କବି ବଳରାମ ପୂଜାରୀଙ୍କ ୫୨ତମ ଜୟନ୍ତୀ ପାଳିତ : ବିଶିଷ୍ଠ କବି ଚକ୍ରପାଣି ପରିଚ୍ଛାଙ୍କୁ କବି ବଳରାମ ପୂଜାରୀ ସ୍ମୃତି ସମ୍ମାନ

ଜୟପୁର : ଓଡିଆ ଭାଷା ସାହିତ୍ୟର ଉପାନ୍ତ ପ୍ରହରୀ ମାଟିମଗ୍ନା ସ୍ଵର୍ଗତ କବି ବଳରାମ ପୂଜାରୀ ସୁପରିଚିତ । ତାଙ୍କ ରଚନାରେ ମାଲ୍ୟବନ୍ତ ମାଟିର କଥା କୁହେ । ବିଶ୍ଵ କବିତା ଦିବସରେ ଜନ୍ମ ଗ୍ରହଣ କରି ମାଲକାନଗିରି ଜିଲ୍ଲା ତଥା ଓଡ଼ିଶା ରାଜ୍ୟକୁ କାବ୍ୟମୟ କରି ପାରିଛନ୍ତି । ସେ ସୃଷ୍ଟି କରିଥିବା ପୁସ୍ତକ ସବୁ ଉତ୍ତର ପିଢିଙ୍କୁ ଦିଗଦର୍ଶନ ଦେବାରେ ପ୍ରମୁଖ ଭୂମିକା ଗ୍ରହଣ କରିବ । ଆଜି କବିଙ୍କ ଜୟନ୍ତୀ ଅବସରରେ କୁଡୁମୁଲୁଗୁମ୍ମାରେ ଥିବା ପ୍ରତିମୂର୍ତ୍ତିରେ ବହୁ ମାନ୍ୟଗନ୍ୟ ବ୍ୟକ୍ତି ପୁଷ୍ପମାଲ୍ୟାର୍ପଣ ସହ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ଓଡିଆ ସାହିତ୍ୟର ଜଣେ ସ୍ପର୍ଦ୍ଧିତ ସ୍ବର କବି ବଳରାମ ପୂଜାରୀଙ୍କ ୫୨ତମ ଜୟନ୍ତୀ ସମାରୋହ ଜୟପୁର ସ୍ଥିତ ଏସ୍ ଆର୍ ମଲର କନଭେନସନ୍ ହୋଲରେ ଅନୁଷ୍ଠିତ ହୋଇଯାଇଛି।
ଏହି କାର୍ଯ୍ୟକ୍ରମରେ ଓଡ଼ିଶାର ବିଭିନ୍ନ ଅଞ୍ଚଳରୁ ଅନେକ ସାରସ୍ଵତ ସାଧକ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ବିଶିଷ୍ଟ କବି ଡ ବାସୁଦେବ ସୁନାନୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ‘କବିତା ହେଉଛି କରୁଣାର ପ୍ରତିବେଦନ, ଆଉ କବି ବଳରାମ ପୂଜାରୀଙ୍କ କବିତା ବଞ୍ଚିତବର୍ଗର କରୁଣାର କଥା କହୁଛି’ ବୋଲି କହିଥିଲେ । ସମ୍ମାନିତ ଅତିଥି ଭାବେ ବିଶିଷ୍ଟ ଗବେଷକ ଡ ପରମେଶ୍ଵର ମୁଣ୍ଡ ଓ କବି ଡ ପ୍ରୀତିଧାରା ସାମଲ ଯୋଗଦେଇ ବଳରାମ ପୂଜାରୀଙ୍କ ସାହିତ୍ୟ ଯାତ୍ରା ସମ୍ପର୍କରେ ଆଲୋଚନା କରିଥିଲେ। ସଭାପତିତ୍ବ କରିଥିଲେ କବି ତଥା ପ୍ରଶାସକ ଧର୍ମରାଜ ମାଝୀ । ଏହି ଅବସରରେ ବିଶିଷ୍ଟ କବି ଚକ୍ରପାଣି ପରିଚ୍ଛାଙ୍କୁ ପ୍ରଥମ ‘କବି ବଳରାମ ପୂଜାରୀ ସ୍ମୃତି ସମ୍ମାନ – ୨୦୨୬’ ପ୍ରଦାନ କରାଯାଇଥିଲା। ସମ୍ମାନ ବାବଦରେ ମାନପତ୍ର, ଉପଢୌକନ ଓ ଅର୍ଥରାଶି ବାବଦକୁ ପାଞ୍ଚ ହଜାର ଟଙ୍କା ପ୍ରଦାନ କରାଗଲା। ଏହି ଅବସରରେ କବି ବଳରାମ ପୂଜାରୀଙ୍କୁ ସମର୍ପିତ କରି ‘କବିତା କୋରାପୁଟ’ ନାମରେ ଏକ ସ୍ବତନ୍ତ୍ର କବି ସମ୍ମିଳନୀର ଆୟୋଜନ କରାଯାଇଥିଲା। ଏଥିରେ ସାହିତ୍ୟିକ ହରିହର କରସୂଧା ପଟ୍ଟନାୟକ ସଭାପତିତ୍ବ କରିଥିଲେ। ରବି ଶତପଥୀ, ମାଧୁରୀ ପଣ୍ଡା, ଏମ୍. ହିମାଂଶୁ ଆଚାରୀ, ଅଶୋକ ମହାରଣା ,ପ୍ରକାଶ ମହାନ୍ତି , ଗୋପାଳକୃଷ୍ଣ ସାମନ୍ତରାୟ , ସବିତା ତ୍ରିପାଠୀ , ମନୋରଞ୍ଜନ ପ୍ରଧାନ କବିତାପାଠ କରିଥିବା ବେଳେ ଓମପ୍ରକାଶ ମିଶ୍ର ସମୀକ୍ଷା କରିଥିଲେ । ପୁଷ୍ପାଞ୍ଜଳି ରଣା ସ୍ବାଗତ ଭାଷଣ ଦେଇଥିବା ବେଳେ ବିଜୟଲକ୍ଷ୍ମୀ ପାଣିଗ୍ରାହୀ କାର୍ଯ୍ୟକ୍ରମର ସଂଯୋଜନା କରିଥିବା ବେଳେ ସବ୍ୟସାଚୀ ବିଷୋୟୀ, ନିରଞ୍ଜନ ପାଣିଗ୍ରାହୀ, ଭଗବାନ ସାହୁ, ରୁଦ୍ରାଭିଷେକ ପୂଜାରୀ , ରସରାଜ୍ ମୁଦୁଲି , ପ୍ରମୁଖ ପରିଚାଳନା କରିଥିଲେ ।