ବଣ୍ଡା ପାହାଡ଼ରୁ ସହାୟତା ପାଇଁ ଆକୁଳ ନିବେଦନ, ରକ୍ତ କର୍କଟ ସହିତ ଯୁଦ୍ଧ କରୁଛି “ସନିଆ”

newyr25

ମାଲିକାନଗିରି ଖଇରପୁଟ,୧୬/୨ପ୍ରକୃତିର କୋଳେ ବସୁଥିବା ବଣ୍ଡା ଜନଜାତିର ଜୀବନ ସରଳ କିନ୍ତୁ ସଂଘର୍ଷମୟ । ସେହି ସଂଘର୍ଷ ଆଜି ଜୀବନ-ମୃତ୍ୟୁର ଯୁଦ୍ଧରେ ପରିଣତ ହୋଇଛି ୧୭ ବର୍ଷୀୟ ନାବାଳକ ସନିଆ ଚଲାଣ ପାଇଁ । ଖଇରପୁଟ ବ୍ଲକ ଅନ୍ତର୍ଗତ ଅଣ୍ଡ୍ରହାଲ ଗ୍ରାମର ଏହି ଗରିବ ପରିବାରର ପୁଅ ବର୍ତ୍ତମାନ ରକ୍ତ କର୍କଟ ସହିତ ହସ୍ପିଟାଲ ଶଯ୍ୟାରେ ଯୁଦ୍ଧ କରୁଛି ଓ ପାହାଡ଼ ଗାଁରୁ ଉଠୁଛି ଅସହାୟର ଆର୍ତ୍ତନାଦ ।
ସନିଆଙ୍କ ପିତା ହାଡି ଚଲାଣ ଓ ମାତା ମଙ୍ଗଲି ଚଲାଣ ଦିନମଜୁରୀ କରି ପରିବାର ଚଳାନ୍ତି । କିଛି ଦିନ ପୂର୍ବରୁ ସାନିଆ ଅସୁସ୍ଥ ହେବାରୁ ପ୍ରଥମେ ସ୍ଥାନୀୟ ମାଥିଲି ଚିକିତ୍ସାଳୟରେ ଚିକିତ୍ସା ହୋଇଥିଲା । ତାଙ୍କ ଶରୀରରେ ହିମୋଗ୍ଲୋବିନ ଅତ୍ୟଧିକ କମ ଥିବାରୁ ତୁରନ୍ତ ଜିଲ୍ଲା ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା । ପରୀକ୍ଷା ପରେ ଜଣାପଡ଼ିଲା ଶରୀରରେ ରକ୍ତ ତିଆରି ହେଉନାହିଁ । ଅର୍ଥ ଅଭାବରୁ କିଛି ଦିନରେ ଚିକିତ୍ସା ବନ୍ଦ କରି ଘରକୁ ଫେରିବାକୁ ପଡିଲା ।
ପୁନର୍ବାର ଅବସ୍ଥା ଗୁରୁତର ହେବାରୁ କୋରାପୁଟ ଜିଲ୍ଲା ଲମତାପୁଟ ଆଶାକିରଣ ହସ୍ପିଟାଲ ସହାୟତାରେ ପରୀକ୍ଷା କରାଯାଇଥିଲା । ସେଠାରେ ସ୍ପଷ୍ଟ ହେଲା ସନିଆ ରକ୍ତ କର୍କଟରେ ଆକ୍ରାନ୍ତ।ପରେ ତାଙ୍କୁ ବିଶାଖାପାଟଣାକୁ ସ୍ଥାନାନ୍ତର କରାଯାଇଥିଲା । ଯେଉଁଠାରେ ସେ ବର୍ତ୍ତମାନ ଜୀବନ ପାଇଁ ଯୁଦ୍ଧ କରୁଛନ୍ତି ।
ହସ୍ପିଟାଲ ପକ୍ଷରୁ ଶୋଇବା ପାଇଁ ଖଟ ଓ ଔଷଧ ମିଳୁଥିଲେ ମଧ୍ୟ ଖାଦ୍ୟ ବ୍ୟବସ୍ଥା ନଥିବାରୁ ପରିବାର ଭାରି ସଙ୍କଟରେ । ରକ୍ତ ଆବଶ୍ୟକ ହେଲେ ଟଙ୍କା ଦେଇ କିଣିବାକୁ ପଡୁଛି । ଅର୍ଥ ଅଭାବ ଯୋଗୁଁ ମା-ପୁଅ ଦୁହେଁ ମାନସିକ ଭାବେ ଭାଙ୍ଗି ପଡ଼ିଛନ୍ତି।ପୂର୍ବରୁ ଆୟୁଷ୍ମାନ ଯୋଜନାରେ ଚିକିତ୍ସା ହୋଇଥିଲେ ମଧ୍ୟ କେଉଁଠାରେ କେତେ ଖର୍ଚ୍ଚ ହେଲା ସେମାନେ କିଛି ଜାଣି ନାହାନ୍ତି । ଆୟୁଷ୍ମାନ ଯୋଜନାରେ ଥିବା ସବୁ ଅର୍ଥ ନେଇ ଯାଇଥିବାରୁ ବୋଧେ ସନିଆକୁ ଖାଇବା ପିଇବା ଓ ଆବଶ୍ୟକ ହେଉଥିବା ରକ୍ତ ଦେଉ ନାହାନ୍ତି ବୋଲି କହିଛନ୍ତି ।
ପାହାଡ଼ ଗାଁର ଏହି ଗରିବ ପରିବାର ପାଇଁ ଏହା କେବଳ ରୋଗ ନୁହେଁ ଏହା ଏକ ଅସହ୍ୟ ପରୀକ୍ଷା । ସନିଆଙ୍କ ଆଖିରେ ଆଜିଯାଏ ଜୀବନର ସ୍ୱପ୍ନ ଅଛି କିନ୍ତୁ ହାତରେ ଅର୍ଥ ନାହିଁ । ଏହି ସଙ୍କଟ ସମୟରେ ପରିବାର ପକ୍ଷରୁ ସ୍ଥାନୀୟ ପ୍ରଶାସନ, ସରକାର ଓ ସମାଜସେବୀମାନଙ୍କୁ ଆର୍ଥିକ ସହାୟତା ପାଇଁ ନିବେଦନ କରାଯାଇଛି ।

Leave A Reply

Your email address will not be published.