
ବାଲିଗୁଡା, ତା, ୨୬/୦୩ : କନ୍ଧମାଳ ଜିଲ୍ଲା ବାଲିଗୁଡା ରେ ଉପଖଣ୍ଡ ସ୍ତରୀୟ ୯୧ତମ ଉତ୍କଳ ଦିବସ ପାଳନ ନିମନ୍ତେ ବ୍ୟାପକ ପ୍ରସ୍ତୁତି କରାଯାଇଛି l ଏହି ଅବସରରେ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ମହାସମାରୋହ ରେ ପାଳନ କରାଯିବା ପାଇଁ ଉପଜିଲ୍ଲାପାଳ ତଥା ଉପଖଣ୍ଡ ଉତ୍ସବ ପାଳନ କମିଟି ର ସଭାପତି ପ୍ରଣୀତା ଦାସ ଙ୍କ ଅନୁମୋଦନ କ୍ରମେ ଉକ୍ତ ଦିନ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରିବା ପାଇଁ ସ୍ଥିରୀକୃତ ହୋଇଛି l ପ୍ରତ୍ୟୁଷ ରେ ସ୍ଥାନୀୟ ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ବିଭାଗ ତରଫରୁ ଡାକ ବାଜି ଯନ୍ତ୍ର ଯୋଗେ ସମଗ୍ର ସହରରେ “ବନ୍ଦେ ଉତ୍କଳ ଜନନୀ ” ପରିବେଷଣ କରାଯିବା ପାଇଁ ସ୍ଥିରୀକୃତ ହୋଇଥିବା ବେଳେ ସମସ୍ତ ବିଦ୍ୟାଳୟର ଛାତ୍ରଛାତ୍ରୀ ଗଣ ଓଡ଼ିଶା ଦିବସ ଉପଲକ୍ଷେ ନିଜ ନିଜ ଅନୁଷ୍ଠାନରୁ ବାହାରି ଉତ୍କଳମାତା ଓ ବୀରପୁତ୍ର ମାନଙ୍କର ସ୍ଲୋଗାନ ଦେଇ ଶିକ୍ଷକ ଶିକ୍ଷୟତ୍ରୀଙ୍କ ସହ ସକାଳ ୭.୦୦ଘ. ସମୟରେ ଟାଉନହଲ୍ ସଭାଗୃହ ପରିସରରେ ସମବେତ ହେବେ । ପ୍ରାତଃ ଘ.୭.୩୦ମି. ସମୟରେ ଓଡ଼ିଶାର ବରପୁତ୍ର ମାନଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ ପୂର୍ବକ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରାଯିବ। ପ୍ରଭାତଫେରି ଓ ସଭାସ୍ଥଳର ଛାତ୍ରଛାତ୍ରୀ ତଥା ଜନସାଧାରଣଙ୍କ ପ୍ରବଳ ସମାଗମ ଦୃଷ୍ଟିରୁ ଯାନବାହନ ନିୟନ୍ତ୍ରଣ ଓ ଶାନ୍ତି ଶୃଙ୍ଖଳା ନିମନ୍ତେ ବାଲିଗୁଡା ଥାନା ଭାରପ୍ରାପ୍ତ ଅଧୂକାରୀଙ୍କୁ ଅନୁରୋଧ କରାଯାଇଛି । ପ୍ରତ୍ୟେକ ବିଦ୍ୟାଳୟରୁ କେବଳ ୧୦ ଜଣ ଛାତ୍ରଛାତ୍ରୀ ଫୁଲମାଳ ସହିତ ଶିକ୍ଷକ/ଶିକ୍ଷୟତ୍ରୀଙ୍କ ସହିତ ଆସିବେ । ଏଥି ନିମନ୍ତେ ସ୍ଥାନୀୟ ଗୋଷ୍ଠୀ ଶିକ୍ଷା ଅଧିକାରୀ ଅନୁରୋଧ କରାଗଲା । ଓଡ଼ିଆ ଦେଶାତ୍ମବୋଧକ ସଙ୍ଗୀତ ପ୍ରତିଯୋଗିତା ତିନୋଟି ସ୍ତରରେ ଅନୁଷ୍ଠିତ ହେବ । ଯଥା ଉପ-କନିଷ୍ଠ (ପ୍ରଥମରୁ ପଞ୍ଚମ), କନିଷ୍ଠ (ଷଷ୍ଠରୁ ଅଷ୍ଟମ) ଏବଂ ବରିଷ୍ଠ (ନବମ ଓ ଦଶମ) । ପ୍ରତ୍ୟେକ ସ୍ତର ନିମନ୍ତେ ବିଦ୍ୟାଳୟରୁ ଦୁଇଜଣ ପ୍ରତି ଯୋଗୀ ଅଂଶ ଗ୍ରହଣ କରିବେ ।