
ଛତ୍ରପୁର : ଗ୍ରାମାଞ୍ଚଳରେ ଯୁବପିଢ଼ିଙ୍କ ମଧ୍ୟରେ କ୍ରିଡାର ପ୍ରତିଭାକୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ଗୋପାଳପୁର ବନ୍ଦରର ପାର୍ଶ୍ଵବର୍ତୀ ଗ୍ରାମଗୁଡିକର ଯୁବକମାନଙ୍କୁ ନେଇ ଆଦାନୀ ଫାଉଣ୍ଡେସନ ପକ୍ଷରୁ ଏକ ଆନ୍ତଃଗ୍ରାମ କ୍ରିକେଟ ଟୁର୍ଣ୍ଣାମେଣ୍ଟ କାଳିପଲ୍ଲି ପଞ୍ଚାୟତସ୍ଥିତ ବନ୍ଦରଗାଁ ଖେଳ ପଡିଆଠାରେ ଆୟୋଜନ କରାଯାଇଛି । ଆଜିର ଉଦଘାଟନୀ ମ୍ୟାଚରେ ଛତ୍ରପୁର ବିଧାୟକ ଶ୍ରୀ କୃଷ୍ଣ ଚନ୍ଦ୍ର ନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଫିତା କାଟିବା ସହ ନଡ଼ିଆ ଭାଙ୍ଗି ପାରମ୍ପରିକ ଶୈଳୀରେ ଏହି ଟୁର୍ଣ୍ଣାମେଣ୍ଟକୁ ଔପଚାରିକ ଭାବେ ଶୁଭାରମ୍ଭ କରିଥିଲେ। ଏହି ଅବସରରେ ଗୋପାଳପୁର ବନ୍ଦରର ବ୍ୟବସାୟ ମୁଖ୍ୟ, ଶ୍ରୀ ପ୍ରଶାନ୍ତ ପାତ୍ର, ଶିଳ୍ପ ସମ୍ପର୍କ ମୁଖ୍ୟ ଶ୍ରୀ ଭକ୍ତବନ୍ଧୁ ଶତପଥୀ ଓ ସିଏସଆର୍ ମୁଖ୍ୟ ଶ୍ରୀ ଦେବଦତ୍ତ ମିଶ୍ରଙ୍କ ସହ ସ୍ଥାନୀୟ ଅଞ୍ଚଳର ବହୁ ଯୁବପିଢି, ଛାତ୍ରଛାତ୍ରୀ ଓ ଭଦ୍ରବ୍ୟକ୍ତି ଉପସ୍ଥିତ ଥିଲେ।
ଗୋପାଳପୁର ବନ୍ଦରର ପାର୍ଶ୍ଵବର୍ତୀ ମୋଟ ଛଅଗୋଟି ପଞ୍ଚାୟତ ଯଥା ଆର୍ୟପଲ୍ଲୀ, କଣମଣା, ଶ୍ରୀରାମଚନ୍ଦ୍ରପୁର, କାଳିପଲ୍ଲି, ଚମାଖଣ୍ଡି ଓ ଅଗସ୍ତି ନୂଆଗାଁର ମୋଟ ଆଠଟି ଦଳ ଏହି ଟୁର୍ଣ୍ଣାମେଣ୍ଟରେ ଭାଗ ନେଇଛନ୍ତି। ସମସ୍ତ ମ୍ୟାଚ୍ ୧୨ ଓଭର ବିଶିଷ୍ଟ ଖେଳାଯିବ। ଫାଇନାଲ୍ ସହିତ ସମୁଦାୟ ସାତଟି ମ୍ୟାଚ୍ ଆୟୋଜିତ ହେବ। ଆଜି ପ୍ରଥମ ମ୍ୟାଚ୍ ଆର୍ୟପଲ୍ଲୀ ଏବଂ କାଳିପଲ୍ଲି ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଆସନ୍ତା ୧୬ ତାରିଖ ଦିନ ଫାଇନାଲ ମ୍ୟାଚ୍ ଅନୁଷ୍ଠିତ ହେବ।
ଆଦାନୀ ଫାଉଣ୍ଡେସନର ଏହି କ୍ରୀଡାଭିତିକ ପଦକ୍ଷେପକୁ ସ୍ଥାନୀୟ କ୍ରୀଡାପ୍ରେମୀ ଓ ଭଦ୍ର ବ୍ୟକ୍ତି ସ୍ୱାଗତ କରି କହିଛନ୍ତି ଯେ, ଏହିପରି ଟୁର୍ଣ୍ଣାମେଣ୍ଟ ଆୟୋଜନ ଦ୍ବାରା ଗ୍ରାମାଞ୍ଚଳର ଯୁବକମାନେ କ୍ରୀଡା ପ୍ରତି ଅଧିକ ଆଗ୍ରହୀ ହେବା ସହ ତାଙ୍କର ପ୍ରତିଭା ପ୍ରଦର୍ଶନ ପାଇଁ ଏକ ମଞ୍ଚ ପ୍ରଦାନ କରିବାରେ ସହାୟକ ହେବ ।
ଆଦାନୀ ଫାଉଣ୍ଡେସନ ପକ୍ଷରୁ କୁହାଯାଇଛି ଯେ ସ୍ଥାନୀୟ ଯୁବ ଖେଳାଳିମାନଙ୍କୁ କ୍ରୀଡାରେ ସକ୍ରିୟ ଭାବେ ଯୋଗଦାନ ପାଇଁ ଉତ୍ସାହିତ କରିବା ସହ ଗୋପାଳପୁର ବନ୍ଦରର ପାର୍ଶ୍ଵବର୍ତୀ ଅଞ୍ଚଳର ଉଦୀୟମାନ ପ୍ରତିଭାକୁ ଲୋକଲୋଚନକୁ ଆଣିବା ଏହି ଟୁର୍ଣ୍ଣାମେଣ୍ଟ ଆୟୋଜନର ମୁଖ୍ୟ ଲକ୍ଷ୍ୟ ଅଟେ ।