ଶୁଣିଲାନି ପ୍ରଶାସନ , ନିଜ ଖର୍ଚ୍ଚ ଓ ଶ୍ରମଦାନରେ ରାସ୍ତା ମରାମତି କଲେ ସରପଞ୍ଚ ଏବଂ ଗ୍ରାମବାସୀ

add-all

ମାଲକାନଗିରି : ସରକାର ସମସ୍ତ ଗ୍ରାମକୁ ସବୁଦିନିଆ ଯାତାୟାତ ପାଇଁ ରାସ୍ତାଘାଟ, ପୋଲ ଆଦି ବିଭିନ୍ନ ଯୋଜନାରେ ନିର୍ମାଣ କରୁଛନ୍ତି। ହେଲେ ଆଦିବାସୀ ଅଧ୍ୟୁଷିତ ତଥା ବଣ ପାହାଡ଼ ଘେରା ଅଞ୍ଚଳର ଲୋକେ ଏବେ ବି ସବୁଦିନିଆ ରାସ୍ତା ସୁବିଧା ପାଇପାରୁନାହାନ୍ତି। ବିଶେଷକରି ବର୍ଷାଦିନରେ ଅଧିକ ସମସ୍ୟା ଭୋଗୁଛନ୍ତି। ମାଥିଲି ବ୍ଲକ ଅଞ୍ଚଳରେ ଏବେବି ଏଭଳି ଏକ ଗ୍ରାମ ରହିଛି, ଯେଉଁଠିକୁ ସବୁଦିନିଆ ରାସ୍ତା ପାଇଁ ପ୍ରଶାସନ ନିକଟରେ ଲୋକେ ବାରମ୍ବାର ଦାବି କରିବା ପରେ ମଧ୍ୟ କୌଣସି ସୁଫଳ ମିଳୁ ନାହିଁ। ଶେଷରେ ଗ୍ରାମବାସୀ ବାଧ୍ୟ ହୋଇ ନିଜ ଶ୍ରମଦାନରେ ମୋରମ ପକାଇ ରାସ୍ତା ନିର୍ମାଣ କରି ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି।ପ୍ରକାଶ ଯେ, ମାଥିଲି ବ୍ଲକ ଅନ୍ତର୍ଗତ ଟେମୁରୁପାଲ୍ଲୀ ପଞ୍ଚାୟତର ଟେମୁରୁପାଲ୍ଲୀ କଲୋନୀ ଛକ ଠାରୁ କଂସାରିପୁଟ ଗ୍ରାମ ଛକ ପ୍ରାୟ ୩ କିଲୋମିଟର ରାସ୍ତା। ଏହି ରାସ୍ତା ଉପରେ ସ୍ଥାନୀୟ ଲୋକଙ୍କ ବ୍ୟତୀତ ଆଖପାଖ ଗ୍ରାମର ଲୋକେ ଏବଂ ହାଟ କୁ ଯିବା ଆସିବା ପାଇଁ ବେପାରୀ ମାନେ ପ୍ରାୟ ନିର୍ଭର କରୁଛନ୍ତି। ଏହି ରାସ୍ତା ମରାମତି ପାଇଁ ପ୍ରଶାସନ ନିକଟରେ ବାରମ୍ବାର ଅଭିଯୋଗ କରିଆସୁଥିଲେ ହେଁ ନ ଶୁଣିବାରୁ ସ୍ଥାନୀୟ ଲୋକେ ନିଜେ ଏହି ରାସ୍ତା ନିର୍ମାଣ କରିଛନ୍ତି।

