ଆସାମରେ ୨୩,୫୫୦ କୋଟିର ପ୍ରକଳ୍ପ ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ ମୋଦୀ

newyr25

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର ଆସାମର ସିଲଚରରେ ୨୩,୫୫୦ କୋଟି ଟଙ୍କାର ଅନେକ ବିକାଶମୂଳକ ପରିଯୋଜନାର ମୂଳଦୁଆ ପକାଇବା ସହ ନିର୍ମାଣ ହେବାକୁ ଥିବା ଏକ୍ସପ୍ରେସୱେର ଭୂମି ପୂଜନ କରିଛନ୍ତି। ସଭାକୁ ସମ୍ବୋଧିତ କରି ମୋଦୀ କହିଛନ୍ତି ଯେ ପ୍ରଶାସନ ଏହି କ୍ଷେତ୍ରର ଉଦ୍ୟୋଗ ପ୍ରତିଷ୍ଠାକୁ ପୁନଃ ସ୍ଥାପନ ପାଇଁ କାମ କରୁଛି। ୧୬୬ ଦୈର୍ଘ୍ୟ କିଲୋମିଟର ଓ ୪ ଲେନ୍ ବିଶିଷ୍ଟ ଏହି ହାଇ ସ୍ପିଡ୍ କରିଡର ନିର୍ମାଣ ହେବା ଫଳରେ ଗୌହାଟୀ ଏବଂ ସିଲଚର ମଧ୍ୟରେ ସାଢେ ୮ ଘଣ୍ଟାର ଯାତ୍ରା ମାତ୍ର ୫ ଘଣ୍ଟାରେ ପୂର୍ଣ୍ଣ ହେବ। ଏହି କରିଡର ସିଲଚରକୁ ମିଜୋରାମ, ମଣିପୁର ଓ ତ୍ରିପୁରା ସହ ଯୋଡିବ । ଏହା ଫଳରେ ସ୍ଥାନୀୟ ଉଦ୍ୟୋଗ, କୃଷି ଓ ପର୍ଯ୍ୟଟନକୁ ଅଧିକ ପ୍ରୋତ୍ସାହନ ମିଳିବ। ମୋଦୀ କହିଛନ୍ତି ଯେ ଘାଟିର ଚାହା ବଗିଚା ଶ୍ରମିକ ଓ ଚାଷୀମାନେ ଆସାମର ବିକାଶରେ ଅମୂଲ୍ୟ ଯୋଗଦାନ କରିଛନ୍ତି। ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନାରେ ଏ ପର୍ଯ୍ୟନ୍ତ ଆସାମର ଚାଷୀଙ୍କୁ ୨୦ ହଜାର କୋଟି ଟଙ୍କାରୁ ଅଧିକ ରାଶି ହସ୍ତାନ୍ତର କରାଯାଇଛି।

ଶୁକ୍ରବାର ବରାକ ଘାଟିର ହଜାର ହଜାର ଚାଷୀଙ୍କ ବ୍ୟାଙ୍କ ଖାତାକୁ ଧନରାଶି ଯାଇଥିବା ମୋଦୀ କହିଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ ଶନିବାର କଲକାତା ମଧ୍ୟ ଗସ୍ତ କରି ଐତିହାସିକ ବ୍ରିଗେଡ୍ ପରେଡ୍ ଗ୍ରାଉଣ୍ଡରେ ଆୟୋଜିତ ବିଶାଳ ଜନସଭାକୁ ସମ୍ବୋଧିତ କରିଛନ୍ତି। ଏହି ଅବସରରେ ମୋଦୀ ୧୮ହଜାର ୭୦୦ କୋଟିର ବିଭିନ୍ନ ପ୍ରକଳ୍ପ ଶିଳାନ୍ୟାସ ଓ ଉଦ୍‌ଘାଟନ କରିଛନ୍ତି। ପଶ୍ଚିମବଙ୍ଗରେ ବର୍ତ୍ତମାନର ତୃଣମୂଳ କଂଗ୍ରେସ ସରକାରଙ୍କୁ ଆକ୍ରମଣ କରି ରାଜ୍ୟରେ ପରିବର୍ତ୍ତନର ଆହ୍ବାନ ଦେଇଛନ୍ତି। ରାଲିରେ ଉପସ୍ଥିତ କର୍ମୀ ଓ ଜନସାଧାରଣଙ୍କ ଭିଡକୁ ଦେଖି ରାଜ୍ୟ ପରିବର୍ତ୍ତନ ଚାହୁଁଛି ବୋଲି ମୋଦୀ କହିଛନ୍ତି। ରାଲି ରୋକିବା ପାଇଁ ସବୁ ପ୍ରକାର ଚେଷ୍ଟା କରାଯାଇଛି ବୋଲି ମୋଦୀ କହିଛନ୍ତି। ରାଲିକୁ ଆସୁଥିବା ଲୋକଙ୍କୁ ଟିଏମସି ଚୋର ବୋଲି କହି ସମ୍ବୋଧନ କରିଛି; କିନ୍ତୁ ପ୍ରକୃତ ଚୋର କିଏ ତାହା ଲୋକ ଜାଣିଛନ୍ତି ବୋଲି ମୋଦୀ କହିଛନ୍ତି। ଟିଏମସି ସରକାରରେ ରୋଟି, ବେଟି ଓ ମାଟିକୁ ବିପଦ ବୋଲି ମୋଦୀ କହିଛନ୍ତି। ହିନ୍ଦୁଙ୍କୁ ସଂଖ୍ୟା ଲଘୁ କରାଯାଉଛି। ଶରଣାର୍ଥୀ ହିନ୍ଦୁଙ୍କୁ ନାଗରିକତା ଦେବା ସମୟ ଆସିଲେ ଟିଏମସି ଏହାକୁ ବିରୋଧ କରୁଛି।

ଅନୁପ୍ରବେଶକାରୀଙ୍କ ନାଁ ଭୋଟର ତାଲିକାରୁ ଯେପରି ନ ହଟିବ ସେଥିପାଇଁ ଏସଆଇଆରକୁ ବିରୋଧ କରାଯାଉଛି ବୋଲି ମୋଦୀ କହିଛନ୍ତି। ସୂଚନାଯୋଗ୍ୟ ବିଜେପି ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପାଇଁ ପ୍ରାର୍ଥୀଙ୍କ ତାଲିକାକୁ ଅନ୍ତିମ ରୂପ ଦେଇଛି। ଦଳର କେନ୍ଦ୍ର ନିର୍ବାଚନ ସମିତିର ବୈଠକରେ ଅଧାରୁ ଅଧିକ ଆସନରେ ପ୍ରାର୍ଥୀଙ୍କ ନାଁ ନିର୍ଦ୍ଧାରିତ ହୋଇସାରିଛି। ବୈଠକରେ ପ୍ରାୟ ୧୬୦ ପ୍ରାର୍ଥୀଙ୍କ ନାଁରେ ମୋହର ବାଜିଛି। ଦଳ ଅଧିକାଂଶ ବିଧାୟକଙ୍କୁ ପୁଣି ସୁଯୋଗ ଦେବାକୁ ନିଷ୍ପତ୍ତି ନେଇଛି। ପ୍ରଥମ ତାଲିକାରେ ରାଜ୍ୟ ବିଜେପିର ପ୍ରମୁଖ ନେତାଙ୍କ ନାଁ ସାମିଲ। ଏଥିରେ ବିଧାନସଭାରେ ବିରୋଧୀ ନେତା ଶୁଭେନ୍ଦୁ ଅଧିକାରୀ ଓ ଦିଲୀପ ଘୋଷଙ୍କ ଭଳି ଚେହେରା ମଧ୍ୟ ସାମିଲ ରହିଛି।

Leave A Reply

Your email address will not be published.