
ନୟାଗଡ଼ : ସରକାରୀ ବାବୁ ମାନେ ଗୋଟିଏ ସ୍ଥାନରେ ୩ବର୍ଷରୁ ଉର୍ଦ୍ଧ୍ବ ସମୟ ରହିପାରିବେ ନାହିଁ। ରାଜ୍ୟ ସରକାର ସମସ୍ତ ବିଭାଗକୁ ଏକ ନିର୍ଦ୍ଦେଶନାମା ଜାରି କରିଛନ୍ତି ।ମାତ୍ର କିଛି ସରକାରୀ କର୍ମଚାରୀ ଉପରିସ୍ଥ ଅଧିକାରୀଙ୍କୁ ହାତ ବାରିସୀ କରି ବର୍ଷ ବର୍ଷ ଧରି ଗୋଟିଏ ସ୍ଥାନରେ ନିଜର ଆଧିପତ୍ୟ ବିସ୍ତାର କରି ଦୁର୍ନୀତିରେ ବୁଡି ରହୁଛନ୍ତି ।ଏହାର ଜ୍ୱଳନ୍ତ ଉଦାହରଣ ହେଉଛନ୍ତି ଓଡ଼ଗାଁ ସାମାଜିକ ସୁରକ୍ଷା ଅଧିକାରୀ (ବିଏସଏସଓ) ଗୋଟିଏ ସ୍ଥାନରେ ୯ ବର୍ଷ ଧରି ଆସ୍ଥାନ ଜମାଇ ନିଜର ଜାଲ ବିଛାଇ ଚାଲିଛନ୍ତି । ଓଡ଼ଗାଁ ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ରାଜସ୍ଵିନି ପ୍ରଧାନଙ୍କ ଦୀର୍ଘ ୯ ବର୍ଷର କାର୍ଯ୍ୟକାଳ ମଧ୍ୟରେ ଆଖିବୁଜା ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଛି। ସ୍ବାମୀ ଥାଇ ବିଧବା ଭତ୍ତା ପ୍ରଦାନ, ଭେଣ୍ଡିଆ ମାନଙ୍କୁ ବାର୍ଦ୍ଧକ୍ୟ ଭତ୍ତା ପ୍ରଦାନ, ସବଳ ଲୋକଙ୍କୁ ଭିନ୍ନକ୍ଷମ ଭତ୍ତା ପ୍ରଦାନ, ୮୦ବର୍ଷରୁ ଉର୍ଦ୍ଧ୍ବ ଓ ୮୦ ପ୍ରତିଶତରୁ ଉର୍ଦ୍ଧ୍ବ ନକଲି ଭିନ୍ନକ୍ଷମଙ୍କୁ ଭତ୍ତା ଯୋଜନାରେ ସାମିଲ କରାଯାଇଛି । ଏହି ଘଟଣା ଜଣା ପଡ଼ିବା ପରେ ଏବେ ଓଡ଼ଗାଁ ରୁ ୧୪୩ ଜଣଙ୍କ ଭତ୍ତା ବନ୍ଦ କରାଯାଇଛି । ଏତେ ସବୁ ଦୁର୍ନୀତି ବାରମ୍ବାର ଘଟୁଥିଲେ ମଧ୍ୟ ଉପରିସ୍ଥ ଅଧିକାରୀ ଘଣ୍ଟ ଘୋଡାଇବା ପଛରେ କେଉଁ କାରଣ ରହିଛି ତାହା ତଦନ୍ତ ସପେକ୍ଷ।ନିକଟରେ ଦଶପଲ୍ଲା, ରଣପୁର ବିଏସଏସଓ ମାନଙ୍କର ଅନ୍ୟତ୍ର ବଦଳି ହୋଇଥିଲା ମାତ୍ର ଜିଲ୍ଲା ପ୍ରଶାସନ କାହିଁକି ଓଡ଼ଗାଁ ସାମାଜିକ ସୁରକ୍ଷା ଅଧିକାରୀଙ୍କୁ ମୁଣ୍ଡରେ ବସାଇଛି ତାହା ବୁଝାପଡୁନି ।
ଅନେକ ନକଲି ହିତାଧିକାରୀ ସରକାରୀ ଯୋଜନାର ଫାଇଦା ପାଉଥିବା ବେଳେ ଯୋଗ୍ୟ ହିତାଧିକାରୀ ଜଳକା ସାଜିଛନ୍ତି ।ଏହି ସବୁ ଘଟଣାର ଜିଲ୍ଲାପାଳ ତଦନ୍ତ କରି ଯୋଗ୍ୟ ହିତାଧିକାରୀଙ୍କୁ ଭତ୍ତା ଯୋଜନାରେ ସାମିଲ କରିବା ସହିତ ଅନେକ ଦିନ ଧରି ଗାଦି ମାଡ଼ି ବସିଥିବା ଅଧିକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି ହୋଇଛି ।