ସାଙ୍ଗର ସ୍ତ୍ରୀକୁ ପାଇବା ପାଇଁ ସାଙ୍ଗକୁ ହତ୍ୟା କଲା ସାଙ୍ଗ, ୪୦ ହଜାର ଟଙ୍କାରେ ହୋଇଥିଲା ହତ୍ୟା ଡିଲ

newyr25

ମାଲକାନଗିରି, ୧୭।୨ ମାଲକାନଗିରି ଜିଲ୍ଲା ଆଦର୍ଶ ଥାନା ଅନ୍ତର୍ଗତ ଏମଭି ୧୬ ଗାଁ ସ୍ଥିତ କେନ୍ଦୁ ପତ୍ର ଗୋଦାମ ପାର୍ଶ୍ଵରୁ ଉତ୍ତମ ବିଶ୍ବାସ ନାମକ ଯୁବକର ମୃତଦେହ ଉଦ୍ଧାର ଘଟଣାରେ ଦୁଇଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଳନ କରିଛି ପୋଲିସ। ପୋଲିସ ନିକଟରୁ ମିଳିଥିବା ତଥ୍ୟ ଅନୁଯାୟୀ, ଅଭିଯୁକ୍ତ ସମୀର ବୈଦ୍ୟ ଏବଂ ମୃତ ଉତ୍ତମ ବିଶ୍ୱାସ ଘନିଷ୍ଠ ବନ୍ଧୁ ଥିଲେ। କୌଣସି ଘରୋଇ ସମସ୍ୟା ଯୋଗୁଁ ଅଭିଯୁକ୍ତ ସମୀର ବୈଦ୍ୟଙ୍କ ପତ୍ନୀ ତାଙ୍କୁ ଛାଡି ଗତ ୬ ବର୍ଷ ଧରି ଅଲଗା ରହୁଥିଲେ। ଅଭିଯୁକ୍ତ ସମୀର ବୈଦ୍ୟ ତାଙ୍କ ପିତାମାତା ଏବଂ ପିଲାମାନଙ୍କ ସହିତ ରହୁଥିବା ବେଳେ ଅନେକ ସାମୀରେ ସେ ମୃତ ଉତ୍ତମ ବିଶ୍ୱାସଙ୍କ ଘରକୁ ଯାଉଥିଲେ। ମୃତ ବ୍ୟକ୍ତିଙ୍କ ଘରକୁ ଯିବା ସମୟରେ, ଅଭିଯୁକ୍ତ ସମୀର ଉତ୍ତମଙ୍କ ସ୍ତ୍ରୀଙ୍କ ପ୍ରତି କୁଦୃଷ୍ଟି ପକାଇବା ସହ ବାରମ୍ବାର ଫୋନ୍ କରି ସମ୍ପର୍କ ରଖିବା ପାଇଁ କହୁଥିଲେ। ଯଦି ଉତ୍ତମ ବିଶ୍ୱାସଙ୍କ ମୃତ୍ୟୁ ହୁଏ, ତେବେ ତାଙ୍କ ସ୍ତ୍ରୀଙ୍କ ସହ ସମ୍ପର୍କ ନିବିଡ ହେବ ଭାବି ଅଭିଯୁକ୍ତ ସମୀର ଉତ୍ତମଙ୍କୁ ହତ୍ୟା କରିବାକୁ ଯୋଜନା କରିଥିଲେ। ଏନେଇ ସେ ତାଙ୍କ ସହଯୋଗୀ ଅଭି ମୁଜୁମଦାରଙ୍କୁ କହିଥିଲେ। ଅଭି ପଶ୍ଚିମ ବଂଗର ବାସିନ୍ଧା ହୋଇଥିବା ବେଳେ ଏମଭି ୧୭ ଗ୍ରାମରେ ଉଭୟ ମିଶି ଏକ ଦୋକାନରେ କାର୍ଯ୍ୟ କରୁଥିଲେ। ଉତ୍ତମ ବିଶ୍ୱାସଙ୍କୁ ହତ୍ୟା କରିବାକୁ ଅଭିଯୁକ୍ତ ଅଭି ମୁଜୁମଦାର ପଚାଶ ହଜାର ଟଙ୍କା ଦାବି କରିଥିଲେ। କିନ୍ତୁ ଅଭିଯୁକ୍ତ ସମୀର ମୃତକଙ୍କୁ ହତ୍ୟା କରିବା ପାଇଁ ଚାଳିଶ ହଜାର ଟଙ୍କା ଦେବାକୁ ପ୍ରତିଶ୍ରୁତି ଦେଇଥିଲେ। ଗତ ୪.ଫେବ୍ରୁଆରିରେ ଅଭିଯୁକ୍ତ ସମୀର ବୈଦ୍ୟ ଏବଂ ଅଭି ମୁଜୁମଦାର ମୃତକଙ୍କୁ ହତ୍ୟା କରିବାକୁ ଯୋଜନା କରିଥିଲେ ଏବଂ ସେହି ଦିନ ସନ୍ଧ୍ୟାରେ ଏମଭି ୧୬ ଗ୍ରାମ କେନ୍ଦୁ ପତ୍ର ଗୋଦାମ ନିକଟରେ ମୃତକ ଉତ୍ତମଙ୍କୁ ଡାକି ନେଇ ମଦ୍ୟପାନ କରାଇଥିଲେ। ଏହି ସାମୟରେ ଅଭିଯୁକ୍ତ ଅଭି ହଠାତ୍ ଉତ୍ତମଙ୍କୁ ଜୀବନରେ ମାରିଦେବା ଉଦ୍ଦେଶ୍ୟରେ କାତି ସାହାଯ୍ୟରେ ବାରମ୍ବାର ଆକ୍ରମଣ କରିଥିଲେ। ଫଳରେ ଉତ୍ତମ ଘଟଣା ସ୍ଥଳରେ ମୃତ୍ୟୁ ବରଣ କରିଥିବା ପରେ ଅଭିଯୁକ୍ତ ସମୀର ବୈଦ୍ୟ ଏବଂ ଅଭି ଉଭୟ ତାଙ୍କ ମୃତଦେହକୁ ଟାଣି ଆଣି ତାଙ୍କ ଚପଲ ଏବଂ ମୋବାଇଲ୍ ଫୋନ୍ ନେଇ ଚାଲି ଯାଇଥିଲେ। ଅଭିଯୁକ୍ତ ସମୀର ବୈଦ୍ୟ ତାଙ୍କ ଚୁକ୍ତିନାମା ଅନୁଯାୟୀ ଅଭିଯୁକ୍ତ ଅଭିକୁ ତିରିଶ ହଜାର ଟଙ୍କା ମଧ୍ୟ ଦେଇଥିଲେ। ଏହାପରେ ଅଭି ପଶ୍ଚିମବଙ୍ଗ ପଳାଇଥିବା ବେଳେ ପୋଲିସ ଘଟଣାର ତଦନ୍ତ କାରୀ ଏହାର ପର୍ଦାଫାସ କରି ପଶ୍ଚିମବଙ୍ଗରୁ ଅଭିଯୁକ୍ତ ଅଭି ଏବଂ ଏମଭି ୧୬ରେ ରହୁଥିବା ଅଭିଯୁକ୍ତସମୀରକୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଥିବା ନେଇ ଥାନା ଅଧିକାରୀ ରିଗାନ କିଣ୍ଡୋ ସୂଚନା ଦେଇଛନ୍ତି।

Leave A Reply

Your email address will not be published.