
ଭୁବନେଶ୍ୱର : ଡ୍ରାଇଭିଂ ଲାଇସେନ୍ସ ନିୟମରେ ହେବ ବଡ଼ ପରିବର୍ତ୍ତନ । ଗାଡ଼ି ଚାଳକ ନିୟମ ଭାଙ୍ଗିଲେ କଟିବ ପଏଣ୍ଟ । ରଦ୍ଦ ହେବ ଲାଇସେନସ । ମହଙ୍ଗା ହେବ ବୀମା । ସଡ଼କ ଦୁର୍ଘଟଣା ରୋକିବା ଓ ଟ୍ରାଫିକ୍ ନିୟମକୁ ଅଧିକ କଡ଼ାକଡ଼ି କରିବା ପାଇଁ କେନ୍ଦ୍ର ସରକାର ‘ପେନାଲ୍ଟି ପଏଣ୍ଟ’ ବ୍ୟବସ୍ଥା ଲାଗୁ କରିବାକୁ ଯାଉଛନ୍ତି । ଖୁବଶୀଘ୍ର ଏହି ନିୟମ ଲାଗୁ ହେବ । ତେଣୁ ଏଣିକି କେବଳ ଟ୍ରାଫିକ ନିୟମ ଭାଙ୍ଗିଲେ ଚାଲାଣରେ କାମ ସରିବ ନାହିଁ, ବରଂ ଏହା ଡ୍ରାଇଭରଙ୍କ ପକେଟ୍ ଏବଂ ଲାଇସେନ୍ସ ଉପରେ ଦୀର୍ଘକାଳୀନ ପ୍ରଭାବ ପକାଇବ ।
ନୂଆ ନିୟମ ଅନୁଯାୟୀ ଡ୍ରାଇଭିଂ ଲାଇସେନ୍ସ ସହିତ ଗାଡ଼ିର ବୀମା ମଧ୍ୟ ସଂଯୋଗ ହେବ। ପ୍ରତ୍ୟେକ ଡ୍ରାଇଭିଂ ଲାଇସେନ୍ସରେ କିଛି ନିର୍ଦ୍ଦିଷ୍ଟ ପଏଣ୍ଟ ରହିବ । ଯଦି ଗାଡ଼ି ଚାଳକ କୌଣସି ଟ୍ରାଫିକ୍ ନିୟମ ଉଲ୍ଲଂଘନ କରନ୍ତି ତେବେ ଜରିମାନା ସହିତ ସଂପୃକ୍ତ ଡ୍ରାଇଭରଙ୍କ ଲାଇସେନ୍ସରୁ ପଏଣ୍ଟ କଟାଯିବ । ଓଭର ସ୍ପିଡିଂ, ବେପରୁଆ ଗାଡ଼ି ଚାଳନା ବା ହେଲମେଟ୍ ନପିନ୍ଧିବା ପାଇଁ ଡ୍ରାଇଭରଙ୍କ ଲାଇସେନ୍ସରୁ ପଏଣ୍ଟ କଟିବ । ଯଦି ଏହି ପଏଣ୍ଟ ନିର୍ଦ୍ଦିଷ୍ଟ ସୀମା ପାର୍ କରିଯାଏ, ତେବେ ଲାଇସେନ୍ସ ରଦ୍ଦ ହୋଇପାରେ କିମ୍ବା ଆପଣଙ୍କୁ ପୁଣିଥରେ ଡ୍ରାଇଭିଂ ଟେଷ୍ଟ ଦେବାକୁ ପଡ଼ିପାରେ ।
ସେହିପରି ଗାଡ଼ିର ବୀମା ଉପରେ ମଧ୍ୟ ଏହାର ବଡ଼ ପ୍ରଭାବ ପଡ଼ିବ । ଯଦି ଅଧିକ ନିୟମ ଭାଙ୍ଗନ୍ତି ଏବଂ ପେନାଲ୍ଟି ପଏଣ୍ଟ ଅଧିକ ରୁହେ, ତେବେ ବୀମା କମ୍ପାନୀଗୁଡ଼ିକ ଆପଣଙ୍କୁ ଜଣେ ‘ବେପରୁଆ ଚାଳକ’ ଭାବେ ଗଣନା କରିବେ । ଫଳରେ ଗାଡ଼ି ବୀମା ନବୀକରଣ ସମୟରେ ଅଧିକ ପ୍ରିମିୟମଦେବାକୁ ପଡ଼ିବ । ଅର୍ଥାତ୍ ଭଲ ଗାଡ଼ି ଚାଳକଙ୍କୁ କମ୍ ଟଙ୍କା ଏବଂ ନିୟମ ଭାଙ୍ଗୁଥିବା ଚାଳକଙ୍କୁ ଗାଡ଼ି ବୀମା ପାଇଁ ଅଧିକ ଟଙ୍କା ଦେବାକୁ ପଡ଼ିବ । ସୁରକ୍ଷିତ ଡ୍ରାଇଭିଂ, ଡିଜିଟାଲ୍ ଟ୍ରାକିଂ ଓ ଦୁର୍ଘଟଣା ହ୍ରାସ କରିବା ଏହାର ଲକ୍ଷ୍ୟ ରହିଛି ।