
ଉମରକୋଟ : ନବରଙ୍ଗପୁର ଜିଲ୍ଲାର ଚନ୍ଦାହାଣ୍ଡି ବ୍ଲକ ଅନ୍ତର୍ଗତ ଧୋଡ଼ିପାଣି ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ରଘୁମଣୀ ଯାନୀଙ୍କ ବଦଳି ରାଇଘର ବ୍ଲକ ଅନ୍ତର୍ଗତ ନୁଆଁପାରା ସରକାରୀ ବିଦ୍ୟାଳୟକୁ ହୋଇଥିବା ଖବର ସମଗ୍ର ଅଞ୍ଚଳରେ ଗଭୀର ଭାବାବେଗ ସୃଷ୍ଟି କରିଛି।
ଶ୍ରୀଯୁକ୍ତ ଯାନୀ ୨୦୧୯ ମସିହାରେ ଧୋଡ଼ିପାଣି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ଭାବେ ଯୋଗଦେଇ ପ୍ରାୟ ଛଅ ବର୍ଷ ଧରି ନିଷ୍ଠା, ସତତା ଓ କର୍ତ୍ତବ୍ୟନିଷ୍ଠାର ସହିତ ନିଜ କାର୍ଯ୍ୟଦାୟିତ୍ୱ ପାଳନ କରିଆସୁଥିଲେ। ତାଙ୍କର କାର୍ଯ୍ୟକାଳରେ ବିଦ୍ୟାଳୟର ସାର୍ବିକ ଉନ୍ନତି ସହ ଶିକ୍ଷାର ଗୁଣମାନ ବୃଦ୍ଧି ପାଇଥିବା ସହ ଅନେକ ଉନ୍ନତିମୂଳକ କାର୍ଯ୍ୟ ସଫଳତାର ସହିତ ସମ୍ପନ୍ନ ହୋଇଥିଲା।
ଜଣେ ମେଳାପୀ, ପରୋପକାରୀ ଓ ଛାତ୍ରବତ୍ସଳ ଶିକ୍ଷକ ଭାବେ ଶ୍ରୀଯୁକ୍ତ ଯାନୀ ଛାତ୍ରଛାତ୍ରୀମାନଙ୍କ ମନରେ ଏକ ଅଲଗା ସ୍ଥାନ ଅଧିକାର କରିଥିଲେ। ସେ ଛାତ୍ରଛାତ୍ରୀମାନଙ୍କୁ ଅମାପ ସ୍ନେହ ଓ ଆଦର ପ୍ରଦାନ କରିବା ସହିତ ଅଭିଭାବକ, ସହଯୋଗୀ ଶିକ୍ଷକ–ଶିକ୍ଷୟିତ୍ରୀ ଏବଂ ବିଦ୍ୟାଳୟର ଅନ୍ୟାନ୍ୟ କର୍ମଚାରୀମାନଙ୍କ ସହ ଘନିଷ୍ଠ ସମ୍ପର୍କ ରଖି ସମସ୍ତଙ୍କର ହୃଦୟ ଜିତିନେଇଥିଲେ।
ତାଙ୍କର ବଦଳି ସୂଚନା ପାଇବା ପରେ ବିଦ୍ୟାଳୟ ପରିସରରେ ଏକ ଶୂନ୍ୟତାର ଭାବ ପ୍ରକାଶ ପାଇଛି। ଛାତ୍ରଛାତ୍ରୀ, ଅଭିଭାବକମାନେ ମର୍ମାହତ ହୋଇପଡ଼ିଥିବା ବେଳେ ବିଦ୍ୟାଳୟର ଶିକ୍ଷକ–ଶିକ୍ଷୟିତ୍ରୀ ଓ କର୍ମଚାରୀମାନେ ଛଳଛଳ ଆଖିରେ ତାଙ୍କୁ ବିଦାୟ ଜଣାଇଛନ୍ତି। ଅଞ୍ଚଳର ବୁଦ୍ଧିଜୀବୀ, ଜ୍ଞାନୀଗୁଣି ଓ ସ୍ଥାନୀୟ ବ୍ୟକ୍ତିବିଶେଷମାନେ ମଧ୍ୟ ଏହି ବଦଳିକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି। ବିଦାୟ ସମୟରେ ସମସ୍ତେ ଶ୍ରୀଯୁକ୍ତ ରଘୁମଣୀ ଯାନୀଙ୍କ ଉଜ୍ୱଳ ଭବିଷ୍ୟତ, ସୁସ୍ୱାସ୍ଥ୍ୟ ଓ ନୂତନ କାର୍ଯ୍ୟସ୍ଥଳରେ ସଫଳତା କାମନା କରିଛନ୍ତି ।