
ବିରମିତ୍ରପୁର (ନିସର୍ତ୍ତ ନ୍ୟୁଜ): ସୁନ୍ଦରଗଡ଼ ଜିଲ୍ଲା ରାଉରକେଲା ପ୍ଲାଣ୍ଟସାଇଟ୍ ପୋଲିସ ଏକ ବଡ଼ ଧରଣର ଅପରାଧିକ ଷଡ଼ଯନ୍ତ୍ରକୁ ପଣ୍ଡ କରିବାରେ ସଫଳ ହୋଇଛି। ପୋଲିସ ପକ୍ଷରୁ କରାଯାଇଥିବା ଅତର୍କିତ ଚଢ଼ାଉରେ ୫ ଜଣ ଦୁର୍ଦ୍ଦାନ୍ତ ସଶସ୍ତ୍ର ଅପରାଧୀଙ୍କୁ ଗିରଫ କରାଯିବା ସହ ସେମାନଙ୍କ ନିକଟରୁ ମାରଣାସ୍ତ୍ର ଜବତ କରାଯାଇଛି।
ବିଶ୍ୱସ୍ତ ସୂତ୍ରରୁ ସୂଚନା ପାଇ ପ୍ଲାଣ୍ଟସାଇଟ୍ ପୋଲିସର ଏକ ଟିମ୍ ରାତ୍ରି ପାଟ୍ରୋଲିଂକୁ ଜୋରଦାର କରିଥିଲେ। ଏସ୍ଆଇ (SI) ୟୁ.କେ. ଅହିରଙ୍କ ନେତୃତ୍ୱରେ ଗଠିତ ଏହି ଟିମ୍ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ରାଉରକେଲାର ନୟାବଜାରସ୍ଥିତ କଂଗ୍ରେସ ଭବନ ନିକଟରେ ଚଢ଼ାଉ କରିଥିଲେ। ସେହି ସମୟରେ ଅଭିଯୁକ୍ତମାନେ ଏକତ୍ରିତ ହୋଇ କୌଣସି ସ୍ଥାନରେ ଡକାୟତି କରିବା ପାଇଁ ଯୋଜନା ପ୍ରସ୍ତୁତ କରୁଥିଲେ। ପୋଲିସ ଅତି ଚତୁରତାର ସହ ସେମାନଙ୍କୁ କାବୁ କରିବାରେ ସଫଳ ହୋଇଥିଲା।
ଗିରଫ ଅପରାଧୀଙ୍କ ନିକଟରୁ ପୋଲିସ ୨ଟି ଲୁହା ରଡ୍, ଗୋଟିଏ ଭୁଜାଲି (କାଟି) ଏବଂ ୨ଟି ଧାରୁଆ ଲୁହା ଖଣ୍ଡା ଜବତ କରିଛି। ପୋଲିସର ଏହି ତତ୍ପରତା ଯୋଗୁଁ ସହରରେ ଏକ ବଡ଼ ଧରଣର ଅପରାଧ ଘଟିବା ପୂର୍ବରୁ ଏଡାଯାଇ ପାରିଛି।
ସମସ୍ତ ଅଭିଯୁକ୍ତଙ୍କ ବିରୋଧରେ ସଙ୍ଗୀନ ମାମଲା ରୁଜୁ କରାଯାଇ ଆଜି ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଛି। ସହରରେ ଶାନ୍ତି ଶୃଙ୍ଖଳା ବଜାୟ ରଖିବା ପାଇଁ ପୋଲିସର ଏଭଳି କାର୍ଯ୍ୟାନୁଷ୍ଠାନ ଜାରି ରହିବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି।