ମା ତାରିଣୀ ଦେବୀଙ୍କ ୧୮ତମ ବିଶ୍ଵଶାନ୍ତି ମହାଯଜ୍ଞ ଉପଲକ୍ଷେ କଳସ ଯାତ୍ରା

ନୟାଗଡ଼,୧୬/୦୩(ନିସର୍ତ୍ତ):ନୟାଗଡ ଜିଲ୍ଲା ରଣପୁର ବ୍ଲକ ଅନ୍ତର୍ଗତ ରାଜସୁନାଖଳା ନୃସିଂହ ପୁର ଟାଙ୍ଗୀ ସାହିସ୍ଥିତ ମା ତାରିଣୀ ଦେବୀଙ୍କ ୧୮ତମ ବାର୍ଷିକ ବିଶ୍ଵଶାନ୍ତି ମହାଯଜ୍ଞ ପଣ୍ଡିତ ଜାନକୀ ବଲ୍ଲଭ ଦାସଙ୍କ ଆବାହକତ୍ୱରେ ସୋମବାର ଦିନ ଅନୁଷ୍ଠିତ ହୋଇଯାଇଅଛି । ଏହି ବିଶ୍ଵଶାନ୍ତି ମହାଯଜ୍ଞ ରବିବାର ଦିନ ଶୁଭ ଅଙ୍କୁରାରୋପଣ, ଶାଲା ମଣ୍ଡନ ଓ ସାଂସ୍କୃତିକ କାର୍ଯ୍ୟକ୍ରମ କରାଯାଇଥିବା ବେଳେ ସୋମବାର ଦିନ କଳସ ଯାତ୍ରା ହୋଇ ଥିଲା। ଏହି ଅବସରରେ ବିଶାଳ କଳସ ଯାତ୍ରା ମହାଆଡମ୍ବର ସହକାରେ ଆୟୋଜିତ ହୋଇଥିଲା । ଏହି କଳସ ଯାତ୍ରାରେ ୧୦୮ କଳସ ବ୍ରତଧାରୀମାନେ ନେଳିଆ ପୋଖରୀରୁ ପବିତ୍ର ଜଳ ସହିତ ନୂତନ ବସ୍ତ୍ର ପରିଧାନ କରି ନିଷ୍ଠାର ସହ ପୂଜା ଅର୍ଚନା କରିବା ପରେ ଗୋପୀନାଥପୁର ସାହି,ଦୁର୍ଗା ବଜାର ,ସୁନାଖଳାସାହି, କାଉଁରୀ ପାଟଣା ସାହି, ମଥୁରପୁରସାହି, ବଣିଆ ସାହି,ରତ୍ନପୁର ସାହି, ନୃସିଂହପୁର ଶାସନ ସାହି ପ୍ରମୁଖ ସାହି ପରିକ୍ରମା କରିଥିଲେ । ଗ୍ରାମବାସୀମାନେ ନିଜ ନିଜ ଦୁଆରେ ଝୋଟି, ଚିତା ସହ ପ୍ରଦୀପ ପ୍ରଜ୍ବଳନ, କଳସ ସ୍ଥାପନ କରି ବିଶାଳ କଳସ ଯାତ୍ରାକୁ ଭବ୍ୟ ସ୍ୱାଗତ କରିଥିଲେ । ଏହି ଯାତ୍ରାରେ ଖେଡବେରଣା ଗ୍ରାମରୁ ଆସିଥିବା ସଙ୍କୀର୍ତ୍ତନ ଦଳ ସଙ୍କୀର୍ତ୍ତନ ପ୍ରଦର୍ଶନ କରି ଥିବାବେଳେ ଓଡ଼ିଶାର କୋଣ ଅନୁକୋଣରୁ ଆସି ଥିବା ବିଶିଷ୍ଟ ପଣ୍ଡିତ ମାନଙ୍କ ବେଦ ପଠନ ଚତୁର୍ଦ୍ଦିଗ କୁ ଭାବ ଓ ଭକ୍ତିମୟ ପରିବେଶ ସୃଷ୍ଟି କରିଥିଲା ।
ଏହି ବିଶ୍ଵଶାନ୍ତି ମହାଯଜ୍ଞ ୧୬ ତାରିଖ ଠାରୁ ଆରମ୍ଭ ହୋଇ ୧୮ତାରିଖ ବୁଧବାର ଦିନ ପର୍ଯ୍ୟନ୍ତ ୩ଦିନ ଧରି ଚାଲୁ ରହିବ । ଏଥି ସହିତ ପ୍ରତ୍ୟେକ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମର ମଧ୍ୟ ଆୟୋଜନ କରାଯିବ ବୋଲି ଶ୍ରୀ ଦାସ ଗଣ ମାଧ୍ୟମ କୁ ସୂଚନା ପ୍ରଦାନ କରିଛନ୍ତି ।

ad-week
Leave A Reply

Your email address will not be published.