
ପ୍ରଜାନୁବତ୍ସଳ ରାଜା ରାମଚନ୍ଦ୍ର ଓଡିଶା ଜନମାନସରେ ସଦା ସ୍ମରଣୀୟ ହୋଇ ରହିବେ – ମୁଖ୍ୟ ଅତିଥି
ଛତ୍ରପୁର : ଆଧୁନିକ ଓଡିଶାର ଅନ୍ୟତମ ନିର୍ମାତା ତଥା ରାଜା ବାହାଦୂର ରାମଚନ୍ଦ୍ର ମର୍ଦ୍ଦରାଜ ଦେଓଙ୍କ ୧୨୬ତମ ଜନ୍ମ ଜୟନ୍ତୀ ଗଞ୍ଜାମ ଜିଲ୍ଲା ସଦର ମହକୁମା ଛତ୍ରପୁର ଠାରେ ମହା ଆଡମ୍ବରରେ ପାଳନ କରାଯାଇଛି । ପ୍ରାରମ୍ଭରେ ପ୍ରଦୀପ ପ୍ରଜ୍ଜଳନ ପୂର୍ବକ ଅତିଥିମାନେ ରାଜା ରାମଚନ୍ଦ୍ରଙ୍କ ତୈଳଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଥିଲେ । ଏହି ଅବସରରେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସୌରଭ ପ୍ରଧାନ ସମସ୍ତଙ୍କୁ ସ୍ବାଗତ କରିବା ସହ ରାମଚନ୍ଦ୍ର ମର୍ଦ୍ଦରାଜଙ୍କ ଉପରେ ପ୍ରାରମ୍ଭିକ ସୂଚନାରେ ରାଜା ରାମଚନ୍ଦ୍ର ଜଣେ ଅତ୍ୟନ୍ତ ପ୍ରଜାନୁବତ୍ସଳ ଓ ପ୍ରଗତିଶୀଳ ଚିନ୍ତାଧାରାର ବ୍ଯକ୍ତିତ୍ବ ଥିଲେ । ତାଙ୍କର ଗଞ୍ଜାମ ଏବଂ ଓଡିଶା ପାଇଁ ଅବଦାନ ସବୁଦିନ ପାଇଁ ସ୍ବର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇ ରହିବ ।
ପୂର୍ବତନ ବିଧାୟକ ଅଶୋକ କୁମାର ଚୌଧୁରୀ ମୁଖ୍ୟଅତିଥି ଭାବେ ଯୋଗଦେଇ ତାଙ୍କ ବକ୍ତବ୍ୟରେ କହିଥିଲେଯେ, ୧୯୨୧ ମସିହାରେ ରାଜା ରାମଚନ୍ଦ୍ର ମର୍ଦ୍ଦରାଜ ଖଲ୍ଲିକୋଟ ପ୍ରତ୍ୟାବର୍ତ୍ତନ କରି ରାଜ୍ୟଭାର ଗ୍ରହଣ କରିଥିଲେ । ୧୯୨୩ ମସିହାରେ ତତ୍କାଳୀନ ମାନ୍ଦ୍ରାଜ ଲୋକସଭାର ସଦସ୍ୟ ହେଲେ ଏବଂ ଅବହେଳିତ ଓଡିଶାବାସୀଙ୍କ ଉନ୍ନତିମୂଳକ କାର୍ଯ୍ୟରେ ମନୋନିବେଶ କଲେ । ସ୍ବତନ୍ତ୍ର ଓଡିଶା ପ୍ରଦେଶ ଗଠନ ପାଇଁ ସେ ମନ ପ୍ରାଣ ଢାଳିଦେଇଥିଲେ । ମରୁଡି ମୁକାବିଲା, ଜଳସେଚନ ନିମନ୍ତେ ବନ୍ଧବାଡର ବ୍ୟବସ୍ଥା, ଗମନାଗମନ ନିମନ୍ତେ ଅନେକ ପୋଲ ସେ ନିର୍ମାଣ କରାଇଥିଲେ । ୧୯୩୧ ମସିହାରେ ଓଡିଶା ସୀମା ନିର୍ଦ୍ଧାରଣ ପାଇଁ ସାର୍ ସାମୁଏଲ୍ ଓଡୋନେଲଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ ହୋଇଥିଲା । ରାଜା ରାମଚନ୍ଦ୍ର ମର୍ଦ୍ଦରାଜ ୧୯୩୨ ମସିହାରେ ତୃତୀୟ ଗୋଲଟେବୁଲ୍ ବୈଠକରେ ଯୋଗଦାନ କରି ଓଡୋନେଲ କମିଟି ସୁପାରିଶ୍ ଅସମିଚୀନ ଓ ଅଟଲୀ ସବ୍ କମିଟିର ସୁପାରିଶ୍ ଯଥାର୍ଥ ବୋଲି ଯୁକ୍ତି ଉପସ୍ଥାପନ ପୂର୍ବକ ସ୍ବତନ୍ତ୍ର ଓଡିଶା ପ୍ରଦେଶ ଗଠନ ହେଉ ବୋଲି ଦାବୀ ଉପସ୍ଥାପନ କରିଥିଲେ । ସ୍ବତନ୍ତ୍ର ଉତ୍କଳ ପ୍ରଦେଶ ଗଠନରେ ତାଙ୍କର ଭୂମିକା ଅତ୍ୟନ୍ତ ମହତ୍ତ୍ବପୂର୍ଣ୍ଣ ଥିଲା । ଓଡିଶାର ଏହି ମହାନ ବରପୁତ୍ର ଜନକଲ୍ୟାଣ ପାଇଁ କରିଥିବା ଅନେକ କାର୍ଯ୍ୟ ପାଇଁ ଓଡିଶାବାସୀଙ୍କ ଜନମାନସରେ ସଦା ସ୍ମରଣୀୟ ହୋଇ ରହିଛନ୍ତି ବୋଲି ତାଙ୍କ ବକ୍ତବ୍ୟରେ କହିଥିଲେ ।
ଖଲ୍ଲିକୋଟ ବିଦ୍ୟାଳୟ ଓ ମହା ବିଦ୍ୟାଳୟକୁ ନିଜ ନାମରେ ନାମିତ ନ କରି ଖଲ୍ଲିକୋଟ ନାମରେ ନାମିତ କରିବାକୁ ପ୍ରବର୍ତ୍ତାଇ ଥିଲେ । ଏଥିରୁ ରାଜାଙ୍କ ମହାନତା ସମ୍ପର୍କରେ ସମସ୍ତେ ଅବଗତ ହେବା ଆଜିର ଦିନରେ ଆବଶ୍ୟକତା ରହିଛି ବୋଲି ସମ୍ମାନୀତ ଅତିଥି ଭାବେ ଯୋଗଦେଇ ପ୍ରାକ୍ତନ ପ୍ରଧାନ ଶିକ୍ଷକ ଏ ବିଶ୍ବମ୍ଭର କହିଥିଲେ ।
ମୁଖ୍ୟ ବକ୍ତା ଭାବେ ବରିଷ୍ଠ ସାମ୍ବାଦିକ ଡ. ଭି ରାଜେନ୍ଦ୍ର ରାଜୁ ଯୋଗଦେଇ କହିଥିଲେ ଯେ, ରାଜା ରାମଚନ୍ଦ୍ର ମର୍ଦ୍ଦରାଜ କେବଳ ଦକ୍ଷିଣ ଓଡିଶା ବା ନିଜ ରାଜ୍ଯ ନୁହେଁ ସେ ପଡୋଶୀ ରାଜ୍ଯର ଉନ୍ନତି କଥା ମଧ୍ଯ ଚିନ୍ତା କରିଥିଲେ । ତାଙ୍କ ଭଳି ପ୍ରଜା ମଙ୍ଗଳକାରୀ ରାଜା ଇତିହାସରେ ବିରଳ । ଗମନାଗମନ ନିମନ୍ତେ ବାହୁଦା, ଋଷିକୂଲ୍ଯା, ନାଗାବଳୀ, ବଂଶଧାରା ନଦୀ ଉପରେ ଅନେକ ପୋଲ ନିର୍ମାଣ କରାଇଥିଲେ । ତେଣୁ ତାଙ୍କୁ ବ୍ରିଜ୍ ପ୍ରେସିଡେଣ୍ଟ ବୋଲି ମଧ୍ଯ କୁହାଯାଏ । ଓଡିଶାର ଶିକ୍ଷା, ସଂସ୍କୃତିକୁ ଆଗେଇ ନେବା ସହ ଓଡିଆ ଭାଷା ଆନ୍ଦୋଳନରେ ସାମିଲ ହୋଇ ସ୍ବତନ୍ତ୍ର ଓଡିଶା ପ୍ରଦେଶ ଗଠନ ପାଇଁ ଗୋଲ ଟେବୁଲ୍ ବୈଠକରେ ଦୃଢ ଦାବୀ ଉପସ୍ଥାପନ କରିଥିଲେ । ତାଙ୍କ ମହାନତାକୁ ଓଡିଆ ଜାତି ସବୁଦିନ ମନେ ରଖିବ । ଏହି ଉପଲକ୍ଷେ ପୂର୍ବରୁ ଅନୁଷ୍ଠିତ ଉଚ୍ଚ ବିଦ୍ୟାଳୟ, ଉଚ୍ଚ ମାଧ୍ଯମିକ ବିଦ୍ଯାଳୟ ଓ ମହା ବିଦ୍ୟାଳୟ ସ୍ତରୀୟ ଓଡିଆ ବକ୍ତୃତା ଓ ଓଡିଆ ପ୍ରବନ୍ଧ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ । ପରିଶେଷରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀ ପ୍ରଧାନ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।