ସୁନ୍ଦରଗଡ଼ରେ ଚିତି ସାପ କାମୁଡ଼ାରେ ଛତିଶଗଡ଼ର ଶ୍ରମିକଙ୍କ ମୃତ୍ୟୁ

add-all

ବୀରମିତ୍ରପୁର (ନିସର୍ତ୍ତ ନ୍ୟୁଜ୍): ସୁନ୍ଦରଗଡ଼ ଜିଲ୍ଲା ରାଏବଗା ଥାନା ଅନ୍ତର୍ଗତ ପୋଗ୍ରାପୋଷା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଏକ ଇଟା ଭାଟିରେ କାର୍ଯ୍ୟ କରୁଥିବା ଜଣେ ଶ୍ରମିକଙ୍କର ବିଷାକ୍ତ ଚିତି ସାପ କାମୁଡ଼ାରେ ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ ଛତିଶଗଡ଼ ରାଜ୍ୟ ଚାମ୍ପା ଜିଲ୍ଲା ଜୟଜୟପୁର ଥାନା ଅନ୍ତର୍ଗତ କରିଭଅର ଗ୍ରାମର ରମେଶ କୁମାର ଟଣ୍ଡନ (୪୨)।

ସୂଚନା ଅନୁଯାୟୀ, ରମେଶ ଗତ ୨୨/୦୩/୨୦୨୬ ରିଖରେ ପୋଗ୍ରାପୋଷା ସ୍ଥିତ ସଞ୍ଜୟ ସାହୁଙ୍କ ଇଟା ଭାଟିରେ ଶ୍ରମିକ ଭାବେ କାର୍ଯ୍ୟ କରିବାକୁ ଆସିଥିଲେ। ତେବେ ୨୯/୦୩/୨୦୨୬ ରିଖ ବିଳମ୍ବିତ ରାତି ପ୍ରାୟ ୨ଟା ୨୦ ମିନିଟରେ ସେ ନିଜ କୁଡ଼ିଆରେ ଶୋଇଥିବା ସମୟରେ ଏକ ବିଷାକ୍ତ ଚିତି ସାପ ତାଙ୍କ ମୁଣ୍ଡ ପଛ ପଟେ କାମୁଡ଼ି ଦେଇଥିଲା। ଏହା ଜାଣିବା ପରେ ରମେଶ ତୁରନ୍ତ ନିଜ ସାନ ଭାଇ ବଙ୍ଗାଳି କୁମାର ଟଣ୍ଡନଙ୍କୁ ଜଣାଇଥିଲେ। ବଙ୍ଗାଳି ଏ ସମ୍ପର୍କରେ ଇଟା ଭାଟି ମାଲିକ ସଞ୍ଜୟଙ୍କୁ ଫୋନ୍ ଯୋଗେ ଖବର ଦେଇଥିଲେ।

ଇଟା ଭାଟି ମାଲିକ ସଞ୍ଜୟ ତୁରନ୍ତ ଏକ ଅଟୋ ଯୋଗେ ରମେଶଙ୍କୁ ବୀରମିତ୍ରପୁର ସରକାରୀ ଡାକ୍ତରଖାନାକୁ ନେଇଥିଲେ। ସେଠାରେ ପ୍ରାଥମିକ ଚିକିତ୍ସା ପରେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ରାଉରକେଲା ସରକାରୀ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଆଜି ସକାଳ ୮ଟା ୩୦ ମିନିଟରେ ରମେଶଙ୍କ ମୃତ୍ୟୁ ଘଟିଥିଲା।

ଏହି ଘଟଣା ନେଇ ମୃତକଙ୍କ ଭାଇ ବଙ୍ଗାଳି ରାଏବଗା ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି। ଥାନା ଅଧିକାରୀଙ୍କ ନିର୍ଦ୍ଦେଶ କ୍ରମେ ଏଏସଆଇ (ASI) ଶଶିଭୂଷଣ ମହାତୋ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରିବା ସହ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛନ୍ତି। ଡାକ୍ତରଖାନାରେ ଶବ ବ୍ୟବଚ୍ଛେଦ ପରେ ପୋଲିସ ମୃତଦେହକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି। ପରିବାର ଲୋକେ ଶବକୁ ନିଜ ଗାଁ ଛତିଶଗଡ଼କୁ ନେଇଥିବା ଜଣାପଡ଼ିଛି।

ad-week
Leave A Reply

Your email address will not be published.