ଗ୍ୟାସ ସିଲିଣ୍ଡର ରଖି ଗ୍ରାମବାସୀଙ୍କ ରାସ୍ତା ଅବରୋଧ, ପ୍ରଶାସନର ହସ୍ତକ୍ଷେପ ପରେ ହଟିଲା ଅବରୋଧ

add-all

ନୟାଗଡ଼,୨୭/୦୩(ନିସର୍ତ୍ତ): ଗ୍ୟାସ ସିଲିଣ୍ଡର ରଖି ରାସ୍ତା ଅବରୋଧ କଲେ ଗ୍ରାମବାସୀ । ଖୋର୍ଦ୍ଧା, ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥ ଯାତାୟତ ସମ୍ପୂର୍ଣ୍ଣ ଠପ ହୋଇଯାଇଥିଲା ଏଥି ସହିତ ଅଟକି ରହିଥିଲା ଶହ ଶହ ଗାଡ଼ି । ସୂଚନା ଅନୁସାରେ ନୟାଗଡ ଜିଲ୍ଲା ରଣପୁର ବ୍ଲକ ଅନ୍ତର୍ଗତ ବିନୋଦପଡ଼ା ଠାରେ ଅବସ୍ଥିତ ଥିବା ରାଧା ଗୋବିନ୍ଦ ଏଚ.ପି ଗ୍ୟାସ ଅଫିସ ସମ୍ମୁଖରେ ସ୍ଥାନୀୟ ଗ୍ୟାସ ଉପଭୋକ୍ତା ମାନେ ଗ୍ୟାସ ସିଲିଣ୍ଡର ରଖି ରାସ୍ତା ଅବରୋଧ କରିଥିଲେ। ଫଳରେ ଘଟଣାସ୍ଥଳରେ ଘଣ୍ଟା ଘଣ୍ଟା ଧରି ଶହ ଶହ ଗାଡ଼ି ଅଟକି ରହି ଥିଲା। ଅଭିଯୋଗକାରୀଙ୍କ ଅଭିଯୋଗ ଅନୁସାରେ ଦୀର୍ଘ ଏକ ମାସ ହେବ ଗ୍ୟାସ ବୁକିଙ୍ଗ କରି ଥିଲେ ମଧ୍ୟ ଗ୍ୟାସ ଆଜି ମିଳିବ କାଲି ମିଳିବ କହି ଲୋକଙ୍କୁ ଫାଙ୍କି ଆସୁଥିଲେ । ଲୋକମାନେ ବାରମ୍ବାର ଅଫିସକୁ ଆସି ଗ୍ୟାସ ନପାଇ ଖାଲି ହାତରେ ଫେରି ଯାଉଥିଲେ । ତେବେ ଶୁକ୍ରବାର ଦିନ ପୂର୍ବାହ୍ନ ସମୟରେ ଗ୍ରାମବାସୀମାନେ ଗ୍ୟାସ ସିଲିଣ୍ଡର ରଖି ରାସ୍ତା ଅବରୋଧ କରିଥିଲେ। ସୂଚନା ପାଇ ରଣପୁର ଥାନା ଅଧିକାରୀ ଆଶିଷଦେବ ସାହୁ ଓ ଫାଣ୍ଡି ଅଧିକାରୀ ରମେଶ ଜେନାଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଗ୍ୟାସ ବିତରକଙ୍କ ସହିତ ଆଲୋଚନା କରିଥିଲେ । ଗ୍ୟାସ ବିତରକ ଗ୍ୟାସ ଷ୍ଟକ ଆସିବା ସହିତ ଶନିବାର ଦିନ ଗ୍ୟାସ ବିତରଣ କରାଯିବ ବୋଲି କହିଥିଲେ । ଥାନା ଅଧିକାରୀ ଶନିବାର ଦିନ ଗ୍ୟାସ ମିଳିବା ନେଇ ପ୍ରତିଶ୍ରୁତି ଦେବା ପରେ ରାସ୍ତା ଅବରୋଧ ହଟିଥିଲା ଏବଂ ଯାତାୟାତ ସ୍ଵାଭାବିକ ହୋଇଥିଲା। ରାଜସୁନାଖଳାରେ ରନ୍ଧନ ଗ୍ୟାସ୍ କଳା ବଜାରୀ ହେଉଥିବାର ମଧ୍ୟ ସୂଚନା ରହିଛି । କିଛି ଅସାଧୁ ବ୍ୟବସାୟୀ ବହୁ ମାତ୍ରାରେ ଗ୍ୟାସ୍ ସିଲିଣ୍ଡର୍ ଲୁକ୍କାୟିତ ଭାବେ ମହଜୁଦ ରଖିବା ସହିତ ଉଚ୍ଚ ଦରରେ ଖାଉଟିଙ୍କୁ ବିକ୍ରୀ କରିବା ସହିତ ମୁନାଫା କମାଉ ଥିବାର ମଧ୍ୟ ଜନସାଧାରଣଙ୍କ ମଧ୍ୟରେ ଆଲୋଚନାର ବିଷୟ ପାଲଟିଛି। ତେଣୁ ସ୍ଥାନୀୟ ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବା ସହିତ କଳା ବଜାରୀଙ୍କ ଉପରେ ଲଗାମ ଲଗାଇବାକୁ ଗ୍ରାମବାସୀ ଦାବୀ ରଖିଛନ୍ତି ।

ad-week
Leave A Reply

Your email address will not be published.