ରାଜସୁନାଖଳା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ କାୟାକଳ୍ପ ଟିମର ପରିଦର୍ଶନ

newyr25

ଅବ୍ୟବସ୍ଥା ଘେରରେ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର

ନୟାଗଡ଼ (ନିସର୍ତ୍ତ) : କେନ୍ଦ୍ର ଓ ରାଜ୍ୟ ସରକାର ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ କୋଟି କୋଟି ଟଙ୍କା ଖର୍ଚ୍ଚ କରି ଜନସାଧାରଣଙ୍କୁ ଉତ୍ତମ ସ୍ୱାସ୍ଥ୍ୟସେବା ଯୋଗାଇ ଦେବାପାଇଁ ଉନ୍ନତ ମାନର ଚିକିତ୍ସା ଓ ସ୍ବଚ୍ଛତା ଉପରେ ଗୁରୁତ୍ବ ଦେଉଛନ୍ତି , କିନ୍ତୁ କିଛି ସ୍ବାସ୍ଥ୍ୟ ବିଭାଗର କର୍ମଚାରୀ ଓ ଅଧିକାରୀ ମାନେ ଏହାର ବ୍ୟତିକ୍ରମ କରୁଥିବାର ଦେଖିବାକୁ ମିଳୁଛି ଯାହାକୁ ନେଇ ଅଞ୍ଚଳ ବାସୀ କ୍ଷୋଭ ପ୍ରକାଶ କରୁଛନ୍ତି । ଏପରି ଏକ ଅବ୍ୟବସ୍ଥା ଘେରରେ ରହିଛି ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ୍ ରାଜସୁନାଖଳା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର। ସୂଚନା ଅନଯାୟୀ ଗତ ଶନିବାର ଦିନ ରାଜସୁନାଖଳା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ରାଜ୍ୟ ସରକାରଙ୍କ ଦ୍ୱାରା ଗଠିତ କାୟକଳ୍ପ ଟିମର ୫ ଜଣିଆ ସଦସ୍ୟ ଅପରାହ୍ନ ସମୟରେ ପରିଦର୍ଶନ କରିଥିଲେ ।

ସ୍ୱାସ୍ଥ୍ୟକେନ୍ଦ୍ରର ପାରିପାର୍ଶିକ ସ୍ଥିତି ଅନୁଧ୍ୟାନ କରିବା ସହିତ ସ୍ୱାସ୍ଥ୍ୟକେନ୍ଦ୍ରର ପରିଷ୍କାର ପରିଚ୍ଛନ୍ନତା, ବର୍ଜ୍ୟବସ୍ତୁ ପରିଚାଳନା, ପରିମଳ ବ୍ୟବସ୍ଥା ସମେତ ରୋଗୀଙ୍କୁ ସ୍ୱାସ୍ଥ୍ୟସେବା କିପରି ମିଳୁଛି ତାହାର ତଦାରଖ କରି ଥିଲେ । ଏହି କାୟାକଳ୍ପ ଟିମ୍ ପକ୍ଷରୁ ଆଡିସନାଲ୍ ଡାଇରେକ୍ଟର ଡ. ବିଜୟ କୁମାର ଧଳ ,ବିଦ୍ୟାଳୟ ସ୍ବାସ୍ଥ୍ୟ ପରାମର୍ଶଦାତା ପ୍ରଶାନ୍ତ କୁମାର ଦାସ, ପି.ଏଚ.ଏଫ୍.ଆଇ ସର୍ବେଶ୍ଵର ସାହୁ, ଡି.ପି.ଏମ ପ୍ରକାଶ ଚନ୍ଦ୍ର ବାନାର୍ଜୀ ଏବଂ ସନନ୍ତ କୁମାର ମହାପାତ୍ର ପ୍ରମୁଖ ପରିଦର୍ଶନ କରିଥିଲେ । ଏହି ପରିଦର୍ଶନ ବେଳେ ରୋଗୀ ମାନଙ୍କ ପାଇଁ ପଡ଼ିଥିବା ବେଡ଼ ଉପରେ କୌଣସି ବେଡସିଟ୍ ପଡିନଥିବା ଦେଖିବାକୁ ପାଇଥିଲେ । ରୋଗୀମାନଙ୍କ ପାଇଁ ଉଦ୍ଦିଷ୍ଟ ଥିବା ଗାଧୁଆ ଘର , ପାଇଖାନା , ପରିଶ୍ରାଗାର ଗୁଡିକର ଆଗରେ ପାପୋଛ ରହିବାର ବ୍ୟବସ୍ଥା ଥିବା ବେଳେ ତାହା ନଥିଲା , ପ୍ରସୂତିଙ୍କ ପାଇଁ ଯୋଗ କକ୍ଷରେ କୌଣସି ଯୋଗ ପାଇଁ ବ୍ୟବସ୍ଥା କରା ନଯାଇ ସିକ୍ୟୁରିଟି ଗାର୍ଡ ମାନେ ରହୁଥିବାର ଦେଖିବାକୁ ମିଳିଥିଲା । ଏଥି ସହିତ ପ୍ରସୂତି ଗୃହକୁ ଯିବା ପାଇଁ ଅତି ନିମ୍ନମାନର ଚପଲ ବ୍ୟବହାର ହେଉ ଥିବାର ଦେଖିବାକୁ ମିଳିଛି । ଏ ପ୍ରକାର ଅବ୍ୟବସ୍ଥା ନେଇ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ଅଧିକାରୀ ଓ କର୍ମଚାରୀଙ୍କୁ କାୟାକଳ୍ପ ଟିମ୍ ର ସଦସ୍ୟ ମାନେ ତାଗିଦ୍ କରିଥିଲେ । ପରେ ତରବରିଆ ଭାବେ ରୋଗୀଙ୍କ ବେଡ୍ ଉପରେ କର୍ମଚାରୀମାନେ ବେଡସିଟ୍ ପକାଇବା ସହିତ ସଫାସୁତରା କରିଥିଲେ । ସ୍ଵାସ୍ଥ୍ୟକେନ୍ଦ୍ରର ଔଷଧ ବିତରଣ କେନ୍ଦ୍ରରେ ଆବଶ୍ୟକୀୟ ଔଷଧ ରଖାଯାଇନଥିବା ବେଳେ ତରବରିଆ ଭାବେ ଅଧିକାରୀ ମାନେ ତଦାରଖ କରିବା ପୂର୍ବରୁ କିଛି ଔଷଧ ଅଧିକାରୀଙ୍କ ସମ୍ମୁଖରେ ରଖାଯାଉଥିବାର ଦେଖିବାକୁ ମିଳିଛି । ଏପରି ଅବ୍ୟବସ୍ଥାକୁ ନେଇ ସ୍ଵାସ୍ଥ୍ୟ କେନ୍ଦ୍ରର ଅଧିକାରୀ ଏବଂ କର୍ମଚାରୀଙ୍କ ସହିତ ଟିମ୍ ସଦସ୍ୟ ମାନେ ଆଲୋଚନା କରିଥଲେ । ରାଜସୁନାଖଳା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ସ୍ଥାନୀୟ ଅଞ୍ଚଳର କିଛି କର୍ମଚାରୀ ଗାଦୀ ମାଡ଼ି ରହି ମନମାନି ଚଳାଇଛନ୍ତି ।

