ମହିଳା କମାଣ୍ଡୋଙ୍କୁ ହତ୍ୟା କଲା ସ୍ବାମୀ

newyr25

ନୂଆଦିଲ୍ଲୀ : ଦିଲ୍ଲୀ ପୋଲିସରେ କର୍ତ୍ତବ୍ୟରତ ୨୭ ବର୍ଷୀୟ ଜଣେ ମହିଳା କନଷ୍ଟେବଳଙ୍କୁ ହତ୍ୟା । ମହିଳା କମାଣ୍ଡୋଙ୍କୁ ତାଙ୍କ ସ୍ବାମୀ ଯୌତୁକ ପାଇଁ ହତ୍ୟା କରିଥିବା ଜଣାପଡିଛି । ସେ ସ୍ପେଶାଲ ଓ୍ୱିପନ୍ ଆଣ୍ଡ୍ ଟାକ୍ଟିଟିକ୍ସ ବା ସ୍ୱାଟରେ ନିୟୋଜିତ ହୋଇଥିଲେ । ମଙ୍ଗଳବାର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ସେ ପ୍ରାଣ ହରାଇଛନ୍ତି । ହତ୍ୟା ସମୟରେ ୪ ମାସର ଗର୍ଭବତୀ ଥିଲେ ମହିଳା ।

ଖବର ମୁତାବକ, ମହିଳା କନଷ୍ଟେବଳ କାଜଲ ଏବଂ ଅଙ୍କୁର ୨୦୨୨ରେ ଦେଖା ହୋଇଥିଲେ । ସ୍ନାତକ କରିବା ସମୟରେ ଦୁହିଁଙ୍କ ମଧ୍ୟରେ ପ୍ରେମ ସଂପର୍କ ଗଢି ଉଠିଥିଲା । ତେଣୁ ଘର ଲୋକଙ୍କୁ ରାଜି କରାଇ ଦୁହେଁ ବିବାହ କରିଥିଲେ । ବିବାହ ସମୟରେ ଦୁହେଁ ସରକାରୀ ଚାକିରି କରିଥିଲେ । କାଜଲ ଦିଲ୍ଲୀ ପୋଲିସରେ କମାଣ୍ଡୋ ଥିବା ବେଳେ ଅଙ୍କୁର ରକ୍ଷା ମନ୍ତ୍ରଣାଳୟରେ କ୍ଲର୍କ ରହିଥିଲେ । ବିବାହର ୧୫ ଦିନ ଭିତରେ ଦୁହିଁଙ୍କ ମଧ୍ୟରେ ଝଗଡା ଦେଖାଦେଇଥିଲା । କାଜଲଙ୍କ ଘର ଲୋକଙ୍କୁ ଅଙ୍କୁର ଏବଂ ତାଙ୍କ ପରିବାର ନଗଦ ଗାଡ଼ି ଏବଂ ଯୌତୁକ ଦାବି କରିଥିଲେ । କାଜଲଙ୍କୁ ପ୍ରତିଦିନ ନିର୍ଯାତନା ଦିଆଗଲା ।

ହେଲେ ଜାନୁଆରୀ ୨୨ରେ ସବୁ ସୀମା ପାର କଲେ ଅଙ୍କୁର । ଏକ ଓଜନିଆ ବସ୍ତୁରେ କାଜଲଙ୍କୁ ଆକ୍ରମଣ କରିଥିଲେ । ଫଳରେ ତାଙ୍କ ମୁଣ୍ଡ ଘରର କବାଟରେ ପିଟି ହୋଇଯାଇଥିଲା । ମୁଣ୍ଡ ମାଡ ହେବା ପରେ ପ୍ରବଳ ରକ୍ତସ୍ରାବ ହୋଇଥିଲା । ପ୍ରଥମେ ତାଙ୍କୁ ଦ୍ୱାରକାର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରୁ ଜାନୁଆରୀ ୨୫ ତାରିଖରେ ନେହରୁ ନଗରରେ ଥିବା ଅନ୍ୟ ଏକ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା । ହେଲେ ଡାକ୍ତରଙ୍କ ସମସ୍ତ ପ୍ରୟାସ ବିଫଳ ହୋଇଥିଲା । ଶେଷରେ କାଜଲଙ୍କ ପ୍ରାଣ ଚାଲିଯାଇଥିଲା ।

ପୋଲିସର କହିବାନୁସାରେ, କାଜଲଙ୍କ ପରିବାର ଲୋକେ ଲିଖିତ ଅଭିଯୋଗ କରିଛନ୍ତି । ଏଫଆଇଆରରେ ସ୍ୱାମୀ ଅଙ୍କୁର ଚୌଧୁରୀ ତାଙ୍କୁ ସଦାବେଳେ ମାଡ଼ ମାରୁଥିବା ଏବଂ ଅତ୍ୟାଚାର କରୁଥିବା କଥା ଉଲ୍ଲେଖ ରହିଛି । କାଜଲଙ୍କୁ ଆକ୍ରମଣ କରିବା ଦିନ ସ୍ୱାମୀ ଅଙ୍କୁର କାଜଲଙ୍କ ଭାଇ ନିଖିଲଙ୍କୁ କଲ୍ କରିଥିଲେ । ଏପରିକି ସେ ନିଜେ କାଜଲଙ୍କୁ ହତ୍ୟା କରିଥିବା ନିଖିଲଙ୍କୁ କହିଥିଲେ । ନିଖିଲ କହିଛନ୍ତି ଯେ, ଜାନୁଆରୀ ୨୨ ରାତି ୧୦ଟାରେ ଅଙ୍କୁରଙ୍କ ନମ୍ବରରୁ କଲ୍ ଆସିଥିଲା । କାଜଲ ତାଙ୍କ ସହ ଯୁକ୍ତି କରୁଥିବା ସେ କହିଥିଲେ । ଏହାପରେ କାଜଲ ଅଙ୍କୁରଙ୍କଠୁ ଫୋନ ଛଡାଇ ନିଖିଲଙ୍କୁ ସବୁ କଥା କହିବାକୁ ଚେଷ୍ଟା କରିଥିଲେ । କିନ୍ତୁ ଅଙ୍କୁର ଫୋନ ଛଡାଇ ନେଇଥିଲେ । ଏହାସହ ସେ କାଜଲକୁ ହତ୍ୟା କରିବାକୁ ଯାଉଥିବା ନିଖିଲଙ୍କୁ କହିଥିଲେ । ଏହାପରେ ଫୋନରେ କେବଳ ଚିତ୍କାର ଶୁଭିଥିଲା ।

ଏହାର କିଛି ମିନିଟ ପରେ ଅଙ୍କୁର ପୁଣି କଲ୍ କରିଥିଲେ । ଏହାସହ କାଜଲକୁ ସେ ହତ୍ୟା କରିଥିବା ପ୍ରକାଶ କରିଥିଲେ । ଏଠାକୁ ଆସି ମୃତଦେହ ନେଇଯିବାକୁ ମଧ୍ୟ କହିଥିଲେ । ଘଟଣାରେ ଅଙ୍କୁରଙ୍କୁ ପୋଲିସ ଗିରଫ କରିଛି । ତାଙ୍କ ଜାମିନ ଆବେଦନ ନାମଞ୍ଜୁର ହେବାରୁ ପୋଲିସ ପଚରାଉଚୁରା କରୁଛି ।

Leave A Reply

Your email address will not be published.