
ରାୟଗଡା : କ୍ଷତିପୂରଣ ଦାବି କରି ରାୟଗଡା କ୍ଷୁଦ୍ରଜଳସେଚନ ବିଭାଗର କାର୍ଯ୍ଯାଳୟକୁ ତାଲା ପକାଇଲେ ଚାଷୀ । ଜମି ହରାଇଥିବା ଚାଷୀଙ୍କୁ ତୁରନ୍ତ କ୍ଷତିପୂରଣ ନ ମିଳିବା ଯାଏ କାର୍ଯ୍ଯାଳୟ ଆଗରେ ଧାରଣା ଜାରି ରହିବ ବୋଲି ଗ୍ରାମବାସୀ କହିଛନ୍ତି । କାର୍ଯ୍ଯାଳୟରେ ତାଲା ପକାଇବା ଯୋଗୁ କର୍ମଚାରୀ ବାହାରେ ରହିଥିବା ଦେଖିବାକୁ ମିଳିଛି ।
ରାୟଗଡା ଜିଲ୍ଲା କୋଲନରା ବ୍କକର ପୁଜାରୀଗୁଡା ଗ୍ରାମରେ କ୍ଷୁଦ୍ରଜଳସେଚନ ବିଭାଗ ପକ୍ଷରୁ ଚାଷ ଜମିକୁ ପାଣି ଯିବା ପାଇଁ ଏକ ଚେକ୍ ଡ୍ଯାମ୍ ନିର୍ମାଣ ହୋଇଥିଲା । ତେବେ କେନାଲ ନିର୍ମାଣ ପାଇଁ ପ୍ରାୟ ୩୦ ଜଣ ୫ ଏକର ଜମି ସରକାରଙ୍କୁ ଦେଇଥିଲେ । ଚୁକ୍ତି ଅନୁଯାୟୀ, ଜମିହରାମାନେ କ୍ଷତିପୂରଣ ପାଇବା କଥା ।
କିନ୍ତୁ ଦୀର୍ଘ ୭ବର୍ଷ ହେବ ଜମିହରାମାନେ କ୍ଷତିପୂରଣ ପାଇନାହାନ୍ତି । ଏନେଇ ଜମିହରା ଲୋକେ ବିଭାଗୀୟ ଅଧିକାରୀଙ୍କ ସମେତ ଜିଲ୍ଲାପାଳଙ୍କୁ ସାକ୍ଷାତ କରି କ୍ଷତିପୂରଣ ଦେବା ପାଇଁ ଦାବି କରିଥିଲେ । ତଥାପି କ୍ଷତିପୂରଣ ମିଳିନଥିବା ଅଭିଯୋଗ ହୋଇଛି । ଆଜି ଜମିହରା ଲୋକେ ତିନି ଘଣ୍ଟା କାଳ ଅଫିସରେ ତାଲା ପକାଇବା ସହ ଧା ରଣାରେ ବସିଛନ୍ତି । ଆଇନଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ଟାଉନ୍ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଲୋକମାନଙ୍କୁ ବୁଝାସୁଝା କରୁଛି । ତେବେ ଏନେଇ ବିଭାଗୀୟ ଅଧିକାରୀଙ୍କ ପ୍ରତିକ୍ରିୟା ମିଳିପାରିବ ନାହିଁ ।