
ଯୋଡ଼ା : ବଡ଼ବିଲରୁ ବ୍ୟାଙ୍କ ଡକାୟତି, ଧାନବାଦରୁ ୨ ମୁଖ୍ୟ ଅଭିଯୁକ୍ତ ଗିରଫ । ୨୮୮ ଗ୍ରାମ ସୁନା, ଦୁଇଟି ସ୍କର୍ପିଓ ଓ ୪ ଟି ମୋବାଇଲ ଜବତ । କେନ୍ଦୁଝର ବଡ଼ବିଲ ସ୍ଥିତ ବ୍ୟାଙ୍କ ଅଫ ମହାରାଷ୍ଟ୍ରରୁ ଡକାୟତି ଘଟଣାରେ ଝାଡ଼ଖଣ୍ଡକ ଧାନବାଦରୁ ୨ ଜଣଙ୍କୁ ଗିରଫ କରିଛି ପୋଲିସ । ଏହି ଡକାୟତି ଘଟଣାରେ ତଦନ୍ତ ପାଇଁ କେନ୍ଦୁଝର ଅତିରିକ୍ତ ଏସପି ପ୍ରତ୍ୟୁଷ ମହାପାତ୍ରଙ୍କ ନେତୃତ୍ବରେ ଏକ ପୋଲିସ ଟିମ ଧାନବାଦ ଯାଇଥିଲା ।
କେନ୍ଦୁଝର ଓ ଝାଡ଼ଖଣ୍ଡ ଧାନବାଦ ପୋଲିସର ମିଳିତ ଟିମ ଧାନବାଦର ନିରସା ଏବଂ ସିନ୍ଦିରି ଅଞ୍ଚଳରେ ଚଢ଼ାଉ କରିଥିଲେ । ଡକାୟତି ମାମଲାରେ ମୁଖ୍ୟ ଅଭିଯୁକ୍ତ ରାଜାକୁମାର ସିଂ ଓ କୁନାଲ ରାଜ ବର୍ମାଙ୍କୁ ଗିରଫ କରାଯାଇଛି । ସେମାନଙ୍କ ନିକଟରୁ ୨୮୮ ଗ୍ରାମ ସୁନା, ୨ କାର ଓ ୪ଟି ମୋବାଇଲ ଫୋନ ଜବତ ହୋଇଛି । ଏହି ବ୍ୟାଙ୍କ ଡକାୟତି ମାମଲାରେ ଆଉ କିଛି ଫେରାର ଅଛନ୍ତି ।
ସେମାନଙ୍କୁ ଧରିବା ପାଇଁ ପୋଲିସର ଚଢ଼ାଉ ଜାରି ରହିଛି । ଗତ ୧୯ ତାରିଖରେ ବଡ଼ବିଲ ସ୍ଥିତ ବ୍ୟାଙ୍କ୍ ଅଫ ମହାରାଷ୍ଟ୍ର ଶାଖାରୁ ୫ କୋଟିର ସୁନା ଓ ୮ ଲକ୍ଷ ଟଙ୍କା ଲୁଟ୍ ନେଇ ଅଭିଯୋଗ ହୋଇଥିଲା । ୫ଟି ବାଇକରେ ୬ଜଣ ଦୁର୍ବୃତ୍ତ ଆସି ବନ୍ଧୁକ ଦେଖାଇ ଲୁଟ କରିଥିଲେ । ଦୁର୍ବୃତ୍ତମାନେ ଗ୍ରାହକ ଭାବେ ବ୍ୟାଙ୍କରେ ପହଞ୍ଚି ପ୍ରଥମେ ମ୍ୟାନେଜରଙ୍କ ନିକଟକୁ ଯାଇ ତାଙ୍କୁ ବନ୍ଧୁକ ଦେଖାଇ ଭୟଭୀତ କରିଥିଲେ । ଅନ୍ୟ ଗ୍ରାହକମାନଙ୍କୁ ଏକ ଘରେ ଭର୍ତ୍ତି କରି ବନ୍ଦ କରିଦେଇଥିଲେ । ପରେ ଲକର୍ ତାଲା ଆଣି ସେଠାରୁ ୫କୋଟି ଟଙ୍କାର ସୁନାଏବଂ ନଗଦ ୮ଲକ୍ଷ ଟଙ୍କା ନେଇ ଫେରାର୍ ହୋଇଯାଇଥିଲେ ।