
କୋରାପୁଟ/ଲମତାପୁଟ (ନିସର୍ତ୍ତ): କୋରାପୁଟ ଜିଲ୍ଲା ପ୍ରଶାସନ ପକ୍ଷରୁ ଲମତାପୁଟ ବ୍ଲକ କାର୍ଯ୍ୟାଳୟ ପରିସରରେ ଏକ ମିଳିତ ଜନଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରେ କୋରାପୁଟ ଅତିରିକ୍ତ ଜିଲ୍ଲାପାଳ ତପନ କୁମାର ନାଏକ ଏବଂ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ (SP) ରୋହିତ ବର୍ମା ଯୋଗଦେଇ ଜନସାଧାରଣଙ୍କ ବିଭିନ୍ନ ସମସ୍ୟାର ପ୍ରତ୍ୟକ୍ଷ ଶୁଣାଣି କରିଥିଲେ। ଅଭିଯୋଗଗୁଡ଼ିକର ତୁରନ୍ତ ସମାଧାନ ପାଇଁ ସେ ସମ୍ପୃକ୍ତ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
ବିଶେଷ କରି ବାର୍ଦ୍ଧକ୍ୟ ଓ ବିଧବା ଭତ୍ତାରୁ ବଞ୍ଚିତ ଥିବା ହିତାଧିକାରୀଙ୍କୁ ତୁରନ୍ତ ସରକାରୀ ଯୋଜନାରେ ଅନ୍ତର୍ଭୁକ୍ତ କରିବା ପାଇଁ ଅତିରିକ୍ତ ଜିଲ୍ଲାପାଳ ସ୍ଥାନୀୟ ବିଡିଓଙ୍କୁ ପରାମର୍ଶ ଦେଇଥିଲେ। ସେହିପରି ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ବିଭିନ୍ନ ଗ୍ରାମରୁ ଆସିଥିବା ଶାନ୍ତି ଶୃଙ୍ଖଳା ରକ୍ଷା ଓ ପୋଲିସ ସହାୟତା ସମ୍ପର୍କିତ ମାମଲାଗୁଡ଼ିକର ସମୀକ୍ଷା କରିବା ସହ ଗୁରୁତ୍ୱର ସହ ଆଲୋଚନା କରିଥିଲେ।
ଏହି ଶିବିରରେ ମୋଟ ୩୯ଟି ଅଭିଯୋଗ ପଞ୍ଜିକୃତ ହୋଇଥିଲା, ଯେଉଁଥିମଧ୍ୟରୁ ୧୩ଟି ବ୍ୟକ୍ତିଗତ ଏବଂ ୨୬ଟି ସାମୂହିକ ଅଭିଯୋଗ ରହିଥିଲା। କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ବେଣୁଧର ଶବର, କୋରାପୁଟ ଉପ-ଜିଲ୍ଲାପାଳ ପ୍ରେମ ଲାଲ ହିଆଲ, ଲମତାପୁଟ ଗୋଷ୍ଠୀ ଉନ୍ନୟନ ଅଧିକାରୀ (ବିଡିଓ) ଜୟନ୍ତ କୁମାର ମେହେର, ତହସିଲଦାର ଦିବାକର ବାଗଙ୍କ ସମେତ ଜିଲ୍ଲା ସ୍ତରୀୟ ସମସ୍ତ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ।