ଶୁଳ୍କ ସ୍ଥିତି ସ୍ପଷ୍ଟ ନ ହେବା ପର୍ଯ୍ୟନ୍ତ ଆମେରିକା ସହ ବାଣିଜ୍ୟ ଚୁକ୍ତି ସ୍ବାକ୍ଷର କରିବ ନାହିଁ ଭାରତ

add-all

ନୂଆଦିଲ୍ଲୀ: ଶୁଳ୍କ ସ୍ଥିତି ସ୍ପଷ୍ଟ ନ ହେବା ପର୍ଯ୍ୟନ୍ତ ଆମେରିକା ସହ ଭାରତ ବାଣିଜ୍ୟ ଚୁକ୍ତି ସ୍ବାକ୍ଷର କରିବ ନାହିଁ। ଚଳିତ ମାସରେ ଆମେରିକା ସହ ଚୁକ୍ତି ହେବାର ଥିଲା। ମାତ୍ର‌ ସେଠାକାର ସୁପ୍ରିମକୋର୍ଟ ରାଷ୍ଟ୍ରପତି ଟ୍ରମ୍ପ ଲଗାଇଥିବା ଶୁଳ୍କକୁ ଅସିଦ୍ଧ ଘୋଷଣା କରିବା ପରେ ସ୍ଥିତି ବଦଳିଯାଇଛି। ଏହାର କିଛି ସମୟ ପରେ ଟ୍ରମ୍ପ ଦୁଇ ପର୍ଯ୍ୟାୟରେ ୧୫ ପ୍ରତିଶତର ନୂଆ ଶୁଳ୍କ ଲଗାଇଛନ୍ତି। ପ୍ରଥମେ ଯେଉଁ ଆଲୋଚନା ହୋଇଥିଲା ତାହା ପୂର୍ବରୁ ଲଗାଯାଇଥିବା ଶୁଳ୍କ ଆଧାରରେ ହୋଇଥିଲା। ଯେଉଁ ସବୁ ଦେଶ ଆମେରିକା ସହ ବାଣିଜ୍ୟ ଚୁକ୍ତି କରିଛନ୍ତି ସେମାନେ ନିଜ ପ୍ରତିଦ୍ବନ୍ଦ୍ବୀଙ୍କଠାରୁ ଭଲ ଡିଲ୍‌ ପାଇବା ପରେ ଆଗକୁ ବଢ଼ିଥିଲେ। ବର୍ତ୍ତମାନ ସ୍ଥିତି ସମ୍ପୂର୍ଣ୍ଣ ବଦଳିଯାଇଥିବାରୁ ସ୍ଥିତି ସ୍ପଷ୍ଟ ହେବା ପର୍ଯ୍ୟନ୍ତ ଭାରତ ଅପେକ୍ଷା କରିବ ବୋଲି ବାଣିଜ୍ୟ ମନ୍ତ୍ରଣାଳୟର ଜଣେ ଅଧିକାରୀ କହିଛନ୍ତି।

ଗତ ଫେବ୍ରୁଆରି ୨୦ରେ ଆମେରିକା ସୁପ୍ରିମକୋର୍ଟ ଟ୍ରମ୍ପ ଲଗାଇଥିବା ଶୁଳ୍କକୁ ଅସିଦ୍ଧ ଘୋଷଣା କରିଥିଲେ। ଏହାପରେ ରାଷ୍ଟ୍ରପତି ଟ୍ରମ୍ପ ଏକ ଜରୁରୀକାଳୀନ ଆଇନରେ ଦିଆଯାଇଥିବା କ୍ଷମତା ବ୍ୟବହାର କରି ଫେବ୍ରୁଆରି ୨୪ରେ ନୂଆ ଶୁଳ୍କ ଲଗାଇଥିଲେ। ସେହି ଶୁଳ୍କ ସର୍ବାଧିକ ୧୫୦ ଦିନ ପର୍ଯ୍ୟନ୍ତ ଲାଗିପାରିବ। ଏହାର କିଛି ଦିନ ପୂର୍ବରୁ ଅର୍ଥାତ ଗତ ଫେବ୍ରୁଆରି ୨ରେ ଉଭୟ ଭାରତ ଓ ଆମେରିକା ଅନ୍ତରୀଣ ବାଣିଜ୍ୟ ଚୁକ୍ତି ସ୍ବାକ୍ଷର କରିବା ନେଇ ସହମତ ହୋଇଥିଲେ। ଟ୍ରମ୍ପ ଲଗାଇଥିବା ଶୁଳ୍କକୁ ୧୮ ପ୍ରତିଶତକୁ ହ୍ରାସ କରିବା ଓ ରୁଷ ତୈଳ କ୍ରୟ ପାଇଁ ଲାଗିଥିବା ୨୫ ପ୍ରତିଶତ ଜରିମାନା ଶୁଳ୍କକୁ ସମ୍ପୂର୍ଣ୍ଣ ଉ‌ଚ୍ଛେଦ କରିବା ପରେ ଚୁକ୍ତି ସ୍ବାକ୍ଷର କରିବାକୁ ଭାରତ ରାଜି ହୋଇଥିଲା। କିନ୍ତୁ ପରବର୍ତ୍ତୀ ସମୟରେ ଘଟିଥିବା ଘଟଣାଗୁଡ଼ିକ ଏହି ଚୁକ୍ତିକୁ ଅନ୍ଧାର ମଧ୍ୟକୁ ଠେଲି ଦେଇଛି।

ad-week
Leave A Reply

Your email address will not be published.