ବାଲିମାଫିଆଙ୍କ ସକାଶେ କୌଣସି ଲଗାମ ନାହିଁ

newyr25

(ଅବାଧରେ ଚାଲିଛି ବେଆଇନ ବାଲି ଚାଲାଣ )

କୋଷାଗୁମୁଡା : ନବରଙ୍ଗପୁର ଜ଼ିଲ୍ଲା କୋଷାଗୁମୁଡା ବ୍ଲକ ଏବଂ କୋଡୀଙ୍ଗା ତହସିଲ ଅଞ୍ଚଳରେ ଅବାଧରେ ଚାଲିଛି ବେଆଇନ ବାଲି ଚାଲାଣ l କିଛି ସମୟ ପୂର୍ବରୁ ପ୍ରଶାସନ କେତେକ ବେଆଇନ ବାଲିଚାଲାଣ କାରୀଙ୍କ ଟିପ୍ପର, ହାଇୱା ଇତ୍ୟାଦି ଜବତ କରିଥିଲେ, ପରବର୍ତ୍ତୀ ସମୟରେ ଜୋରିମାନା ଆଦାୟ କରି ଛାଡିଦିଆଯାଇଥିଲା l ଅଳ୍ପ କେଇଦିନ ଚୁପ ରହିବା ପରେ ପୂଣି ଆରମ୍ଭ ହୋଇଛି ମାଫିଆଙ୍କ ଦ୍ୱାରା ଚୋରା ବାଲିଚାଲାଣ l
ଏହି ବ୍ଲକରେ ଦୁଇଟି ପ୍ରମୁଖ ନଦୀ ଇଦ୍ରାବତୀ ଆଉ ଭାସ୍କେଲ ନଦୀ ରହିଛି । ରାଜ୍ୟ ରାଜସ୍ୱ ବିଭାଗ ପକ୍ଷରୁ ଏହି ଦୁଇଟି ନଦୀର ବାଲି ଉଠାଣ ପାଇଁ ବାଲି ଟେଣ୍ଡେର ହୋଇଥିବା ବେଳେ ଅନେକ ଘାଟରେ ଟେଣ୍ଡେର ହୋଇନାହିଁ । ସରକାରଙ୍କ ନିର୍ଦ୍ଧେଶ ରହିଛି ବାଲି ଟେଣ୍ଡେର ହୋଇଥିବା ସ୍ଥାନରେ କେବଳ ଶ୍ରମିକ ଲଗାଇ ବାଲି ଉଠାଣ କରାଯିବ କିନ୍ତୁ ସେହି ସ୍ଥାନ ଗୁଡ଼ିକରୁ ଶ୍ରମିକ ବଦଳରେ ଜେସିବି ମେସିନ ଦ୍ୱାରା  ବାଲି ଉଠାଇ ବଡବଡ଼ ହାଇୱାରେ ପରିବହନ କରାଯାଉଥିବା ଦେଖିବାକୁ ମିଳୁଛି l ସେହିଭଳି ବାଲି ଟେଣ୍ଡର ହୋଇନଥିବା ଘାଟରୁ ମଧ୍ୟ ମାଫିଆ ମାନଙ୍କ ଦ୍ୱାରା ବାଲି ଚୋରା ଚାଲାଣ ହେଉଛି ।