ଏହି ପ୍ରତିଯୋଗିତା ଚଳିତ ମାସ.୩୦ ତାରିଖ ପୂର୍ବାହ୍ନ ୮ଘ. ସମୟରେ ଟାଉନହଲ୍ ସଭାଗୃହରେ ଅନୁଷ୍ଠିତ ହେବ। ପ୍ରତିଯୋଗୀତାରେ ଅଂଶ ଗ୍ରହଣ କରୁଥିବା ଶିଶୁଙ୍କର ନାମ ପ୍ରତିଯୋଗିତା ପୂର୍ବରୁ ବିଦ୍ୟାଳୟର ମୁଖ୍ୟଙ୍କ ପ୍ରେରିତ ପତ୍ର ଦ୍ୱାରା ତା.୨୫.୦୩.୨୦୨୬ରିଖ ସୁଦ୍ଧା ପହଞ୍ଚିବା ଆବଶ୍ୟକ
ବୋଲି କୁହାଯାଇଛି l ଓଡ଼ିଆ ବକ୍ତୃତା ପ୍ରତିଯୋଗିତା ମଧ୍ୟ ତିନୋଟି ସ୍ତରରେ ଅନୁଷ୍ଠିତ ହେବ । ଯଥା:- ଉପ-କନିଷ୍ଠ (ପ୍ରଥମରୁ ପଞ୍ଚମ), କନିଷ୍ଠ (ଷଷ୍ଠରୁ ଅଷ୍ଟମ) ଏବଂ ବରିଷ୍ଠ (ନବମ ଓ ଦଶମ) । ପ୍ରତ୍ୟେକ ସ୍ତର ନିମନ୍ତେ ବିଦ୍ୟାଳୟରୁ ଦୁଇଜଣ ପ୍ରତିଯୋଗୀ ଅଂଶ ଗ୍ରହଣ କରିବେ । ଏହା ମଧ୍ୟ ଚଳିତ ମାସ ୩୦ ତାରିଖ ପୂର୍ବାହ୍ନ ୮ଘ. ସମୟରେ ଟାଉନହଲ୍ ସଭାଗୃହରେ ଅନୁଷ୍ଠିତ ହେବ । ବକ୍ତୃତା ପ୍ରତିଯୋଗିତାର ବିଷୟ ୨୯ ତାରିଖ ଦିନ ସଙ୍ଗୀତ ପ୍ରତିଯୋଗିତା ପରେ ଘୋଷଣା କରାଯିବ । କୌତୁକ ପୋଷାକ ପ୍ରତିଯୋଗିତା ୦୧ ତାରିଖ ଦିନ ମାଲ୍ୟାର୍ପଣ ପରେ ପରେ ଗୋଟିଏ ସ୍ତରରେ ପ୍ରଥମ ଶ୍ରେଣୀରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ । ବିଦ୍ୟାଳୟର ମୁଖ୍ୟ କେବଳ ଜଣଙ୍କ ନାମ ସଭା ପୂର୍ବରୁ ଶିବଶଙ୍କର ସମରଥ, ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧୂକାରୀ, ବାଲିଗୁଡ଼ାଙ୍କୁ ଦାଖଲ କରିବେ । ଏହି କାର୍ଯ୍ୟକ୍ରମକୁ ଉତ୍ସବମୁଖର କରିବା ନିମନ୍ତେ ତିନୋଟି ଦଳଗତ ନୃତ୍ୟ ପରିବେଷଣ କରିବା ପାଇଁ ସ୍ଥିର କରାଯାଇଛି । ଉକ୍ତ ଦିନ ବାଲିଗୁଡ଼ା ସହର, ସଭାଗୃହ ପରିସର ଓ ତା’ ନିକଟବର୍ତ୍ତୀ ଅଞ୍ଚଳ ପରିଷ୍କାର ପରିଚ୍ଛନ୍ନତା ନିମନ୍ତେ ଏବଂ ସକାଳ ୭.