ଛଅ ହଜାର ହିତାଧିକାରୀଙ୍କୁ ତୁରନ୍ତ ବାର୍ଦ୍ଧକ୍ୟ ଭତ୍ତା ପ୍ରଦାନ କର : ମାନବ ଅଧିକାର ସୁରକ୍ଷା ମଞ୍ଚ…

newyr25

ବ୍ରହ୍ମପୁର, ତା. ୧୦.୨.୨୦୨୬:ବ୍ରହ୍ମପୁର ମହାନଗର ନିଗମ ଅଧୀନସ୍ଥ ସମସ୍ତ ଅଞ୍ଚଳରେ ବସବାସ କରୁଥିବା ପ୍ରାୟ ଛଅ ହଜାର ଯୋଗ୍ୟ ନୂତନ ବୃଦ୍ଧ–ବୃଦ୍ଧା ହିତାଧିକାରୀଙ୍କୁ ଗତ ଦୁଇ ବର୍ଷ ଧରି ବାର୍ଦ୍ଧକ୍ୟ ଭତ୍ତା ପ୍ରଦାନ ନ କରାଯିବା ଅତ୍ୟନ୍ତ ସମ୍ବେଦନଶୀଳ ଓ ଦୁଃଖଜନକ ବିଷୟ ବୋଲି ମାନବ ଅଧିକାର ସୁରକ୍ଷା ମଞ୍ଚ ପକ୍ଷରୁ ଅଭିଯୋଗ କରାଯାଇଛି। ଚିନ୍ତାର ବିଷୟ ହେଉଛି, ଏହି ଯୋଗ୍ୟ ହିତାଧିକାରୀଙ୍କ ମଧ୍ୟରୁ କିଛି ବୟସ୍କ ବ୍ୟକ୍ତି ଭତ୍ତା ପାଇବା ପୂର୍ବରୁ ଦେହାନ୍ତ ହୋଇଯାଇଛନ୍ତି। ନବ ନିର୍ବାଚିତ ସରକାରଙ୍କ ଘୋଷଣା ସତ୍ତ୍ୱେ ନା ତ ଭତ୍ତା ମିଳିଛି, ନା ଭତ୍ତା ରାଶିରେ କୌଣସି ବୃଦ୍ଧି ହୋଇଛି। ଅନେକ ଗରିବ ପରିବାର ଏହି ୧୦୦୦ ଟଙ୍କାର ବାର୍ଦ୍ଧକ୍ୟ ଭତ୍ତା ଉପରେ ନିର୍ଭର କରି ଦୁର୍ଦ୍ଦଶାରେ ଜୀବନ ଯାପନ କରୁଛନ୍ତି। ଅହେତୁକ ଦରଦାମ ବୃଦ୍ଧି ଓ ବୟସାଧିକ ସମୟରେ ସ୍ୱାସ୍ଥ୍ୟଗତ ସମସ୍ୟା ବଢ଼ୁଥିବାକୁ ଦୃଷ୍ଟିରେ ରଖି ବାର୍ଦ୍ଧକ୍ୟ ଭତ୍ତା, ଭିନ୍ନକ୍ଷମ ଭତ୍ତା ଓ ବିଧବା ଭତ୍ତାର ରାଶି ତୁରନ୍ତ ବୃଦ୍ଧି କରିବାକୁ ମଞ୍ଚ ଦାବି କରିଛି। ଏହା ସହିତ, କୋଭିଡ୍–୧୯ କାଳୀନ ସମୟରେ ବ୍ରହ୍ମପୁର ସହରରେ ପୌରନିଗମ କାଉନସିଲ ନ ଥିବାବେଳେ ବେନିୟମ ଓ ଅଗଣତାନ୍ତ୍ରିକ ଭାବେ ଲାଗୁ କରାଯାଇଥିବା ବର୍ଦ୍ଧିତ ଘର ଟିକସକୁ ତୁରନ୍ତ ପ୍ରତ୍ୟାହାର କରିବାକୁ ମଧ୍ୟ ଦାବି କରାଯାଇଛି। ସହରର ବିଭିନ୍ନ ସ୍ଥାନରେ ମୃତ ପଶୁମାନଙ୍କ ଦେହ ପଚିସଡ଼ି ଦୂର୍ଗନ୍ଧମୟ ପରିବେଶ ସୃଷ୍ଟି କରୁଥିବାରୁ ସ୍ୱାସ୍ଥ୍ୟ ଓ ପରିବେଶ ଉପରେ ଗୁରୁତର ପ୍ରଭାବ ପଡ଼ୁଛି। ଏହାର ସମାଧାନ ପାଇଁ ମୃତ ପଶୁଙ୍କ ଶରୀର ଦହନ ନିମନ୍ତେ ବୈଦ୍ୟୁତିକ ଦହନ ଯନ୍ତ୍ର ସ୍ଥାପନ କରିବାକୁ ମଞ୍ଚ ଦାବି କରିଛି। ଏହାଛଡ଼ା, ବ୍ରହ୍ମପୁର ସହର ବାହାରେ ଅବସ୍ଥିତ ଗୋଶାଳାଗୁଡ଼ିକରେ ସିସିଟିଭି କ୍ୟାମେରା ସଂଯୋଗ କରି

ପଶୁମାନଙ୍କ ଚିକିତ୍ସା, ଯତ୍ନ, ଖାଦ୍ୟ ଓ ସୁରକ୍ଷା ବ୍ୟବସ୍ଥାର ନିୟମିତ ତଦାରଖ କରିବା ଏବଂ ପଲିଥିନ ବ୍ୟବହାରକୁ ସଂପୂର୍ଣ୍ଣ ଭାବେ ନିଷିଦ୍ଧ କରିବା ପାଇଁ କଠୋର ପଦକ୍ଷେପ ନେବା ଆଦି ଛଅଟି ପ୍ରମୁଖ ଦାବି ସମ୍ବଳିତ ଏକ ସ୍ମାରକ ପତ୍ର ଆଜି ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଆସିଷ୍ଟାଣ୍ଟ କମିସନର ଶ୍ରୀ ବିଭୁ ପ୍ରସାଦ ମହାପାତ୍ରଙ୍କୁ ପ୍ରଦାନ କରାଯାଇଛି। ଏଥିରେ ମାନବ ଅଧିକାର ସୁରକ୍ଷା ମଞ୍ଚର ଆବାହକ ଆଇନଜୀବୀ ଅବନୀ ଗୟା, ସଭାପତି ଗଗନ ଚନ୍ଦ୍ର ମଲ୍ଲିକ, ସମାଜସେବୀ ମନୋଜ କୁମାର ତରାଇ, ଆର୍. ସତ୍ୟନାରାୟଣ ରାଓ, ଶିବ ସୁନ୍ଦର ରଥ, ପ୍ରଫୁଲ୍ଲ କୁମାର ଜେନା, ଏସ୍. ଶାମ୍ବଶିବ ରାଓ ପ୍ରମୁଖ ଉପସ୍ଥିତ ଥିଲେ।

Leave A Reply

Your email address will not be published.