
ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଜନ୍ମଦିନର ଶୁଭେଛା ଜଣାଇ ସୋସିଆଲ ମିଡିଆ X ରେ ଲେଖିଛନ୍ତି ”ଓଡ଼ିଶାର ପରିଶ୍ରମୀ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଜୀଙ୍କୁ ଜନ୍ମଦିନର ଅନେକ ଅନେକ ଶୁଭେଚ୍ଛା । ଓଡ଼ିଶାର ବିକାଶର ଗତିକୁ ଆଗକୁ ବଢ଼ାଇବା ଏବଂ ରାଜ୍ୟର ଯୁବପିଢ଼ିଙ୍କୁ ସଶକ୍ତ କରିବା ପାଇଁ ସେ ଉଲ୍ଲେଖନୀୟ ପ୍ରୟାସ କରିଛନ୍ତି । ଜନସାଧାରଣଙ୍କ ସେବା ପାଇଁ ତାଙ୍କର ଦୀର୍ଘ ଓ ସୁସ୍ଥ ଜୀବନ କାମନା କରି ମୁଁ ପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରୁଛି ।
“ଜନ୍ମଦିନ ବାର୍ତ୍ତାରୁ ମିଳିଲା ବଡ଼ ସଂକେତ । ମୋହନ ମାଝୀଙ୍କ ଉପରେ ମୋଦୀଙ୍କ ଭରସା । ମୋହନ ମାଝୀଙ୍କୁ ମିଳିଲା ବଡ଼ ରାଜନୈତିକ ସମର୍ଥନ । ଓଡ଼ିଶା ରାଜନୀତିରେ ମୁଖ୍ୟମନ୍ତ୍ରୀଙ୍କ ଦବଦବା ବଢ଼ିଲା! । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଦେଇଥିବା ଜନ୍ମଦିନ ଶୁଭେଚ୍ଛା ବାର୍ତ୍ତା କେବଳ ଏକ ଔପଚାରିକତା ନୁହେଁ, ବରଂ ଏହା ଏକ ଶକ୍ତିଶାଳୀ ରାଜନୈତିକ ସମର୍ଥନ ଭାବେ ଦେଖାଯାଉଛି । ଏହା ରାଜ୍ୟ ବିଜେପି ମଧ୍ୟରେ ମୁଖ୍ୟମନ୍ତ୍ରୀଙ୍କ ସ୍ଥିତିକୁ ଅଧିକ ଦୃଢ଼ କରିଛି ଏବଂ ଓଡ଼ିଶା ଶାସନରେ ତାଙ୍କର ଗୁରୁତ୍ୱକୁ ଦର୍ଶାଉଛି ।
ପ୍ରଧାନମନ୍ତ୍ରୀ ମୁଖ୍ୟମନ୍ତ୍ରୀଙ୍କୁ “ପରିଶ୍ରମୀ” କହିବା ସହ ଓଡ଼ିଶାର ବିକାଶ ଏବଂ ଯୁବପିଢ଼ିଙ୍କ ସଶକ୍ତୀକରଣ ପାଇଁ ତାଙ୍କର “ଉଲ୍ଲେଖନୀୟ ପ୍ରୟାସ”କୁ ପ୍ରଶଂସା କରିଛନ୍ତି । ଏହା ମାଧ୍ୟମରେ ପ୍ରଧାନମନ୍ତ୍ରୀ ଗତ ୧୮ ମାସ ମଧ୍ୟରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟଦକ୍ଷତାକୁ ସର୍ବସାଧାରଣରେ ସ୍ୱୀକୃତି ପ୍ରଦାନ କରିଛନ୍ତି । ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା ମୋହନ ମାଝୀଙ୍କ ନେତୃତ୍ୱ ଏବଂ ଭାବମୂର୍ତ୍ତିକୁ ଆହୁରି ଉଜ୍ଜ୍ୱଳ କରିଛି । ଏହା ସ୍ପଷ୍ଟ ସଂକେତ ଦେଉଛି ଯେ ମୁଖ୍ୟମନ୍ତ୍ରୀଙ୍କୁ କେନ୍ଦ୍ରୀୟ ନେତୃତ୍ୱର ସମ୍ପୂର୍ଣ୍ଣ ସହଯୋଗ ମିଳୁଛି । ଏହି ବାର୍ତ୍ତା ରାଜ୍ୟ ବିଜେପି ସଂଗଠନ ମଧ୍ୟରେ ମୁଖ୍ୟମନ୍ତ୍ରୀଙ୍କ ଗ୍ରହଣୀୟତା ଓ ପ୍ରଭାବକୁ ଆହୁରି ବଢ଼ାଇବାରେ ସାହାଯ୍ୟ କରିବ । ମୋଟାମୋଟି ଭାବେ, ପ୍ରଧାନମନ୍ତ୍ରୀଙ୍କ ଏହି ପ୍ରଶଂସା ମୋହନ ମାଝୀଙ୍କ ଲୋକପ୍ରିୟତା ଏବଂ ତାଙ୍କର ରାଜନୈତିକ କ୍ଷମତାକୁ ବହୁଗୁଣିତ କରିବ ।