
ଭୁବନେଶ୍ୱର: ରାଜ୍ୟରେ ଧାନ କିଣାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ, ଚାଷ ଉପରେ ନିର୍ଭର କରୁଥିବା ପ୍ରାୟ ୭୦ ପ୍ରତିଶତ ଲୋକ ଆଜି ରାଜ୍ୟ ସରକାରଙ୍କ ପ୍ରତାରଣାର ଶିକାର ହୋଇଛନ୍ତି ବୋଲି ବିଜୁ ଜନତା ଦଳ ଅଭିଯୋଗ କରିଛି । ଶଙ୍ଖ ଭବନରେ ମଙ୍ଗଳବାର ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ଦଳର ଉପସଭାପତି ଶ୍ରୀ ସଞ୍ଜୟ ଦାସବର୍ମା, ଗଣମାଧ୍ୟମ ସଂଯୋଜକ ତଥା ଦଳର ମୁଖପାତ୍ର ଡ. ଲେନିନ ମହାନ୍ତି ଓ ଗଣମାଧ୍ୟମ ସଂଯୋଜକ ଡ. ପ୍ରିୟବ୍ରତ ମାଝୀ ଧାନ କିଣାରେ ଅବ୍ୟବସ୍ଥା ଓ ଚାଷୀକୂଳ ପ୍ରତି ସରକାରଙ୍କ ଉଦାସୀନତା ଉପରେ ବର୍ଷିଥିଲେ ।
ସଞ୍ଜୟ କହିଥିଲେ, ଓଡ଼ିଶାର ପ୍ରାୟ ୭୦ ପ୍ରତିଶତ ଲୋକ ଚାଷ ଉପରେ ନିର୍ଭର କରୁଥିବାରୁ ଏହା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ । କିନ୍ତୁ, ଦୁଃଖ ଓ ପରିତାପର ବିଷୟ ଯେ, ଚଳିତ ବର୍ଷ ଧାନ ସଂଗ୍ରହ କାର୍ଯ୍ୟ ସମ୍ପୂର୍ଣ୍ଣ ଅବ୍ୟବସ୍ଥିତ ହୋଇ ପଡିଛି । ନିର୍ବାଚନ ସମୟରେ ବିଜେପି ଚାଷୀକୂଳକୁ ଆଶ୍ୱସ୍ତ କରିଥିଲା ଯେ ରାଜ୍ୟର ସମସ୍ତ ବଳକା ଧାନ କିଣା ଯିବ । କିନ୍ତୁ, ବାସ୍ତବ ସ୍ଥିତି ସମ୍ପୂର୍ଣ୍ଣ ଭିନ୍ନ । ନିର୍ଦ୍ଧାରିତ ହୋଇଥିବା ଧାନ ସଂଗ୍ରହ ହେଉ ନାହିଁ । ରାଜ୍ୟର ଧାନ ସଂଗ୍ରହ ସମ୍ପର୍କିତ ତଥ୍ୟ ଉପରେ ନଜର ପକାଇଲେ, ନିସନେ୍ଦହରେ କୁହାଯାଇ ପାରିବ ଯେ, ସ୍ଥିତି ଅତ୍ୟନ୍ତ ଚିନ୍ତାଜନକ । ରାଜ୍ୟରେ ୧୯, ୬୬,୧୮୧ ଚାଷୀ ପଞ୍ଜିକୃତ ହୋଇଥିବା ବେଳେ, ଏବେ ସୁଧା ମାତ୍ର ୩, ୪୦, ୨୯୪ ଚାଷୀ ଧାନ ବିକ୍ରି ପାଇଁ ସକ୍ଷମ ହୋଇଛନ୍ତି । ଡିସେମ୍ୱର ୨୪ ତାରିଖ ଦିନ ମୁଖ୍ୟମନ୍ତ୍ରୀ ସମୀକ୍ଷା କରିଥିଲେ ଓ ଜାନୁଆରୀ ୧୦ ତାରିଖ ସୁଧା ରାଜ୍ୟର ସମସ୍ତ ଜିଲ୍ଲାରେ ମଣ୍ଡି ଖୋଲାଯିବ । କିନ୍ତୁ, ଆଜି ସୁଧା ୮ଟି ଜିଲ୍ଲାରେ, ଯଥା ପୁରୀ, ବାଲେଶ୍ୱର, ଭଦ୍ରକ, ଜଗତସିଂପୁର, କେନ୍ଦ୍ରାପଡା, ନୟାଗଡ଼, ଯାଜପୁର ଓ କନ୍ଧମାଳରେ ମଣ୍ଡି ଖୋଲାଯାଇପାରି ନାହିଁ ।
ଶ୍ରୀ ଦାସବର୍ମା ଆହୁରି କହିଥିଲେ, ରାଜ୍ୟ ଯୋଗାଣ ମନ୍ତ୍ରୀ ନିକଟରେ ଦେଇଥିବା ମନ୍ତବ୍ୟ ଯେ, ଗୋଟିଏ ଚାଷୀଙ୍କ ଠାରୁ ମାତ୍ର ୧୫୦ କୁଇଣ୍ଟାଲ ଧାନ ୩୧୦୦ ଟଙ୍କାରେ କିଣାଯିବ ଓ ବାକି ଧାନକୁ ସେ ବାହାରେ ବିକିବ । ମନ୍ତ୍ରୀଙ୍କ ଏହି ମନ୍ତବ୍ୟ ଦୁର୍ଭାଗ୍ୟଜନକ । ଏଥିରୁ ସ୍ପଷ୍ଟ ହେଉଛି, କେବଳ ଭୋଟ ହାତେଇବା ପାଇଁ ବିଜେପି ତରଫରୁ ଏପରି ମିଛ ପ୍ରତିଶ୍ରୁତି ଦେଇଥିଲେ । ଓଡ଼ିଶାର ଚାଷୀକୂଳ କେବେବି ଏପରି ପ୍ରତାରିତ ହୋଇ ନଥିଲେ । ଏହାଛଡା, ଧାନ କିଣା ପାଇଁ ଏମଏସପି ୨୩୦୦ ଟଙ୍କାରୁ ୨୩୬୯ ଟଙ୍କାକୁ ବୃଦ୍ଧି କରିଥିବାରୁ ରାଜ୍ୟ ସରକାର ଧାନ କୁଇଣ୍ଟାଲ ପିଛା ୩୧୦୦ ଟଙ୍କା ପରିବର୍ତ୍ତେ ୩୧୬୯ ଟଙ୍କା ପ୍ରଦାନ କରିବା କଥା । କିନ୍ତୁ, ରାଜ୍ୟ ସରକାର ୩୧୦୦ ଟଙ୍କା ଦେଉଛନ୍ତି, ଯାହା ଚାଷୀକୂଳ ପାଇଁ ଆଉ ଏକ ପ୍ରତାରଣା ।