ଏହି ରାସ୍ତା ମରାମତି ପାଇଁ ୨୦୨୩-୨୪ ଆର୍ଥିକ ବର୍ଷରେ ୧୦ ଲକ୍ଷ ଟଙ୍କା ମଞ୍ଜୁର କରାଯାଇଥିଲା। କିନ୍ତୁ ଠିକାଦାର କୁନୁ ବିଶ୍ଵାଳ ସେ କାମଟିକୁ ୧୬୦୦ ମିଟର କାର୍ଯ୍ଯସାରି ସେ ଟଙ୍କା ତକ ଆତ୍ମସାତ କରିଥିବା ଜଣାପଡ଼ିଛି । ତେଣୁ ବାଧ୍ୟ ହୋଇ ସରପଞ୍ଚ ଏବଂ ଗ୍ରାମବାସୀ ଙ୍କ ମିଳିତ ଉଦ୍ୟମରେ ଟଙ୍କା ଆଦାୟ କରି ଖର୍ଚ୍ଚ କରିଥିବା ବେଳେ ଗ୍ରାମବାସୀ ଏବଂ ସରପଞ୍ଚ ମିଳିମିଶି ଶ୍ରମଦାନ କରି ମରାମତି କରିଥିବା କହିଛନ୍ତି। ଲୋକେ ବର୍ଷା ଦିନେ ପଞ୍ଚାୟତ ଅଫିସ, ବ୍ଲକ ଅଫିସ, ହାଟବଜାର କରିପାରନ୍ତି ନାହିଁ। ସେହିପରି ପିଲାମାନେ ସ୍କୁଲ, କଲେଜ ତଥା ଅଙ୍ଗନଓ୍ବାଡି କେନ୍ଦ୍ର ଯାଇପାରନ୍ତି ନାହିଁ। ରାଶନ ସାମଗ୍ରୀ କିମ୍ବା ଭତ୍ତା ଆଣିବା ପାଇଁ ବହୁ ଅସୁବିଧା ଭୋଗନ୍ତି। ଦେହ ଖରାପ ହେଲେ ଡାକ୍ତରଖାନାକୁ ରୋଗୀ ନେବା ମଧ୍ୟ କଷ୍ଟକର ହୋଇ ପଡେ। ଏଣୁ ପ୍ରଶାସନ ପକ୍ଷରୁ ସମ୍ପୂର୍ଣ୍ଣ ରାସ୍ତା ମରାମତି କଲେ ଆମ୍ବୁଲାନ୍ସ ମଧ୍ୟ ଯାତାୟାତ କରିପାରିବ ବୋଲି ମତବ୍ୟକ୍ତ କରିଛନ୍ତି।ଏ ସମ୍ପର୍କରେ ଟେମୁରୁପାଲ୍ଲୀ ସରପଞ୍ଚ କହିଛନ୍ତି, ଏହି ରାସ୍ତା ନିର୍ମାଣ ପାଇଁ ପଞ୍ଚାୟତର ସମ୍ବଳ ନାହିଁ। ଏଣୁ ସେ ପ୍ରଶାସନକୁ ଜଣାଇଥିଲେ। ଗତବର୍ଷ ଜିଲ୍ଲାପାଳ ଅଭିଯୋଗ ପ୍ରକଷ୍ଠ ଠାରେ ଆସି ଜଣାଇଥିଲେ ଏବଂ ବିଧାୟକ ଙ୍କୁ ମଧ୍ୟ ଜଣାଇଥିଲେ ପୂର୍ବ ବିଡିଓ ଙ୍କୁ ମଧ୍ୟ ଜଣାଇଥିଲେ କିନ୍ତୁ ଆଜି ପର୍ଯ୍ୟନ୍ତ କିଛି ସୁଫଳ ମିଳିଲା ନାହିଁ।ବାରମ୍ବାର ଦାବି ଜଣାଇଲା ପରେ ପ୍ରଶାସନ ନ ଶୁଣିବାରୁ ଗ୍ରାମବାସୀ ନିଜ ଉଦ୍ୟମରେ ଏହି କାମ କରିଦେଖାଇଛନ୍ତି। ଏଥିପାଇଁ ସରପଞ୍ଚ କିଛି ଅର୍ଥ ଦେଇଥିବା ବେଳେ ବାକି ସବୁ ଗ୍ରାମବାସୀ ଘର ପିଛା ଆଦାୟ କରି ରାସ୍ତା ମରାମତି କରିଛନ୍ତି।

Leave A Reply

Your email address will not be published.