ଝରିଗାଁରେ ଜିଲ୍ଲା ପ୍ରଶାସନର ଜନଶୁଣାଣି ଶିବିର

ଉମରକୋଟ/ଝରିଗାଁ : ଜନସାଧାରଣଙ୍କ ସମସ୍ୟାର ତ୍ୱରିତ ଶୁଣାଣି, ଅଭିଯୋଗର ନିୟମାନୁଯାୟୀ ସମାଧାନ ଏବଂ ସରକାରୀ ସେବାକୁ ଲୋକଙ୍କ ନିକଟତର କରିବା ଉଦ୍ଦେଶ୍ୟରେ ଝରିଗାଁ ବ୍ଲକ କାର୍ଯ୍ୟାଳୟ ପରିସରରେ ମଙ୍ଗଳବାର ଜିଲ୍ଲାସ୍ତରୀୟ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି।

ଆରକ୍ଷୀ ଅଧୀକ୍ଷକ ଶ୍ରୀ କାଶ୍ୟପ ପାର୍ଥ ଜଗଦୀଶ ଏବଂ ଅତିରିକ୍ତ ଜିଲ୍ଲାପାଳ ଡ. ପ୍ରମୋଦ କୁମାର ପୃଷ୍ଟିଙ୍କ ଯୁଗ୍ମ ଅଧ୍ୟକ୍ଷତାରେ ଏହି ଜନଶୁଣାଣି ଶିବିର ଆୟୋଜିତ ହୋଇଥିଲା। ଏଥିରେ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ଶ୍ରୀ ବିରଞ୍ଚି ନାରାୟଣ ଦରୱାନ, ଉପଜିଲ୍ଲାପାଳ ଶ୍ରୀ ପ୍ରକାଶ କୁମାର ମିଶ୍ର, ଝରିଗାଁ ବ୍ଲକର ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ସମେତ ବିଭିନ୍ନ ବିଭାଗର ଜିଲ୍ଲା ଓ ବ୍ଲକସ୍ତରୀୟ ଅଧିକାରୀ ଏବଂ କର୍ମଚାରୀ ଉପସ୍ଥିତ ରହି ଲୋକଙ୍କ ଅଭିଯୋଗ ଶୁଣିଥିଲେ।
ଜନଶୁଣାଣି ଶିବିରରେ ଜନସାଧାରଣଙ୍କ ପକ୍ଷରୁ ବିଭିନ୍ନ ବ୍ୟକ୍ତିଗତ ଓ ଗ୍ରାମସ୍ତରୀୟ ସମସ୍ୟା ସମ୍ପର୍କିତ ମୋଟ ୨୯ଟି ଅଭିଯୋଗ ଗ୍ରହଣ କରାଯାଇଥିଲା। ସେଥିମଧ୍ୟରୁ ୨୦ଟି ବ୍ୟକ୍ତିଗତ ଅଭିଯୋଗ ଥିବାବେଳେ ୯ଟି ଗ୍ରାମସ୍ତରୀୟ ଅଭିଯୋଗ ରହିଥିଲା। ଉପସ୍ଥିତ ଅଧିକାରୀମାନେ ଅଭିଯୋଗଗୁଡ଼ିକ ଶୁଣିବା ସହ ସମ୍ପୃକ୍ତ ବିଭାଗ ମାଧ୍ୟମରେ ଏହାର ଆବଶ୍ୟକ ଯାଞ୍ଚ ଓ ପଦକ୍ଷେପ ନେବା ନେଇ ଆଲୋଚନା କରିଥିଲେ।
ଶିବିର ଅବସରରେ ଯୋଗ୍ୟ ହିତାଧିକାରୀଙ୍କୁ ସାମାଜିକ ସୁରକ୍ଷା ଯୋଜନାରେ ୨ଟି ବିଧବା ପେନସନ ଓ ୨ଟି ଭିନ୍ନକ୍ଷମ ପେନସନ ପ୍ରଦାନ କରାଯାଇଥିଲା। ଏଥିସହ ଜଣେ ଯୋଗ୍ୟ ହିତାଧିକାରୀଙ୍କୁ ହ୍ୱିଲ୍‌ଚେୟାର ପ୍ରଦାନ କରାଯାଇଥିଲା।
ଏହା ଫଳରେ ଯୋଗ୍ୟ ହିତାଧିକାରୀମାନେ ସରକାରୀ ସାମାଜିକ ସୁରକ୍ଷା ଯୋଜନାର ସୁବିଧା ପାଇବା ସହ ଜନଶୁଣାଣି ଶିବିର ମାଧ୍ୟମରେ ପ୍ରଶାସନିକ ସେବା ଲୋକଙ୍କ ନିକଟରେ ପହଞ୍ଚିପାରୁଥିବାର ଏକ ଦୃଷ୍ଟାନ୍ତ ସୃଷ୍ଟି ହୋଇଛି।

ତ୍ୱରିତ ସମାଧାନ ପାଇଁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ,

ଶିବିରରେ ଗ୍ରହଣ କରାଯାଇଥିବା ସମସ୍ତ ଅଭିଯୋଗର ଶୁଣାଣି କରାଯାଇ ସମ୍ପୃକ୍ତ ବିଭାଗୀୟ ଅଧିକାରୀମାନଙ୍କୁ ଅଭିଯୋଗଗୁଡ଼ିକର ନିୟମାନୁଯାୟୀ ଯାଞ୍ଚ କରି ଆବଶ୍ୟକ ପଦକ୍ଷେପ ନେବା ସହ ତ୍ୱରିତ ସମାଧାନ ସୁନିଶ୍ଚିତ କରିବାକୁ କୁହାଯାଇଥିଲା।
ଜନସାଧାରଣଙ୍କ ସମସ୍ୟାକୁ ପ୍ରାଥମିକତା ଦେଇ ଅଭିଯୋଗର ତ୍ୱରିତ ଓ ଗୁଣାତ୍ମକ ସମାଧାନ କରିବା ସହ ଯୋଗ୍ୟ ହିତାଧିକାରୀଙ୍କ ନିକଟରେ ସରକାରୀ ଯୋଜନା ଓ ସେବା ପହଞ୍ଚାଇବା ଦିଗରେ ଏଭଳି ଜନ ଅଭିଯୋଗ ଶୁଣାଣି ଶିବିର ଏକ ଗୁରୁତ୍ୱପୂର୍ଣ୍ଣ ପ୍ରଶାସନିକ ମାଧ୍ୟମ ଭାବେ କାର୍ଯ୍ୟ କରୁଛି।

ad-week
Leave A Reply

Your email address will not be published.