ଆନ୍ତର୍ଜାତୀୟ ମହିଳା ଦିବସରେ ଦର୍ଗାଗୁଡାରେ ଅଣ ସଂକ୍ରାମକ ରୋଗ ଚିହ୍ନଟ ଶିବିର

newyr25

ସ୍ବାସ୍ଥ୍ୟ ସଚେତନତା ବଢ଼ାଇବା ସହ ଗ୍ରାମୀଣ ଲୋକଙ୍କୁ ମିଳିଲା ମାଗଣା ଚିକିତ୍ସା ସେବା

ଉମରକୋଟ : ଆନ୍ତର୍ଜାତୀୟ ମହିଳା ଦିବସର ପବିତ୍ର ଅବସରରେ ନବରଙ୍ଗପୁର ଜିଲ୍ଲା ଉମରକୋଟ ପୌରପରିଷଦ ଅନ୍ତର୍ଗତ ୟୁ.ଭି. ନଂ–୪ ଦର୍ଗାଗୁଡା ଗ୍ରାମରେ ସହରାଞ୍ଚଳ ସ୍ବାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ଦର୍ଗାଗୁଡା (ଉମରକୋଟ) ପକ୍ଷରୁ ଅଣ ସଂକ୍ରାମକ ରୋଗ ଚିହ୍ନଟ ଶିବିର ଆୟୋଜିତ ହୋଇଥିଲା। ନାରୀଙ୍କ ନିଷ୍ଠା, ସେବାଭାବ, ସହଯୋଗ, ସଂରକ୍ଷଣ ଓ ସମାଜ ଗଠନରେ ତାଙ୍କ ଅମୂଲ୍ୟ ଅବଦାନକୁ ସ୍ମରଣ କରି ଏହି ଦିନରେ ଏପରି ସ୍ବାସ୍ଥ୍ୟ ସେବା କାର୍ଯ୍ୟକ୍ରମ ଆୟୋଜନ କରାଯିବା ଏକ ଉଲ୍ଲେଖନୀୟ ପଦକ୍ଷେପ ବୋଲି ସ୍ଥାନୀୟ ଲୋକମାନେ କହିଛନ୍ତି।

କାର୍ଯ୍ୟକ୍ରମର ଶୁଭାରମ୍ଭ ସମୟରେ ଉମରକୋଟ ପୌରପରିଷଦ ଅଧ୍ୟକ୍ଷା ଶ୍ରୀମତୀ ରାଧା ଭତ୍ରା, ୱାର୍ଡ ମେମ୍ବର ଶ୍ରୀ ତପନ ଦେବନାଥ ଓ ଅଞ୍ଚଳର ଅନେକ ଗ୍ରାମବାସୀ ବିଘ୍ନନାଶକ ଶ୍ରୀ ଶ୍ରୀ ଗଣେଶଙ୍କ ପୂଜା ଅର୍ଚ୍ଚନା କରି ଶିବିରକୁ ଆରମ୍ଭ କରିଥିଲେ। ପରେ ଡାକ୍ତରମାନଙ୍କ ଦ୍ୱାରା ଆସିଥିବା ରୋଗୀମାନଙ୍କର ସ୍ବାସ୍ଥ୍ୟ ପରୀକ୍ଷା କାର୍ଯ୍ୟ ଆରମ୍ଭ ହୋଇଥିଲା।

ଏହି ଶିବିରରେ ଡାକ୍ତର ଅଭିଷେକ ଚୌଧୁରୀ, ଫାର୍ମାସି ଅଫିସର ଉତ୍ପଳ ଦେବନାଥ, ମହିଳା ଏ.ଏନ.ଏମ କୁଞ୍ଜଳତା ସାନ୍ତା ଓ ଆଶାକର୍ମୀ ଶ୍ରୀମତୀ ରେବା ରାୟ ସହିତ ଅନ୍ୟାନ୍ୟ ସ୍ବାସ୍ଥ୍ୟକର୍ମୀମାନେ ସକ୍ରିୟ ଭାବରେ ଯୋଗଦେଇଥିଲେ। ବିଭିନ୍ନ ଗ୍ରାମରୁ ଆସିଥିବା ପ୍ରାୟ ୧୯୦ ଜଣ ମହିଳା ଓ ପୁରୁଷଙ୍କର ରକ୍ତଚାପ, ଡାୟାବେଟିସ, ହୃଦ୍‌ରୋଗ ଓ ଅନ୍ୟାନ୍ୟ ଅଣ ସଂକ୍ରାମକ ରୋଗର ପରୀକ୍ଷା କରାଯାଇଥିଲା। ପରୀକ୍ଷା ପରେ ଆବଶ୍ୟକତା ଅନୁସାରେ ରୋଗୀମାନଙ୍କୁ ମାଗଣା ଔଷଧ ବଣ୍ଟନ କରାଯାଇଥିଲା ଏବଂ ସ୍ବାସ୍ଥ୍ୟ ସମ୍ପର୍କିତ ଉପଦେଶ ମଧ୍ୟ ଦିଆଯାଇଥିଲା।

ଯେଉଁ ରୋଗୀମାନେ ପୁରୁଣା କିମ୍ବା ଗୁରୁତର ରୋଗରେ ପୀଡିତ ଥିଲେ ସେମାନଙ୍କୁ ଉତ୍ତମ ଚିକିତ୍ସା ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଯିବା ପାଇଁ ପରାମର୍ଶ ଦିଆଯାଇଥିଲା।

ଏପରି ଅଣ ସଂକ୍ରାମକ ରୋଗ ଚିହ୍ନଟ ଶିବିର ଗ୍ରାମାଞ୍ଚଳରେ ବହୁତ ଗୁରୁତ୍ୱପୂର୍ଣ୍ଣ। କାରଣ ଡାୟାବେଟିସ, ରକ୍ତଚାପ, ହୃଦ୍‌ରୋଗ ଭଳି ଅନେକ ରୋଗ ଆରମ୍ଭରେ ସହଜରେ ଧରା ପଡ଼େ ନାହିଁ। ଏପରି ଶିବିର ମାଧ୍ୟମରେ ଆରମ୍ଭ ଅବସ୍ଥାରେ ରୋଗ ଚିହ୍ନଟ ହେଲେ ସମୟରେ ଚିକିତ୍ସା କରାଯାଇ ପରବର୍ତ୍ତୀ ଗୁରୁତର ସମସ୍ୟାରୁ ରୋଗୀମାନେ ରକ୍ଷା ପାଇପାରନ୍ତି। ଏହା ସହିତ ଲୋକମାନଙ୍କ ମଧ୍ୟରେ ସ୍ବାସ୍ଥ୍ୟ ସଚେତନତା ବୃଦ୍ଧି ପାଉଥାଏ ଏବଂ ସ୍ୱସ୍ଥ ସମାଜ ଗଠନରେ ଏହିପରି କାର୍ଯ୍ୟକ୍ରମ ଦୃଢ଼ ଭୂମିକା ନିଭାଏ।

ଶେଷରେ ଏହି ସ୍ବାସ୍ଥ୍ୟ ଶିବିର ସଫଳତାର ସହିତ ସମାପ୍ତ ହୋଇଥିଲା ଓ ସ୍ଥାନୀୟ ଲୋକମାନେ ସରକାରୀ ସ୍ବାସ୍ଥ୍ୟ ବିଭାଗର ଏହି ପଦକ୍ଷେପକୁ ସ୍ୱାଗତ କରିଥିଲେ।

Leave A Reply

Your email address will not be published.