ୟଟକ ଭବନଟିକୁ କାର୍ଯ୍ୟକ୍ଷମ କରନ୍ତୁ, ତେବେ ‘ରାଣୀ ଗୁମ୍ଫା’ ଜିଲ୍ଲାର ଏକ ପ୍ରମୁଖ ଆକର୍ଷଣୀୟ ପର୍ଯ୍ୟଟନ ସ୍ଥଳୀ ଭାବେ ଉଭା ହୋଇପାରନ୍ତା।
ଉମରକୋଟରୁ ରସିକ ସରକାରଙ୍କ ରିପୋର୍ଟ।