
ନବରଙ୍ଗପୁର: ବାପାଙ୍କୁ ମୁଖାଗ୍ନି ଦେଲେ ଝିଅ । ଶ୍ମଶାନରେ ମୁଖାଗ୍ନି ଦେଇ ବାପାଙ୍କ ଶେଷ ଇଚ୍ଛା ପୂରଣ କଲେ। ନବରଙ୍ଗପୁର ଜିଲ୍ଲାର ବିଜେପି ଦଳର ପ୍ରତିଷ୍ଠାତା ଗଙ୍ଗାଧର ସାମନ୍ତରାୟଙ୍କ ମୃତ୍ୟୁ ପରେ ଝିଅ ସ୍ବାଗତିକା ସାମନ୍ତରାୟ ମୁଖାଗ୍ନି ଦେଇ ସମସ୍ତଙ୍କ ପାଇଁ ଏକ ଉଦାହରଣ ପାଲଟିଛନ୍ତି । ବଡ଼ ବଡ଼ ସହରରେ ଏହା ଏକ ସାଧାରଣ ଦୃଶ୍ୟ ହୋଇଥିଲେ ମଧ୍ୟ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଏଭଳି ଦୃଶ୍ୟ ବହୁତ କମ୍ ଦେଖିବାକୁ ମିଳିଥାଏ ।
ସମାଜର ପ୍ରତ୍ୟାଖନ ଭୟରେ କେହି ଝିଅ ଏଭଳି ସାହସ କରନ୍ତିନି । ଏବେ ନବରଙ୍ଗପୁରରେ ଏହି ଘଟଣାଟି ସମସ୍ତଙ୍କ ପାଇଁ ଉଦାହରଣ ପାଲଟିଛି । ଘରେ କେହି ଭାଇ ନଥିବା ଯୋଗୁଁ ସାନ ଝିଅ ସ୍ଵାଗତିକା ସାମନ୍ତରାୟ ବାପା ସ୍ବର୍ଗତ ସାମନ୍ତରାୟଙ୍କ ମୃତ୍ୟୁ ପରେ ମୁଖାଗ୍ନି ଦେଇଛନ୍ତି । ଗଙ୍ଗାଧର ସାମନ୍ତରାୟ ନବରଙ୍ଗପୁର ଜିଲ୍ଲାର ବିଜେପି ଦଳର ପ୍ରତିଷ୍ଠାତା ଥିଲେ ।
ସେ ପୂର୍ବତନ ଜିଲ୍ଲା ବିଜେପି ସଭାପତି ଓ ପୂର୍ବତନ ବିଧାୟକ ପ୍ରାର୍ଥୀ ଭାବେ ବେଶ ଜଣାଶୁଣା ଥିଲେ । ବିଭିନ୍ନ ସଂସ୍ଥା ସହ ଜଡ଼ିତ ରହି ସମାଜର କୁସଂସ୍କାର ଦୂରେଇବା ସକାଶେ ସେ ଅନେକ କାର୍ଯ୍ୟ କରିଛନ୍ତି । ପୁଅ ଝିଅ ମଧ୍ୟରେ ଅନ୍ତର ଦେଖୁ ନଥିଲେ ସ୍ବର୍ଗତ ସାମନ୍ତରାୟ । ଏଥିପାଇଁ ତାଙ୍କ ମୃତ୍ୟୁ ପରେ ତାଙ୍କ ଝିଅ ମୁଖାଗ୍ନି ଦେବାକୁ ସେ ପରିବାରକୁ ଜଣାଇଥିଲେ । ବାପାଙ୍କ ଇଚ୍ଛାକୁ ପୂରଣ କରିବା ସହ ସମାଜକୁ ସଂସ୍କାରର ବାର୍ତ୍ତା ଦେଇଛନ୍ତି ଝିଅ ସ୍ବାଗତିକା ସାମନ୍ତରାୟ । ତାଙ୍କର ମୃତ୍ୟୁର ଖବରପାଇ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ, ନବରଙ୍ଗପୁର ସାଂସଦ ବଳଭଦ୍ର ମାଝୀ, ନବରଙ୍ଗପୁର ବିଧାୟକ ଗୌରୀ ଶଙ୍କର ମାଝୀଙ୍କ ସମେତ ବିଜେପିର ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ସ୍ବର୍ଗତ ସାମନ୍ତରାୟଙ୍କ ଶେଷ ଦର୍ଶନ କରିଥିଲେ ।