ଅନ୍ୟତ୍ର ବଦଳି ହୋଇଥିଲେ ମଧ୍ୟ ପୁନର୍ବାର ଏହି ସ୍ବାସ୍ଥ୍ୟକେନ୍ଦ୍ରରେ ନିୟୋଜିତ ହୋଇ ଦୁର୍ନୀତିରେ ଲିପ୍ତ ରହି ରୋଗୀ ଓ ସମ୍ପର୍କୀୟ ମାନଙ୍କୁ ଦୁର୍ବ୍ୟବହାର କରୁଥିବାର ବହୁ ଅଭିଯୋଗ ହେଉଛି । ସେହିପରି ସ୍ବାସ୍ଥ୍ୟକେନ୍ଦ୍ରରେ ଆବଶ୍ୟକୀୟ ଡାକ୍ତର ପଦବୀ ଖାଲି ପଡ଼ିଥିବା ବେଳେ ପାଳିରେ ଚାଲିଛି ରୋଗୀ ସେବା। ଯାହା ଫଳରେ ରୋଗୀ ମାନେ ବହୁ ଦୂରଦୁରାନ୍ତକୁ ଚିକିତ୍ସା କରିବା ପାଇଁ ବାଧ୍ୟ ବାଧକତାରେ ଯାଉଛନ୍ତି । ଏଥି ସହିତ ସ୍ଥାନୀୟ ଅଞ୍ଚଳର କିଛି ବୁଦ୍ଧିଜୀବୀ ମାନେ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ପହଞ୍ଚି ସ୍ବାସ୍ଥ୍ୟକେନ୍ଦ୍ରର ସମସ୍ୟା ସମ୍ପର୍କରେ ଅଭିଯୋଗ କରିଥିଲେ । ଏହାକୁ ରାଜ୍ୟ ସରକାରଙ୍କ ସ୍ଵାସ୍ଥ୍ୟ ବିଭାଗ ଦୃଷ୍ଟି ଦେବା ସହିତ ସମସ୍ୟାର ସମାଧାନ ପାଇଁ ସ୍ଥାନୀୟ ଅଞ୍ଚଳରେ ଦୃଢ଼ ଦାବୀ ହୋଇଛି ।

Leave A Reply

Your email address will not be published.