
ଉମରକୋଟ/ରାଇଘର : ନବରଙ୍ଗପୁର ଜିଲ୍ଲାର ରାଇଘର ବ୍ଲକ ଅନ୍ତର୍ଗତ କୁନ୍ଦେଇ ଥାନା ଅଞ୍ଚଳର ମାରିଗାଁ ଗ୍ରାମରେ ଏକ ପୁରାତନ ମନ୍ଦିର ଜମିକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ଦୀର୍ଘଦିନ ଧରି ଚାଲିଆସୁଥିବା ବିବାଦ ଗୁରୁତର ରୂପ ଧାରଣ କରିଥିବାରୁ ଗ୍ରାମରେ ଟଣାଟଣି ପରିସ୍ଥିତି ସୃଷ୍ଟି ହୋଇଛି। ପରିସ୍ଥିତିକୁ ନିୟନ୍ତ୍ରଣରେ ରଖିବା ଏବଂ ଗ୍ରାମରେ ଶାନ୍ତି-ଶୃଙ୍ଖଳା ରକ୍ଷା କରିବା ପାଇଁ ପ୍ରଶାସନ ପକ୍ଷରୁ ଦଣ୍ଡାତ୍ମକ ପ୍ରକ୍ରିୟା ସଂହିତା (CrPC) ଅନୁସାରେ ୧୬୩ ଧାରା ଜାରି କରାଯାଇଛି।
ସୂଚନା ଅନୁସାରେ, ମାରିଗାଁ ଗ୍ରାମରେ ଅବସ୍ଥିତ ଏକ ପୁରାତନ ମନ୍ଦିର ସମ୍ପର୍କିତ ଜମିର ମାଲିକାନା ଓ ବ୍ୟବହାରକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ଦୀର୍ଘ ସମୟ ଧରି ମତଭେଦ ଚାଲିଆସୁଥିଲା। ଏହି ମତଭେଦ ଶେଷ କିଛି ଦିନ ଧରି ଅଧିକ ତିବ୍ର ହୋଇପଡିଥିବାରୁ ଗ୍ରାମରେ ଅଶାନ୍ତି ଓ ତଣାତଣି ପରିସ୍ଥିତି ସୃଷ୍ଟି ହୋଇଥିଲା। ଗ୍ରାମବାସୀଙ୍କ ମଧ୍ୟରେ ଏହି ବିବାଦକୁ ନେଇ ଚର୍ଚ୍ଚା ଓ ବିରୋଧ ବୃଦ୍ଧି ପାଇଥିବା ବେଳେ କୌଣସି ସମୟରେ ପରିସ୍ଥିତି ଅନିୟନ୍ତ୍ରିତ ହେବାର ଆଶଙ୍କା ଜନ୍ମ ନେଇଥିଲା।
ଘଟଣା ସମ୍ପର୍କରେ ସୂଚନା ପାଇ ରାଇଘର ପ୍ରଶାସନ ଓ କୁନ୍ଦେଇ ପୋଲିସର ଅଧିକାରୀମାନେ ତତ୍କ୍ଷଣାତ୍ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତିର ଅନୁଧ୍ୟାନ କରିଥିଲେ। ସେମାନେ ଦୁଇପକ୍ଷର ଲୋକମାନଙ୍କ ସହ ଆଲୋଚନା କରି ଶାନ୍ତି ଓ ସମ୍ମିଳିତ ଭାବରେ ରହିବାକୁ ଅନୁରୋଧ କରିଥିଲେ। ସେହିପରି କୌଣସି ପ୍ରକାର ଅପ୍ରୀତିକର ଘଟଣା ଘଟିବାକୁ ନଦେବା ପାଇଁ ପୋଲିସ ପକ୍ଷରୁ ଗ୍ରାମ ଓ ଆସପାସ ଅଞ୍ଚଳରେ କଡା ପହରା ବ୍ୟବସ୍ଥା କରାଯାଇଛି।
ପ୍ରଶାସନ ପକ୍ଷରୁ ୧୬୩ ଧାରା ଜାରି ହେବା ପରେ ଗ୍ରାମ ଅଞ୍ଚଳରେ ଏକାଠି ହେବା, ସଭା କିମ୍ବା ଜମାଯୋଗ କରିବା ଉପରେ ନିଷେଧ ଲାଗୁ ହୋଇଛି। ଏହା ସହିତ ଆଇନ ଶୃଙ୍ଖଳା ଭଙ୍ଗ କରିବା ପରି କୌଣସି କାର୍ଯ୍ୟ କଲେ କଡା ଆଇନୁକ୍ତ ପଦକ୍ଷେପ ଗ୍ରହଣ କରାଯିବ ବୋଲି ପ୍ରଶାସନ ପକ୍ଷରୁ ସତର୍କ କରାଯାଇଛି।
ପ୍ରଶାସନ ଦୁଇପକ୍ଷକୁ ଆଇନ ମାନି ଶାନ୍ତିପୂର୍ଣ୍ଣ ଭାବରେ ବସି ଆଲୋଚନା ମାଧ୍ୟମରେ ସମସ୍ୟାର ସମାଧାନ କରିବାକୁ ଅନୁରୋଧ କରିଛି। ବର୍ତ୍ତମାନ ପରିସ୍ଥିତି ପୋଲିସ ଓ ପ୍ରଶାସନର ନଜରରେ ରହିଥିବା ବେଳେ ଅଞ୍ଚଳରେ ଶାନ୍ତି ଓ ନିୟନ୍ତ୍ରଣ ରହିଥିବା ସୂଚନା ମିଳିଛି।