ବ୍ରହ୍ମପୁରରେ ଚାଞ୍ଚଲ୍ୟ: ମର୍ଣ୍ଣିଂ ୱାକ୍ ସମୟରେ ବ୍ୟବସାୟୀଙ୍କ ଘରୁ ଲୁଟ୍‌ ହେଲା କୋଟିଏରୁ ଅଧିକ ମୂଲ୍ୟର ସୁନା ଓ ନଗଦ ଟଙ୍କା

newyr25

ବ୍ରହ୍ମପୁର: ସହରର ବଡ଼ବଜାର ଥାନା ଅନ୍ତର୍ଗତ ପ୍ରେମ ନଗର ଅଞ୍ଚଳରେ ଏକ ବଡ଼ ଧରଣର ଚୋରି ଘଟଣା ସାମ୍ନାକୁ ଆସିଛି। ଜଣେ ବ୍ୟବସାୟୀ ମର୍ଣ୍ଣିଂ ୱାକ୍‌ରେ ଯାଇଥିବା ସୁଯୋଗରେ ଦୁର୍ବୁତ୍ତମାନେ ଘରୁ ପ୍ରାୟ ୧ କେଜି ୨୦୦ ଗ୍ରାମ ସୁନା ଏବଂ ଲକ୍ଷାଧିକ ଟଙ୍କା ଲୁଟି ନେଇଛନ୍ତି।
ସୂଚନା ଅନୁଯାୟୀ, ପ୍ରେମ ନଗର ସପ୍ତମ ଲାଇନରେ ରହୁଥିବା ଜଣାଶୁଣା ବ୍ୟବସାୟୀ ପି. ରାଜ ପ୍ରଭାକର ରାଓ ଆଜି ସକାଳେ ନିତିଦିନିଆ ଭଳି ମର୍ଣ୍ଣିଂ ୱାକ୍ ପାଇଁ ବାହାରକୁ ଯାଇଥିଲେ। ସେ ଘରକୁ ଫେରିବା ପରେ ଦେଖିଥିଲେ ଯେ ଘରର ମୁଖ୍ୟ ଦ୍ୱାରର ତାଲା ବଦଳି ଯାଇଛି। ଏଥିରେ ସନ୍ଦେହ କରି ସେ ତାଲା ଭାଙ୍ଗି ଘର ଭିତରକୁ ପ୍ରବେଶ କରିବା ପରେ ଚୋରି ହୋଇଥିବା ଜାଣିବାକୁ ପାଇଥିଲେ।
ଦୁର୍ବୁତ୍ତମାନେ ଘରର ଆଲମିରା ଭାଙ୍ଗି ପ୍ରାୟ ୧ କେଜି ୨୦୦ ଗ୍ରାମ ଓଜନର ସୁନା ଅଳଙ୍କାର ଏବଂ ନଗଦ ୧ ଲକ୍ଷ ୩୦ ହଜାର ଟଙ୍କା ଚୋରି କରି ନେଇଛନ୍ତି। ଚୋରି ହୋଇଥିବା ସୁନାର ଆନୁମାନିକ ବଜାର ମୂଲ୍ୟ ୧ କୋଟି ଟଙ୍କାରୁ ଅଧିକ ହେବ ବୋଲି ଅନୁମାନ କରାଯାଉଛି।
ଘଟଣା ସମ୍ପର୍କରେ ଖବର ପାଇ ବଡ଼ବଜାର ଥାନା ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ପୋଲିସ ସାଇଣ୍ଟିଫିକ ଟିମ୍ ସହାୟତାରେ ନମୁନା ସଂଗ୍ରହ କରିବା ସହ ଆଖପାଖ ଅଞ୍ଚଳରେ ଲାଗିଥିବା ସିସିଟିଭି ଫୁଟେଜ୍‌କୁ ଯାଞ୍ଚ କରୁଛି। ଦିନ ଦ୍ୱିପ୍ରହରରେ ଏଭଳି ଏକ ବଡ଼ ଚୋରି ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳାଇ ଦେଇଛି। ପୋଲିସ ଖୁବ୍‌ ଶୀଘ୍ର ଅଭିଯୁକ୍ତଙ୍କୁ ଧରିବ ବୋଲି ପ୍ରତିଶ୍ରୁତି ଦେଇଛି।

Leave A Reply

Your email address will not be published.