ମାଳାପଡ଼ା ପୋଖରୀ କୂଳରୁ ଯୁବତୀଙ୍କ ଝୁଲନ୍ତା ଶବ ଉଦ୍ଧାର: ହତ୍ୟା ଅଭିଯୋଗ ଆଣି ଗଛମୂଳେ ଧାରଣା ଦେଲେ ପରିବାର, ଜଣେ ଅଟକ

newyr25

ଉମରକୋଟ / ରାଇଘର : ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ଅନ୍ତର୍ଗତ କୁନ୍ଦେଇ ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ମାଳାପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀ କୂଳରୁ ଜଣେ ଯୁବତୀଙ୍କ ରହସ୍ୟଜନକ ଝୁଲନ୍ତା ଶବ ଉଦ୍ଧାର କରାଯାଇଛି। ଏହାକୁ ହତ୍ୟାକାଣ୍ଡ ଦର୍ଶାଇ ମୃତ ଯୁବତୀଙ୍କ ପରିବାର ଲୋକେ ଘଟଣାସ୍ଥଳରେ ଧାରଣା ଦେବା ସହ ଜଣେ ଯୁବକଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଛନ୍ତି। ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି।
ସୂଚନା ଅନୁସାରେ, ଗତକାଲି ସକାଳୁ ମାଳାପଡ଼ା ଗ୍ରାମବାସୀମାନେ ଶୌଚ ପାଇଁ ପୋଖରୀ ଆଡ଼କୁ ଯାଇଥିବା ବେଳେ ଏକ ବାବୁଲ ଗଛରେ ଯୁବତୀଙ୍କ ଶବ ଝୁଲୁଥିବା ଦେଖିବାକୁ ପାଇଥିଲେ। ମୃତ ଯୁବତୀଙ୍କ ବୟସ ଆନୁମାନିକ ୨୨ ରୁ ୨୩ ବର୍ଷ ହେବ। ଏହି ଖବର ପ୍ରଚାରିତ ହେବା ପରେ ପୋଖରୀ କୂଳରେ ଶହ ଶହ ଲୋକଙ୍କ ଭିଡ଼ ଜମିଥିଲା। ଖବର ପାଇ କୁନ୍ଦେଇ ଥାନା ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା।
ପୋଲିସ ଶବ ନିକଟରୁ ଏକ ମୋବାଇଲ୍ ଫୋନ୍, ଚାର୍ଜର ଏବଂ ନଗଦ ୧୩୦ ଟଙ୍କା ଜବତ କରିଛି। ମୋବାଇଲ୍ କଭର ଭିତରେ ଥିବା ଏକ କାଗଜରେ ଲେଖାଯାଇଥିବା ଫୋନ୍ ନମ୍ବରକୁ ଯୋଗାଯୋଗ କରିବା ପରେ ମୃତ ଯୁବତୀଙ୍କ ପରିଚୟ ମିଳିଥିଲା। ସେ ହେଉଛନ୍ତି ତୁମଡ଼ା ଗ୍ରାମର ମାଙ୍ଗା ଗଣ୍ଡଙ୍କ ଝିଅ। ପରିବାର ଲୋକେ ଘଟଣାସ୍ଥଳରେ ପହଞ୍ଚି ଶବ ଚିହ୍ନଟ କରିବା ସହ ଏହା ଏକ ସୁପରିକଳ୍ପିତ ହତ୍ୟାକାଣ୍ଡ ବୋଲି ଦାବି କରିଛନ୍ତି।
ମୃତ ଯୁବତୀଙ୍କ ପରିବାର ପକ୍ଷରୁ ଓଡଣ୍ଡୀ ଗ୍ରାମର ସାଗାରାମ ଗଣ୍ଡଙ୍କ ବିରୋଧରେ ହତ୍ୟା ଅଭିଯୋଗ ଅଣାଯାଇଛି। ନ୍ୟାୟ ଦାବି କରି ପରିବାର ଓ ସମ୍ପର୍କୀୟମାନେ ବାବୁଲ ଗଛ ମୂଳେ ଦୀର୍ଘ ସମୟ ଧରି ଧାରଣାରେ ବସି ରହିଥିଲେ। ଘଟଣାର ଗମ୍ଭୀରତାକୁ ଦୃଷ୍ଟିରେ ରଖି ନବରଙ୍ଗପୁରରୁ ଏକ ସାଇଣ୍ଟିଫିକ ଟିମକୁ ଡକାଯାଇଥିଲା। ସାଇଣ୍ଟିଫିକ ଟିମ୍ ଓ ପୋଲିସ ବିଭିନ୍ନ ପ୍ରମାଣ ସଂଗ୍ରହ କରିବା ପରେ ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲା।
କୁନ୍ଦେଇ ଥାନା ଅଧିକାରୀ ଡି. ପି. ବ୍ରହ୍ମାଙ୍କ ସୂଚନା ଅନୁଯାୟୀ, ଏହି ମାମଲାରେ ଏକ ଅପମୃତ୍ୟୁ ମାମଲା (UD Case No- 06, Date- 01/02/2026) ରୁଜୁ କରାଯାଇଛି। ପରିବାର ଲୋକଙ୍କ ଅଭିଯୋଗ ଆଧାରରେ ପୋଲିସ ଓଡଣ୍ଡୀ ଗ୍ରାମରୁ ସନ୍ଦେହଭାଜନ ସାଗାରାମ ଗଣ୍ଡଙ୍କୁ ଅଟକ ରଖି ପଚରାଉଚରା ଜାରି ରଖିଛି।
ମୃତ ଯୁବତୀଙ୍କ ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। ପୋଷ୍ଟମାର୍ଟମ ରିପୋର୍ଟ ଏବଂ ସାଇଣ୍ଟିଫିକ ତଥ୍ୟ ଆସିବା ପରେ ହିଁ ମୃତ୍ୟୁର ପ୍ରକୃତ କାରଣ (ହତ୍ୟା ନା ଆତ୍ମହତ୍ୟା) ସ୍ପଷ୍ଟ ହେବ ବୋଲି ପୋଲିସ କହିଛି। ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିବା ବେଳେ, ଦୋଷୀଙ୍କୁ କଠୋର ଦଣ୍ଡ ଦେବା ପାଇଁ ଗ୍ରାମବାସୀ ଦାବି କରିଛନ୍ତି।

Leave A Reply

Your email address will not be published.