ଲେଡି ଡନଙ୍କ ଉନ୍ମତ୍ତ କାଣ୍ଡ, ଗାଁ ଦାଣ୍ଡରେ ମହିଳାଙ୍କୁ ଗୋଡ଼ାଇ ଗୋଡାଇ ଆକ୍ରମଣ

newyr25

ନୀଳଗିରି: ବାଲେଶ୍ବର ଜିଲା ନୀଳଗିରିରେ ଲେଡ଼ି ଡନ୍ ଆତଙ୍କକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି।  ଗାଁ ଦାଣ୍ଡରେ ଜଣେ ମହିଳାଙ୍କୁ ଗୋଡ଼ାଇ ଗୋଡ଼ାଇ ଲୁହାଛଡ଼ରେ ଆକ୍ରମଣ କରାଯିବା ଘଟଣା ସମ୍ପ୍ରତି ଅଞ୍ଚଳରେ ଉଦବେଗ ଭରି ଦେଇଛି। ମହିଳା ଜଣକ ମୁର୍ମୂଷ ଅବସ୍ଥାରେ ଡାକ୍ତରଖାନାରେ ଜୀବନ ସହ ସଂଗ୍ରାମ କରୁଛନ୍ତି। ନୀଳଗିରି ଥାନା ସନ୍ତରାଗଡ଼ିଆ ନିକଟ କାନପୁର ଗାଁର ତରୁଣ ଦାସ ଏବଂ ତାଙ୍କ ସ୍ତ୍ରୀ ପ୍ରିୟଙ୍କା ଦାସ ନୀଳଗିରି ଥାନାରେ ଘରୋଇ ବିବାଦକୁ କେନ୍ଦ୍ରକରି ଏତଲା ଦେଇ ଅଟୋରେ ଘରକୁ ଫେରୁଥିଲେ। ଏତିକି ବେଳେ ନୀଳଗିରି ବାହାର ଅଞ୍ଚଳରୁ ୨ ଜଣ ଲେଡି ଡନ୍ ଏବଂ ୫ଜଣ ଦୁର୍ବୃତ୍ତ ତାଙ୍କୁ ଅଟକାଇ ଗାଁ ଦାଣ୍ଡରେ ଘୋଷାଡ଼ି ଘୋଷାଡ଼ି ଆକ୍ରମଣ କରିଥିଲେ। ନିଜକୁ ବଞ୍ଚାଇବା ପାଇଁ ମହିଳା ଜଣକ ଯେତେ ନେହୁରା ହୋଇଥିଲେ ମଧ୍ୟ ସେମାନେ କିଛି ଶୁଣିନଥିଲେ। ଲୁହାଛଡ଼ରେ ମହିଳାଙ୍କୁ ମାରି କ୍ଷତାକ୍ତ କରି ଦେଇଥିଲେ। ମହିଳାଙ୍କ ଗୋଡ଼ ଓ ଶରୀରରେ ଗଭୀର ଆଘାତ ଲାଗି ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡ଼ି ଚିତ୍କାର କରି ଚାଲିଥିଲେ।

ସେହି ଗାଁର ପ୍ରଶାନ୍ତ ଦାସ ନାମକ ବ୍ୟକ୍ତି ଏବଂ ବାହାର ଅଞ୍ଚଳରୁ ୨ଜଣ ଲେଡି ଡନଙ୍କୁ ଡ଼କାଇ ଏଭଳି କାଣ୍ଡ କରିଥିବା ଅଭିଯୋଗ ହୋଇଛି। ଏହି ଆକ୍ରମଣକାରୀ ମହିଳାମାନେ ନୀଳଗିରି ବାହାର ଅଞ୍ଚଳର ଏବଂ ଅଞ୍ଚଳବାସୀ ସେମାନଙ୍କୁ ଚିହ୍ନଟ କରି ପାରିନଥିବା ସୂଚନା ମିଳିଛି। ସେପଟେ ଖୁବଶୀଘ୍ର ଅଭିଯୁକ୍ତଙ୍କୁ ଗିରଫ କରାଯିବ ବୋଲି ନୀଳଗିରି ଆଇଆଇସି ଗୋବର୍ଦ୍ଧନ ନାୟକ ସୂଚନା ଦେଇଛନ୍ତି। ଅପରପକ୍ଷରେ ନୀଳଗିରି ଅଞ୍ଚଳରେ ଏଭଳି ସମ୍ବେଦନଶୀଳ ଘଟଣା ସମ୍ପର୍କରେ ଖବରପାଇ ବାଲେଶ୍ବର ସାଂସଦ ପ୍ରତାପ ଷଡ଼ଙ୍ଗୀ ଉକ୍ତ ଗାଁରେ ପହଞ୍ଚିଥିଲେ। ଏ ସମ୍ପର୍କରେ ସେ ବାଲେଶ୍ବର ଡିଆଇଜି, ଏସପିଙ୍କୁ ଅବଗତ କରାଇ ୨୪ଘଣ୍ଟା ଭିତରେ ଅଭିଯୁକ୍ତଙ୍କୁ ଗିରଫ କରିବାକୁ ତାଗିଦ କରିଛନ୍ତି।

Leave A Reply

Your email address will not be published.