
ଚିତ୍ରକୋଣ୍ଡା (ମାଲକାନଗିରି) : ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକ ଅନ୍ତର୍ଗତ ସ୍ୱାଭିମାନ ଅଞ୍ଚଳର ପଣସପୁଟ ପିଏମ ଶ୍ରୀ ଏସ.ଏସ.ଡି (SSD) ବିଦ୍ୟାଳୟର ବାର୍ଷିକ ଉତ୍ସବ ଅତ୍ୟନ୍ତ ଉତ୍ସାହ ଓ ଉଦ୍ଦୀପନା ସହ ପାଳିତ ହୋଇଯାଇଛି। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ ପ୍ରମୋଦ କୁମାର ରଥଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅତିଥି ଓ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅଭୂତପୂର୍ବ ଶ୍ରଦ୍ଧା ଓ ସମ୍ମାନର ପରିବେଶ ଦେଖିବାକୁ ମିଳିଥିଲା।
ଏହି ଗୌରବମୟ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବିଏସଏଫ (BSF) କମାଣ୍ଡାଣ୍ଟ ଶ୍ରୀ ସନ୍ତୋଷ କୁମାର ସା ଯୋଗ ଦେଇ ପ୍ରଦୀପ ପ୍ରଜ୍ୱଳନ କରିଥିଲେ। ଅନ୍ୟ ସମ୍ମାନିତ ଅତିଥିମାନଙ୍କ ମଧ୍ୟରେ ଚିତ୍ରକୋଣ୍ଡା ସାଂସଦ ପ୍ରତିନିଧି ଶ୍ରୀ ଦାସ ଗଲେଲ, ବିଧାୟକ ପ୍ରତିନିଧି ଶ୍ରୀ ବିଦେଶୀ ଗୌଡ଼, ପଣସପୁଟ ସରପଞ୍ଚ ଶ୍ରୀ ଅର୍ଜୁନ ହନ୍ତାଳ, ଏବଂ ଚିତ୍ରକୋଣ୍ଡା ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ଶ୍ରୀ ସୌମ୍ୟ ରଞ୍ଜନ ସାହୁ ଉପସ୍ଥିତ ଥିଲେ।

ଏହାସହ ମାଲକାନଗିରି ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ସୁଶ୍ରୀ ସସ୍ମିତା ମାଝୀ, ରାଷ୍ଟ୍ରପତି ସମ୍ମାନ ପ୍ରାପ୍ତ ଶିକ୍ଷକ ଶ୍ରୀ ନବକିଶୋର ମଲ୍ଲିକ, ବଡ଼ପଡ଼ା ଏଜୁକେସନ କମ୍ପ୍ଲେକ୍ସର ପ୍ରଧାନ ଶିକ୍ଷକ ଶ୍ରୀ ଶତ୍ରୁଘ୍ନ ସ୍ୱାଇଁ, ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଶ୍ରୀ ବଳରାମ ଗଲରୀ, ନାଏବ ସରପଞ୍ଚ ସୁଭଦ୍ରା ପାଙ୍ଗି ଏବଂ ବିଏସଏଫ ଇନ୍ସପେକ୍ଟର ରାଜେନ୍ଦ୍ର ସିଂଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଓ ଯବାନମାନେ ଯୋଗ ଦେଇଥିଲେ। ଅତିଥିମାନେ ନିଜ ନିଜ ଅଭିଜ୍ଞତା ବାଣ୍ଟିବା ସହ ଛାତ୍ରଛାତ୍ରୀମାନଙ୍କୁ ଭବିଷ୍ୟତରେ ଜଣେ ଜଣେ ସୁନାଗରିକ ହେବା ପାଇଁ ପ୍ରେରଣାଦାୟୀ ଉଦବୋଧନ ଦେଇଥିଲେ।
ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ ପ୍ରମୋଦ କୁମାର ରଥ ବାର୍ଷିକ ବିବରଣୀ ପାଠ କରିବା ସହ ବିଦ୍ୟାଳୟର ସଫଳତା ସମ୍ପର୍କରେ ଆଲୋକପାତ କରିଥିଲେ। ତେବେ ଏହି ଅବସରରେ ସେ ବିଦ୍ୟାଳୟରେ ଥିବା କିଛି ମୌଳିକ ସମସ୍ୟା, ବିଶେଷ କରି ଏକ ସୁବ୍ୟବସ୍ଥିତ ରୋଷେଇ ଘର ଏବଂ ଜଳ ନିଷ୍କାସନ ବ୍ୟବସ୍ଥାର ଅଭାବ ବିଷୟରେ ପ୍ରକାଶ କରିଥିଲେ। ପୂର୍ବରୁ ଏ ସମ୍ପର୍କରେ ବାରମ୍ବାର ଜଣାଇଥିଲେ ସୁଦ୍ଧା କୌଣସି ସମାଧାନ ହୋଇପାରି ନଥିବାରୁ ସେ ଦୁଃଖ ପ୍ରକାଶ କରି ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଥିଲେ।
ବିଦ୍ୟାଳୟର ଯେଉଁ କୃତି ଛାତ୍ରଛାତ୍ରୀମାନେ ପିଏମ ଶ୍ରୀ କାର୍ଯ୍ୟକ୍ରମ ଅଧୀନରେ ବିଭିନ୍ନ ପ୍ରତିଯୋଗିତାରେ ଜିଲ୍ଲା ଓ ରାଜ୍ୟ ସ୍ତରରେ ବିଦ୍ୟାଳୟର ନାମ ରଖିଛନ୍ତି, ସେମାନଙ୍କୁ ଅତିଥିମାନଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା। ସନ୍ଧ୍ୟା ସମୟରେ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା, ଯାହା ଦର୍ଶକଙ୍କ ମନ ମୋହିଥିଲା। ଶିକ୍ଷକ ଦିଲ୍ଲୀପ କୁମାର ବେହେରା ଅତି ଚମତ୍କାର ଭାବେ ମଞ୍ଚ ପରିଚାଳନା କରିଥିଲେ।
ବିଦ୍ୟାଳୟର ସମସ୍ତ କର୍ମଚାରୀଙ୍କ ସହଯୋଗ ଓ ପ୍ରଧାନ ଶିକ୍ଷକଙ୍କ ନିଷ୍ଠାପର ଉଦ୍ୟମ ଯୋଗୁଁ ସମ୍ପୂର୍ଣ୍ଣ କାର୍ଯ୍ୟକ୍ରମଟି ଶୃଙ୍ଖଳିତ ଭାବେ ସମ୍ପନ୍ନ ହୋଇଥିଲା। ଅତିଥିମାନଙ୍କ ପାଇଁ ଉତ୍ତମ ଭୋଜନ ଓ ସତ୍କାର ବ୍ୟବସ୍ଥା କରାଯାଇଥିବାରୁ ଅଞ୍ଚଳବାସୀ ଓ ଅତିଥିମାନେ ପ୍ରଧାନ ଶିକ୍ଷକଙ୍କୁ ଭୂୟସୀ ପ୍ରଶଂସା କରିଛନ୍ତି। ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରି ପ୍ରଧାନ ଶିକ୍ଷକ ସଭା ସାଙ୍ଗ କରିଥିଲେ।