ରାଜସୁନାଖଳା ପରିବାମାର୍କେଟଠାରେ ଘଟିଛି ସିରିଜ ଦୁର୍ଘଟଣା

newyr25

ନୟାଗଡ଼,୧/୦୨(ନିସର୍ତ୍ତ) : ଘନ କୁହୁଡି ଜନ ଜୀବନକୁ ଅସ୍ତଵ୍ୟସ୍ତ କରୁଥିବା ବେଳେ ବିଭିନ୍ନ ସ୍ଥାନରେ ଗାଡ଼ି କୁ ଗାଡ଼ି ଧକା ହେଇ ଅନେକ ଧନ ଜୀବନ ନଷ୍ଟ କରୁଥିବାର ଦେଖିବାକୁ ମିଳିଛି। ଘନ କୁହୁଡି ଯୋଗୁଁ ରାଜସୁନାଖଳା ଦୂର୍ଗା ବଜାର ସ୍ଥିତ ପରିବା ମାର୍କେଟ ଠାରେ ଏକ ସିରିଜ ଦୁର୍ଘଟଣା ଘଟିଛି। ସୂଚନା ଅନୁସାରେ ରବିବାର ଦିନ ପୂର୍ବାହ୍ନ ସମୟରେ ନୟାଗଡ ଜିଲ୍ଲା ରଣପୁର ବ୍ଲକ ଅନ୍ତର୍ଗତ ରାଜସୁନାଖଳା ପରିବା ମାର୍କେଟ ଠାରେ ଏକ ପରିବା ଭର୍ତି ଆଇଚର ଗାଡ଼ିରୁ ଅନ୍ୟ ଏକ ପିକ୍ ଅପ ଗାଡ଼ିକୁ ପରିବା ବସ୍ତା କଢ଼ା ଯାଉଥିବା ସମୟରେ ସେହି ବଜାର ଗହଳି ମଧ୍ୟରେ ରାସ୍ତାରେ ଯାଉଥିବା ଏକ ହାଇୱା ଗାଡ଼ି ,ପରିବା ଭର୍ତ୍ତି ଥିବା ଆଇଚର ଗାଡ଼ି କୁ ଧକା ଦେଇ ଥିଲା ।

ଫଳରେ ହାଇୱା ଗାଡ଼ିର ଆଗ ପାର୍ଶ୍ଵ ଭାଙ୍ଗି ଯାଇଥିବା ବେଳେ ଆଇ ଚର ଗାଡ଼ି ଓ ପିକ୍ ଅପ ଗାଡ଼ିର ଆଗ ପାର୍ଶ୍ଵ ସାମାନ୍ୟ ଭାଙ୍ଗି ଯାଇ ଥିବାର ଦେଖିବାକୁ ମିଳିଛି। ତେବେ ଏହି ଦୁର୍ଘଟଣାରେ କାହାର କିଛି କ୍ଷତି ହୋଇ ନ ଥିବା ଦେଖିବାକୁ ମିଳିଛି। ରାଜସୁନାଖଳା ଦୂର୍ଗା ବଜାର ,ପରିବା ବଜାର ପାଇଁ ଆଖପାଖ ଅଞ୍ଚଳରେ ପ୍ରସିଦ୍ଧ ଅଟେ। ସମଗ୍ର ପଞ୍ଚାୟତର ଲକ୍ଷାଧିକ ଲୋକ ଏହି ବଜାର ଉପରେ ନିର୍ଭରଶୀଳ, ତେଣୁ ଏହି ଜନ ଗହଳି ପୂର୍ଣ୍ଣ ପରିବା ବଜାର ମଧ୍ୟ ଦେଇ ଭାରି ଗାଡ଼ି ଯାତାୟାତକୁ ନିଷିଦ୍ଧ କରାଯାଇ ରାଜସୁନାଖଳା ଠାରୁ ରଣପୁର ପର୍ଯ୍ୟନ୍ତ ଏକ ବାଇ ପାସ୍ ରାସ୍ତା ନିର୍ମାଣ କରିବା ପାଇଁ ଗ୍ରାମବାସୀ ସରକାରଙ୍କ ନିକଟରେ ଦାବି ରଖିଛନ୍ତି । ଅନେକ ସମୟରେ ଏହି ଭାରିଯାନ ଯାତାୟାତ ପାଇଁ ଘଣ୍ଟା ଘଣ୍ଟା ଧରି ରାସ୍ତା ଜାମ୍ ଭଳି ପରିସ୍ଥିତି ଉପୁଜୁଛି। ଜରୁରୀ କାଳୀନ ସେବାରେ ଯାଉଥିବା ଆମ୍ବୁଲାନ୍ସ ହେଉ କିମ୍ବା ଦମକଳ ଗାଡ଼ି , ବିଭିନ୍ନ ଶିକ୍ଷାନୁଷ୍ଠାନକୁ ଯାତାୟାତ କରୁଥିବା ଛାତ୍ରୀ ଛାତ୍ର ମାନେ ମଧ୍ୟ ଏହି ସମସ୍ୟାର ଅହରହ ସମ୍ମୁଖୀନ ହେଉଛନ୍ତି । ତେଣୁ ଏହାର ନିରାକରଣ ନିତାନ୍ତ ଆବଶ୍ୟକ ହୋଇପଡିଛି , ସେଥିପାଇଁ ନୟାଗଡ଼ ଜିଲ୍ଲା ପ୍ରଶାସନକୁ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଆବଶ୍ୟକ ବୋଲି ସ୍ଥାନୀୟ ଗଣମାଧ୍ୟମକୁ ଦୂର୍ଗା ବଜାର ବଣିକ ସଂଘର ସଦସ୍ୟ ମାନେ ଜଣାଇଛନ୍ତି ।

Leave A Reply

Your email address will not be published.