ଏଭଳି ଘଟଣା ବର୍ତ୍ତମାନ ଆଟିଗାଁ ପଂଚାୟତ ଗୋଟିବେଡା ନଦୀ ଘାଟ,କିରିଣ୍ଡିମାଳ ନିକଟ ବାଲିଘାଟ, ସନ୍ତଷପୁର ନିକଟ ଭାସ୍କେଲ ନଦୀ ବାଲିଘାଟ ଏବଂ ବରଗାଁ ନିକଟ ବାଲିଘାଟରୁ ବାଲି ଚାଲାଣ ହେଉଥିବା ନଜରକୁ ଆସିଛି l ସ୍ତାନୀୟ କିଛି ବାଲି ମାଫିଆ ଟ୍ରାକ୍ଟର ଏବଂ ଟିପର ସାହାଯ୍ୟରେ ଦିନରାତି ବାଲି ବୋଝେଇ କରି ବେଆଇନ ଭାବେ ଚୋରି କରିବାକୁ ନେଇ ବୁଦ୍ଧିଜୀବୀ ମହଲରେ କଟୁ ସମାଲୋଚନା କରାଯାଉଛି l
ସ୍ଥାନୀୟ ଲଘୁ ଖଣିଜ ବିଭାଗ ଓ ରାଜସ୍ୱ ବିଭାଗ କୁମ୍ଭକର୍ଣ୍ଣ ନିଦରେ ଶୋଇଥିଲା ବେଳେ କୋଟି କୋଟି ଟଙ୍କାର ରାଜସ୍ବ ହାନି ହେବା ସହିତ ପ୍ରାକୃତିକ ପରିବେଶ ପାଇଁ ବିପଦ ସୃଷ୍ଟି ହେଉଛି lସେହିପରି ବାଲି ଲିଜ ନେଇଥିବା ଲିଜଧାରୀ ମାନେ ଯେଉଁ ସ୍ଥାନରେ ବାଲି ଉଠାଇବା ପାଇଁ ନିର୍ଦ୍ଦେଶ ରହିଛି,ତାହା ପାଳନ ନକରି ମନଇଚ୍ଛା ବାଲି ଉଠାଉଥିବା ଅଞ୍ଚଳରେ ଅଭିଯୋଗ ହୋଇଛି । ଏହାକୁ ନେଇ ବାରମ୍ବାର ଅଭିଯୋଗ ହେଉଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନାହିଁ । ବର୍ତ୍ତମାନ ଖରା ଦିନ ନଦୀରେ ପାଣି କମ ରହି ଥିବାର ସୁଯୋଗ ନେଇ କିଛି ବାଲି ମାଫିଆ ମାନେ ବିଭିନ୍ନ ସ୍ଥାନରେ ବାଲି ସବୁ ଗଛିତ ରଖିଥିବା ବେଳେ ଏହା ସମ୍ପୂର୍ଣ୍ଣ ବେନିୟମ କାର୍ଯ୍ୟ , ଏଥିପ୍ରତି କାହାର ଦୃଷ୍ଟି ପଡୁ ନାହିଁ । ଏଣୁ ଜିଲ୍ଲା ପ୍ରଶାସନ ଏଥିପ୍ରତି ସ୍ୱତନ୍ତ୍ର ଦୃଷ୍ଟି ଦେଇ ବାଲି ମାଫିଆଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଅଞ୍ଚଳବାସୀ ଦାବି କରିଛନ୍ତି ।କାରଣ କିଛି ଦିନ ପୂର୍ବେ ସନ୍ତସପୁର ନିକଟ ଭାସ୍କେଲ ନଦୀରୁ ବାଲି ଚାରା ଚାଲାଣ ଖବର ପ୍ରସାରଣ ହୋଇଥିଲା ତଥାପି ସ୍ଥାନୀୟ ପ୍ରଶାସନ ଏବଂ ଲଘୁ ଖଣିଜ ବିଭାଗ କିଛି ମାତ୍ରାରେ ସକ୍ରିୟ ରହିଥିଲେ l ଏ ଦିଗରେ ସମ୍ପୃକ୍ତ ଜ଼ିଲ୍ଲା କର୍ତୃପକ୍ଷ ଶୀଘ୍ର ତଦନ୍ତ କରି ବାଲି ମାଫିଆଙ୍କ ବିରୋଧରେ କଡ୍ଡl ପଦକ୍ଷେପ ଗ୍ରହଣ କରିବାକୁ ଦାବୀ କରିଛନ୍ତି l

Leave A Reply

Your email address will not be published.