୦୦ଘ. ସମୟରେ ସ୍ଥାନୀୟ ସଭାଗୃହ ସମ୍ମୁଖରେ ପିଇବା ପାଣି ନିମନ୍ତେ ଏକ ଟ୍ୟାଙ୍କର ଯୋଗାଇ ଦେବାକୁ ନିର୍ବାହୀ ଅଧୂକାରୀ, ବିଜ୍ଞାପିତ ଅଞ୍ଚଳ ପରିଷଦ, ବାଲିଗୁଡ଼ାଙ୍କୁ ଅନୁରୋଧ କରାଯାଇଛି । ଉତ୍କଳ ଦିବସ ଉପଲକ୍ଷେ “ବନ୍ଦେ ଉତ୍କଳ ଜନନୀ” ଗାନ କରିବା ପାଇଁ ବନବାସୀ ସେବା ସମିତିର ଛାତ୍ରୀଗଣଙ୍କୁ ବାଦ୍ୟଯନ୍ତ୍ର ସହ ପ୍ରେରଣ କରିବାକୁ ସମ୍ପାଦକ, ବନବାସୀ ସେବା ସମିତି, ବାଲିଗୁଡ଼ାଙ୍କୁ ଅନୁରୋଧ କରାଗଲା । ସକାଳ ୭.୦୦ ଘ. ସମୟରେ ପ୍ରାଥମିକ ଚିକିତ୍ସା ବ୍ୟବସ୍ଥା ନିମନ୍ତେ ଉପସ୍ଥିତ ଛାତ୍ରଛାତ୍ରୀ, ଜନସାଧାରଣଙ୍କ ସୁବିଧା ପାଇଁ ଏକ ଭ୍ରାମ୍ୟମାଣ ଚିକିତ୍ସାଯାନ ଯୋଗାଇବାକୁ ଉପଖଣ୍ଡ ଚିକିତ୍ସା ଅଧୂକାରୀ, ବାଲିଗୁଡ଼ାଙ୍କୁ ଅନୁରୋଧ କରାଗଲା । କୌତୁକ ପୋଷାକ ପ୍ରତିଯୋଗିତା ପରେ ପରେ ଏକ ସାଧାରଣ ସଭା ସ୍ଥାନୀୟ ସଭାଗୃହ ପରିସରରେ ଅନୁଷ୍ଠିତ ହେବ । ବିଭିନ୍ନ ପ୍ରତିଯୋଗିତାର କୃତି ପ୍ରତିଯୋଗୀଙ୍କୁ ମୁଖ୍ୟ ଅତିଥି ଙ୍କ ଦ୍ୱାରା ପୁରସ୍କାର ବିତରଣ କରାଯିବ l ଓଡ଼ିଶା ଦିବସ ଉପଲକ୍ଷେ ସହରର ସମସ୍ତ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ଓ ଅନୁଷ୍ଠାନ କୋଠାବାଡ଼ି ମାନଙ୍କରେ ୩୧ ତାରିଖ ସନ୍ଧ୍ୟା ରୁ ଓ ଉତ୍କଳ ଦିବସ ଦିନ ସ୍ଵ ଖର୍ଚ୍ଚରେ ଆଲୋକମାଳ ଓ ଦୀପରେ ସଜ୍ଜିତ କରିବା ପାଇଁ ସମସ୍ତ କାର୍ଯ୍ୟାଳୟ ମୁଖ୍ୟ ଓ ବ୍ୟକ୍ତି ବିଶେଷଙ୍କୁ ଅନୁରୋଧ କରାଗଲା । ଉକ୍ତ ଦିନ ସମସ୍ତେ ହସ୍ତତନ୍ତ ବସ୍ତ୍ର ପରିଧାନ କରିବାକୁ ଅନୁରୋଧ କରାଯାଇଛି ।ସ୍ଥାନୀୟ ବିଜ୍ଞାପିତ ଅଞ୍ଚଳ ପରିଷଦ ଦ୍ୱାରା ବସ୍ଷ୍ଟାଣ୍ଡ ପାଖ ରେ ଥିବା ଏଲ ଇ ଡି ପରଦାରେ ଓଡ଼ିଶା ସମ୍ପର୍କିତ କିଛି ସଙ୍ଗୀତ ପରିବେଷଣ କରିବେ । ମିଶନ ଶକ୍ତି କ୍ୟାଫେରେ ଓଡ଼ିଶା ନିର୍ମିତ ଓଡ଼ିଆ ଖାଦ୍ୟ ବ୍ୟଞ୍ଜନ ପ୍ରସ୍ତୁତ କରିବେ । ଏଣୁ ଉକ୍ତ ଦିନ ଏହି ଉତ୍ସବ ଟିକୁ ସର୍ବାଙ୍ଗ ସୁନ୍ଦର ଭାବେ ପାଳନ କରିବା ପାଇଁ ଉପଜିଲ୍ଲାପାଳ ତଥା ଉପଖଣ୍ଡ ଉତ୍ସବ ପାଳନ କମିଟି ର ସଭାପତି ପ୍ରଣୀତା ଦାସ ସମସ୍ତ ଙ୍କ ସହଯୋଗ କାମନା କରିଛନ୍ତି ।